BJP Worker Shamsher Biswas Killed: ଚା’ ଦୋକାନରେ ବିଜେପି ନେତା ଓ କର୍ମୀଙ୍କୁ ଆକ୍ରମଣ, ଜଣେ କର୍ମୀ ମୃତ
ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁରରେ ଶନିବାର ସକାଳେ ଚା’ ପିଇବାକୁ ଯାଇଥିବା ବେଳେ କିଛି ବିଜେପି ନେତା ଓ କର୍ମୀଙ୍କ ଉପରେ ଆକ୍ରମଣ ଅଭିଯୋଗ ଆସିଛି। ଘଟଣାରେ ବିଜେପିର ସୋସିଆଲ ମିଡିଆ କର୍ମୀ ଶମଶେର ବିଶ୍ୱାସ (୪୦) ଙ୍କ ମୃତ୍ୟୁ ହୋଇଛି। ଶନିବାର ସକାଳେ ମେଦିନୀପୁର ସଦର ବ୍ଲକ୍ ଅନ୍ତର୍ଗତ ହାତିହାଲକା ଅଞ୍ଚଳର କଦମତଳ ବଜାରରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସ୍ଥାନୀୟ ବିଜେପି ନେତା ଜଫର ବିଶ୍ୱାସ ଶନିବାର ସକାଳେ ହାତିହାଲକାର କଦମତଳ ବଜାରକୁ ଚା’ ପିଇବାକୁ ଯାଇଥିଲେ। ତାଙ୍କ ସହ ତାଙ୍କ ପୁତୁରା ଶମଶେର ବିଶ୍ୱାସ ଏବଂ ଅନ୍ୟ କିଛି ବିଜେପି କର୍ମୀ ମଧ୍ୟ ଥିଲେ। ସମସ୍ତେ ଚା’ ଦୋକାନରେ ବସିଥିବା ସମୟରେ କିଛି ଅଜଣା ବ୍ୟକ୍ତି ହଠାତ୍ ସେମାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଆକ୍ରମଣ ସମୟରେ ଜଫର ବିଶ୍ୱାସ ସେଠାରୁ ଖସିଯିବାରେ ସଫଳ ହୋଇଥିବା ବେଳେ ଶମଶେର ସେଠାରେ ରହିଯାଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଦିନୀପୁର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍ ଯାଞ୍ଚ କରି ଘଟଣାର ପ୍ରକୃତ କାରଣ ଏବଂ ଆକ୍ରମଣରେ ସାମିଲ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜାଣିବାକୁ ପୁଲିସ ଉଦ୍ୟମ କରୁଛି।
ଏହି ଘଟଣାକୁ ନେଇ ଖଡ଼ଗପୁର ଗ୍ରାମୀଣ ବିଜେପି ମଣ୍ଡଳ ସଭାପତି ସନ୍ଦୀପ କରଣ କହିଛନ୍ତି, ଜଣେ ବିଜେପି ନେତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା ହୋଇଥିଲା ଏବଂ ତାଙ୍କ ସହ ଥିବା ଶମଶେର ବିଶ୍ୱାସଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣାକୁ ଦଳ ସହ୍ୟ କରିବ ନାହିଁ ବୋଲି ସେ କହିଛନ୍ତି। ତେବେ ଆକ୍ରମଣକାରୀଙ୍କ ପରିଚୟ ଓ ଘଟଣା ପଛରେ ରାଜନୈତିକ କାରଣ ଥିଲା କି ନାହିଁ, ତାହା ଏବେ ସ୍ପଷ୍ଟ ହୋଇନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।