Body Kept Frozen For 4 Years: ୪ ବର୍ଷ ଧରି ଫ୍ରିଜରରେ ମୃତଦେହ, ଭବିଷ୍ୟତରେ ଜୀବିତ ହେବେ ବୋଲି ଥିଲା ଆଶା!

Sep 30, 2026 - 14:34
Body Kept Frozen For 4 Years: ୪ ବର୍ଷ ଧରି ଫ୍ରିଜରରେ ମୃତଦେହ, ଭବିଷ୍ୟତରେ ଜୀବିତ ହେବେ ବୋଲି ଥିଲା ଆଶା!

ମୃତ୍ୟୁର ଚାରି ବର୍ଷ ପରେ ଏକ କ୍ଲିନିକରୁ ମିଳିଛି ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତଦେହ। ଭବିଷ୍ୟତରେ ଚିକିତ୍ସା ବିଜ୍ଞାନ ଏତେ ଉନ୍ନତ ହୋଇପାରେ ଯେ ମୃତ ବ୍ୟକ୍ତିଙ୍କୁ ପୁଣି ଜୀବିତ କରିହେବ, ଏଭଳି ଆଶାରେ ପରିବାର ମୃତଦେହକୁ ସଂରକ୍ଷଣ କରିଥିବା ପୋଲିସ ଜାଣିବାକୁ ପାଇଛି।

ମାଲାଡ୍‌ ଅଞ୍ଚଳର ଏକ ମେଡିକାଲ୍‌ କ୍ଲିନିକ୍‌ରେ ଫ୍ରିଜର ଭିତରେ ମୃତଦେହଟି ରହିଥିବା ନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। କିନ୍ତୁ ମୃତକଙ୍କ ପରିଚୟ ଏବଂ ପରିବାରର ପରିଚୟ ପୋଲିସ ପକ୍ଷରୁ ପ୍ରକାଶ କରାଯାଇନାହିଁ।

ପୋଲିସର ସୂଚନା ଅନୁସାରେ, ପ୍ରାୟ ୪ ବର୍ଷ ପୂର୍ବେ ୮୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ସାଧାରଣ ଭାବେ ଶେଷକୃତ୍ୟ କରିବା ବଦଳରେ ପରିବାର ତାଙ୍କ ମୃତଦେହକୁ କ୍ଲିନିକ୍‌ରେ ଫ୍ରିଜରରେ ସଂରକ୍ଷଣ କରି ରଖିବାକୁ ଅନୁରୋଧ କରିଥିଲେ। ପରିବାର ଲୋକେ ଭାବିଥିଲେ ଯେ ଭବିଷ୍ୟତରେ ବିଜ୍ଞାନ ଓ ଚିକିତ୍ସା ବହୁତ ଉନ୍ନତ ହେଲେ ମୃତ ମଣିଷଙ୍କୁ ପୁଣି ଜୀବିତ କରିବା ସମ୍ଭବ ହୋଇପାରେ। ଏହି ଆଶାରେ ମୃତଦେହକୁ ନଷ୍ଟ ନକରି ସଂରକ୍ଷଣ କରିବାକୁ ସେମାନେ ଚାହିଁଥିଲେ।

ପରିବାର ମୃତଦେହକୁ ଆମେରିକାର ଏକ କ୍ରାୟୋନିକ୍ସ କେନ୍ଦ୍ରକୁ ପଠାଇବାକୁ ଚାହୁଁଥିଲେ। ସେଠାରେ ଅତ୍ୟନ୍ତ କମ୍‌ ତାପମାତ୍ରାରେ ଦୀର୍ଘ ସମୟ ପାଇଁ ମାନବ ଶରୀର ସଂରକ୍ଷଣ କରାଯାଏ। ତେଣୁ ମୃତଦେହକୁ ଚିରଦିନ ପାଇଁ କ୍ଲିନିକ୍‌ରେ ରଖିବା ନୁହେଁ; ଆମେରିକାର କ୍ରାୟୋନିକ୍ସ କେନ୍ଦ୍ରକୁ ପଠାଇବା ପାଇଁ ଏହାକୁ ସଂରକ୍ଷଣ କରି ରଖିବା ପରିବାରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ପୋଲିସ କହିଛି।

ଏହା କ୍ରାୟୋନିକ୍ସ କି?

