Boat Classes In Flood Hit Bihar: ବନ୍ୟା ଅଟକାଇପାରିଲାନି ପାଠପଢ଼ା, ଡଙ୍ଗାରେ ଚାଲିଲା କ୍ଲାସ

Sep 15, 2026 - 13:46
Boat Classes In Flood Hit Bihar: ବନ୍ୟା ଅଟକାଇପାରିଲାନି ପାଠପଢ଼ା, ଡଙ୍ଗାରେ ଚାଲିଲା କ୍ଲାସ

ବିହାରରେ ବନ୍ୟା ଅନେକ ଅଞ୍ଚଳରେ ଜୀବନ ଯାତ୍ରାକୁ ଠପ୍ କରିଦେଇଛି। ରାସ୍ତା ବୁଡ଼ଛି, ଘରଗୁଡ଼ିକ ବି ପାଣିରେ ବୁଡ଼ି ରହିଛି। ସ୍କୁଲଗୁଡ଼ିକ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ଏହା ସିଧାସଳଖ ପିଲାମାନଙ୍କ ଶିକ୍ଷାକୁ ପ୍ରଭାବିତ କରୁଛି। ଏପରି ପରିସ୍ଥିତିରେ, କଟିହାରରୁ ନିରନ୍ତର ଶିକ୍ଷାର ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି।

କଟିହାରର ଅହମ୍ମଦାବାଦ ବ୍ଲକର ରଘୁନାଥପୁରରେ ବନ୍ୟା ପାଣିରେ ସ୍କୁଲ ବୁଡିଯିବାରୁ ସ୍କୁଲରେ ପାଠପଢ଼ା ଅସମ୍ଭବ ହୋଇପଡ଼ିଛି। ଏପରି ପରିସ୍ଥିତିରେ ଏକ ଘରୋଇ କୋଚିଂ ସେଣ୍ଟର ଚଳାଉଥିବା ଶିକ୍ଷକ ମହମ୍ମଦ ସାହେବ ସ୍କୁଲ ନିକଟରେ ଏକ ଡଙ୍ଗାରେ ପିଲାମାନଙ୍କୁ ପାଠ ପଢାଉଥିବାର ନଜର ଆସିଛନ୍ତି। ପିଲାମାନେ ଏହି ଡଙ୍ଗାରେ ବସି ପାଠ ପଢୁଛନ୍ତି ଓ ମହମ୍ମଦ ସାର ସେମାନଙ୍କୁ ପଢ଼ାଉଛନ୍ତି। 

ସ୍ୱତନ୍ତ୍ର କଥା ହେଉଛି ଶିକ୍ଷକ ନିଜେ ପିଲାମାନଙ୍କୁ ଡଙ୍ଗାରେ ଉଠାଇ ନିଅନ୍ତି ଏବଂ ପାଠପଢ଼ା ସରିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଘରକୁ ଛାଡ଼ି ଦିଅନ୍ତି। ଏଭଳି ପାଠପଢାଇବା ପାଇଁ ପିଲାମାନଙ୍କ ପିତାମାତାଙ୍କ ସମ୍ମତି ପାଇବା ପରେ ହିଁ ହଙ୍ଗାରେ କ୍ଲାସ କରାଉଛନ୍ତି।

ବନ୍ୟା କଟିହାର ଜିଲ୍ଲାରେ ଗଭୀର ପ୍ରଭାବ ପକାଇଛି। ସାତଟି ବ୍ଲକର ପ୍ରାୟ ୯,୩୯,୭୬୬ ଲୋକଙ୍କୁ ପ୍ରଭାବିତ କରିଛି। ଅହମଦାବାଦର ରଘୁନାଥପୁର ପ୍ରଭାବିତ ଅଞ୍ଚଳ ମଧ୍ୟରୁ ଗୋଟିଏ, ଯେଉଁଠାରେ ରାସ୍ତା, ଘର, ସ୍କୁଲ ସବୁ କିଛି ପାଣିରେ ବୁଡି ରହିଛି। ପରିସ୍ଥିତି ଏତେ ଭୟଙ୍କର ଯେ ସ୍କୁଲର କାନ୍ଥ ଏବଂ ମୁଖ୍ୟ ଫାଟକ ଅଧା ବୁଡ଼ି ଯାଇଛି। ପାଣି କମିବା ପରେ ମଧ୍ୟ ଜୀବନ ସ୍ୱାଭାବିକ ହେବାକୁ ବହୁତ ସମୟ ଲାଗିବ। 

ତେଣୁ ଲମ୍ବା ସମୟ ଧରି ପିଲାମାନେ ପ୍ରଭାବିତ ହେଉଥିବା ଦେଖି ଶିକ୍ଷକ ସହିପାରିଲେ ନାହିଁ। ତେଣୁ ଶିକ୍ଷକ ମହମ୍ମଦ କୁହନ୍ତି ଯେ ଏହି ଅଞ୍ଚଳରେ ବନ୍ୟାର ପ୍ରଭାବ ଦୀର୍ଘସ୍ଥାୟୀ। ଯଦି ପିଲାମାନଙ୍କ ଶିକ୍ଷା ବାଧାପ୍ରାପ୍ତ ହୁଏ, ତେବେ ଏହା ସିଧାସଳଖ ସେମାନଙ୍କ ଭବିଷ୍ୟତ ଏବଂ ସେମାନଙ୍କର ଶିକ୍ଷା ଉପରେ ପ୍ରଭାବ ପକାଇବ। ତେଣୁ ସେ ଏକ ଡଙ୍ଗାରେ ହିଁ ପାଠ ପଢାଇବା ଆରମ୍ଭ କରିଥିଲେ। ପିଲାମାନେ ସେମାନଙ୍କ ପରିବାରର ସମ୍ମତିରେ ଏଠାକୁ ଆସନ୍ତି। ଶିକ୍ଷକମାନେ ନିଜେ ସେମାନଙ୍କୁ ଡଙ୍ଗାରେ ଉଠାଇ ନିଅନ୍ତି ଏବଂ ପାଠ ପଢା ସରିବା ପରେ ସୁରକ୍ଷିତ ଭାବରେ ଘରକୁ ଛାଡି ଦିଅନ୍ତି।

ବନ୍ୟା ଯେତେବେଳେ ସବୁକିଛି ଅଟକାଇ ଦେଇଛି, ସେତେବେଳେ ଜଣେ ଶିକ୍ଷକଙ୍କ ଏହି ପ୍ରୟାସ ପ୍ରମାଣ କରିଛି ଯେ, ପରିସ୍ଥିତି ଯେତେ କଷ୍ଟକର ହେଉ, ଶିକ୍ଷାର ଆଲୋକକୁ ଅଟକାଇ ହେବ ନାହିଁ। ଶିକ୍ଷକଙ୍କ ଦାୟିତ୍ୱବୋଧ, ପିଲାମାନଙ୍କ ପ୍ରତି ଭଲପାଇବା ଓ ଭବିଷ୍ୟତ ପାଇଁ ଚିନ୍ତା ଆଜି ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରେରଣା। ବନ୍ୟା ପାଣି ରାସ୍ତା ଓ ସ୍କୁଲକୁ ବୁଡ଼ାଇ ଦେଇପାରେ, କିନ୍ତୁ ପିଲାମାନଙ୍କ ସ୍ୱପ୍ନ ଓ ଶିକ୍ଷା ପ୍ରତି ଆଗ୍ରହକୁ ବୁଡ଼ାଇ ପାରିବ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।