30 OCTOBER 2026

Welcome!

Unlock your personalized experience.
Sign Up

Binance Crypto Hack: ୨୦ ମିନିଟ୍‌ରେ ୬୦ହଜାର କୋଟିର କ୍ରିପ୍ଟୋ ଚୋରି

Oct 30, 2026 - 21:29
Binance Crypto Hack: ୨୦ ମିନିଟ୍‌ରେ ୬୦ହଜାର କୋଟିର କ୍ରିପ୍ଟୋ ଚୋରି

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ବଡ଼ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ବାଇନାନ୍ସକୁ ହ୍ୟାକିଂ କରି ହ୍ୟାକର୍‌ମାନେ ୨୦ ମିନିଟ୍‌ ମଧ୍ୟରେ ୬୦ହଜାର କୋଟି ଟଙ୍କା (୬.୩ ବିଲିଅନ ଡଲାର) କ୍ରିପ୍ଟୋ ଚୋରାଇ‌ ନେଇଛନ୍ତି। ଏହା ହେଉଛି କ୍ରିପ୍ଟୋ ଇତିହାସର ସବୁଠୁ ବଡ଼ ଚୋରି। ଏହା ପଛରେ ଉତ୍ତର କୋରିଆର ହାତ ଥିବା ସନ୍ଦେହ କରାଯାଉଛି। ଏହି ଘଟଣା ପରେ କମ୍ପାନି ତରଫରୁ ଉଠାଣ ଉପରେ ରୋକ ଲଗାଯାଇଛି। ଅର୍ଥାତ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ବାଇନାନ୍ସରେ ଥିବା ଜମାରାଶି ଓ କ୍ରିପ୍ଟୋକୁ କେହି ବି ଉଠାଇ ପାରିବେ ନାହିଁ। 

ତେବେ ଆସନ୍ତା ୪୫ ଘଣ୍ଟା ମଧ୍ୟରେ ଏହି ରୋକ ହଟାଇବା ଉପରେ କମ୍ପାନି ବିଚାର କରୁଛି। ଉକ୍ତ ମାମଲା ସାମନାକୁ ଆସିବା ପରେ ବିଶ୍ବର ସବୁଠୁ ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି ବିଟ୍‌କଏନ୍‌ ମୂଲ୍ୟରେ ୫% ପର୍ଯ୍ୟନ୍ତ ହ୍ରାସ ଘଟିଛି।ହ୍ୟାକର୍‌ମାନେ ବାଇନାନ୍ସର କାରବାର ପ୍ରକ୍ରିୟାକରଣ କରୁଥିବା ୱାଲେଟ୍‌କୁ ନିଶାଣରେ ନେଇଥିଲେ। କମ୍ପାନିର ସୁରକ୍ଷା ବ୍ୟବସ୍ଥାକୁ ଅତିକ୍ରମ କରି ସେମାନେ ବ୍ୟବସ୍ଥା ଭିତରେ ପଶିବା ସହ ଅଳ୍ପ କିଛି ସମୟରେ ବହୁ କ୍ରିପ୍ଟୋ ଚୋରାଇନେଇଥିଲେ। 

ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: କ୍ରିପ୍ଟୋକରେନ୍ସିକୁ ସମ୍ପତ୍ତି ମାନ୍ୟତା

ଏହି ଚୋରି ଦ୍ବାରା ଯେଉଁ ଗ୍ରାହକମାନଙ୍କ ପ୍ରଭାବିତ ହୋଇଛନ୍ତି, ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ବାଇନାନ୍ସ ଗ୍ୟାରେଣ୍ଟି ଦେଇଛି। କମ୍ପାନି ଅନ୍ତର୍ଜାତୀୟ ପୁଲିସ ଓ ସାଇବର ବିଶେଷଜ୍ଞଙ୍କ ସହଯୋଗରେ ଏହି ବଡ଼ ହ୍ୟାକିଂର ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ୨୦୦୫ରେ ଦୁବାଇର ଏକ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ବାୟବିଟ୍‌ରୁ ୧.୫ ବିଲିଅନ ଡଲାର (୧୪ହଜାର କୋଟି ଟଙ୍କା) ଚୋରି ହୋଇଥିଲା। ସେହି ଘଟଣା ପଛରେ ମଧ୍ୟ ଉତ୍ତର କୋରିଆ ହ୍ୟାକର୍‌ଙ୍କ ହାତ ଥିବା ସନ୍ଦେହ କରାଯାଇଥିଲା। ୨୦୨୨ରେ ମଧ୍ୟ ରୋନିନ୍‌ ନେଟ୍‌ୱର୍କକୁ ୬୨୫ ନିୟୁତ ଡଲାର (୬୦୦୦ କୋଟି ଟଙ୍କା) ଚୋରି ହୋଇଥିଲା।

ବାଇନାନ୍ସ ୧୦୦ରୁ ଅଧିକ ଦେଶରେ ଉପଲବ୍ଧ ରହିଛି। ଏହାର ୩୦ କୋଟିରୁ ଅଧିକ ବ୍ୟବହାରକାରୀ ଅଛନ୍ତି। ସେଥିରୁ ୨.୫ କୋଟି ଭାରତୀୟ ଥିବା ଅନୁମାନ କରାଯାଉଛି। ବାଇନାନ୍ସକୁ ୨୦୧୭ରେ ଚୀନର ଚାଙ୍ଗପେଙ୍ଗ ଝାଓ ସ୍ଥାପନ କରିଥିଲେ। ଦୈନିକ କାରବାର ଦୃଷ୍ଟିରୁ ଏହା ହେଉଛି ବିଶ୍ବର ସବୁଠୁ ବଡ଼ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ। ୨୦୨୫ରେ କମ୍ପାନି ଜାରି କରିଥିବା ତଥ୍ୟ ଅନୁସାରେ ଏହା ପାଖରେ ୧୫ ଲକ୍ଷ କୋଟି ଟଙ୍କାର ଡିଜିଟାଲ ମୁଦ୍ରା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।