ମାଲାଡ୍‌ କ୍ଲିନିକ୍‌ରେ ମୃତଦେହ ରଖାଯିବା ବୈଜ୍ଞାନିକ କ୍ରାୟୋନିକ୍ସ ପ୍ରକ୍ରିୟାର ଅଂଶ ନୁହେଁ। କ୍ରାୟୋନିକ୍ସରେ ମୃତ୍ୟୁ ପରେ ଶରୀରକୁ ବିଶେଷ ପ୍ରକ୍ରିୟାରେ ଅତ୍ୟନ୍ତ କମ୍‌ ତାପମାତ୍ରାରେ ସଂରକ୍ଷଣ କରାଯାଏ। ଭବିଷ୍ୟତରେ ଚିକିତ୍ସା ବିଜ୍ଞାନ ଏଭଳି ସ୍ତରରେ ପହଞ୍ଚିବାର ଆଶା ଏହାର ମୁଖ୍ୟ ଉଦ୍ଦେଶ୍ୟ, ଯେଉଁଠାରେ ସଂରକ୍ଷିତ ଶରୀରକୁ ପୁନର୍ଜୀବିତ କରିବା ସମ୍ଭବ ହୋଇପାରେ। ବର୍ତ୍ତମାନ ସୁଦ୍ଧା ମୃତ ମଣିଷଙ୍କୁ କ୍ରାୟୋନିକ୍ସ ମାଧ୍ୟମରେ ଭବିଷ୍ୟତରେ ପୁଣି ଜୀବିତ କରିବାର କୌଣସି ପ୍ରମାଣିତ ଚିକିତ୍ସା ପ୍ରଣାଳୀ ନାହିଁ। କୋଷ, ଟିସ୍ୟୁ ଏବଂ ଭ୍ରୂଣକୁ ଅତ୍ୟନ୍ତ କମ୍‌ ତାପମାତ୍ରାରେ ସଂରକ୍ଷଣ କରିବା ଚିକିତ୍ସା ବିଜ୍ଞାନରେ ପ୍ରଚଳିତ ହୋଇଥିଲେ ମଧ୍ୟ, ସମ୍ପୂର୍ଣ୍ଣ ମାନବ ଶରୀରକୁ ଭବିଷ୍ୟତରେ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ଦୀର୍ଘ ସମୟ ସଂରକ୍ଷଣ କରିବା ଏବେ ବି ପରୀକ୍ଷାମୂଳକ ବିଷୟ।

ଫ୍ରିଜରରେ ରଖିବା ଓ କ୍ରାୟୋନିକ୍ସ ଏକ ନୁହେଁ

ଭାରତରେ ଏକ ଚର୍ଚ୍ଚିତ ମାମଲାରେ ଆଧ୍ୟାତ୍ମିକ ନେତା ଆଶୁତୋଷ ମହାରାଜଙ୍କ ମୃତଦେହକୁ ତାଙ୍କ ଅନୁଗାମୀମାନେ ବାଣିଜ୍ୟିକ ଫ୍ରିଜରରେ ସଂରକ୍ଷଣ କରିଥିଲେ। ୨୦୧୪ରେ ତାଙ୍କୁ କ୍ଲିନିକାଲି ମୃତ ଘୋଷଣା କରାଯାଇଥିଲେ ମଧ୍ୟ, ଅନୁଗାମୀମାନେ ସେ ଗଭୀର ଧ୍ୟାନ ବା ‘ସମାଧି’ ଅବସ୍ଥାରେ ଥିବା ଦାବି କରିଥିଲେ। ଏହି ପ୍ରସଙ୍ଗରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ମୃତଦେହକୁ ଫ୍ରିଜରରେ ରଖିବା ଜାରି ରଖିବାକୁ ଅନୁମତି ଦେଇଥିଲେ।

ତେବେ ଏକ ମୃତଦେହକୁ କେବଳ ଅସ୍ଥାୟୀ ଭାବେ ଥଣ୍ଡାରେ ରଖିବା ଏବଂ ଭବିଷ୍ୟତରେ ପୁନର୍ଜୀବନ ଆଶାରେ କ୍ରାୟୋନିକ୍ସ ମାଧ୍ୟମରେ ଦୀର୍ଘ ସମୟ ସଂରକ୍ଷଣ କରିବା ଦୁଇଟି ଭିନ୍ନ ବିଷୟ।

ମୃତ୍ୟୁକୁ ଲୁଚାଇବା, ଠକେଇ କରିବା କିମ୍ବା ମୃତ ବ୍ୟକ୍ତିଙ୍କ ପେନ୍‌ସନ୍‌ ଭଳି ସୁବିଧା ବେଆଇନ ଭାବେ ନେବା ଉଦ୍ଦେଶ୍ୟରେ ମୃତଦେହକୁ ଗୋପନ ରଖାଯାଇଥିଲେ ତାହା ଗୁରୁତର ଆଇନଗତ ସମସ୍ୟା ସୃଷ୍ଟି କରିପାରେ।

ଭାରତରେ କ’ଣ କହୁଛି ଆଇନ?

ଭାରତରେ କ୍ରାୟୋନିକ୍ସକୁ ସ୍ପଷ୍ଟ ଭାବେ ଅନୁମତି ଦେଉଥିବା କିମ୍ବା ନିଷେଧ କରୁଥିବା କୌଣସି ସ୍ୱତନ୍ତ୍ର ଆଇନ ନାହିଁ। ତେବେ ମୃତଦେହ ସଂରକ୍ଷଣ ପ୍ରସଙ୍ଗ ସାମ୍ବିଧାନିକ ଅଧିକାର, ଅପରାଧିକ ଆଇନ ଓ ଚିକିତ୍ସା ସମ୍ବନ୍ଧୀୟ ନିୟମ ସହ ଜଡ଼ିତ। ସୁପ୍ରିମକୋର୍ଟ ମଧ୍ୟ ବିଭିନ୍ନ ରାୟରେ ମୃତ ବ୍ୟକ୍ତିଙ୍କ ମୃତଦେହକୁ ମଧ୍ୟ ସମ୍ମାନ ଓ ମର୍ଯ୍ୟାଦାର ସହ ବ୍ୟବହାର କରିବାର ଆବଶ୍ୟକତା ‌ଅଛି ଗୁରୁତ୍ୱାରୋପ କରିଥିଲେ।

ମାଲାଡ୍‌ର ଏହି ଘଟଣାରେ ପରିବାର କିମ୍ବା କ୍ଲିନିକ୍‌ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇନଥିବା ଜଣାପଡ଼ିଛି। ଜଣେ ସୂଚନାଦାତାଙ୍କଠାରୁ ଖବର ପାଇ ପୋଲିସ ଘଟଣା ସମ୍ପର୍କରେ ଜାଣିଥିଲା। ବର୍ତ୍ତମାନ ମୃତଦେହକୁ ଏଭଳି ଭାବେ ଦୀର୍ଘ ସମୟ ସଂରକ୍ଷଣ କରିବାର ଆଇନଗତ ବୈଧତା ଏବଂ କେତେ ଦିନ ପର୍ଯ୍ୟନ୍ତ ଏହାକୁ ରଖାଯାଇପାରିବ, ସେନେଇ ପୋଲିସ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ନେଉଛି। ଏହି ଘଟଣାରେ ମୃତ ବ୍ୟକ୍ତିଙ୍କ ଶେଷକୃତ୍ୟ କେବେ ଏବଂ କିପରି କରାଯିବ, ସେନେଇ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।