Bollywood Director Sanjay Gupta Dies at 59: ଆଉ ନାହାନ୍ତି ‘କାଣ୍ଟେ’ ଓ ‘କାବିଲ୍‌’ର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା, ୫୯ ବର୍ଷ ବୟସରେ ପରଲୋକ

Oct 31, 2026 - 13:39
Bollywood Director Sanjay Gupta Dies at 59: ଆଉ ନାହାନ୍ତି ‘କାଣ୍ଟେ’ ଓ ‘କାବିଲ୍‌’ର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା, ୫୯ ବର୍ଷ ବୟସରେ ପରଲୋକ

ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ପରଲୋକ।

ମୁମ୍ବାଇସ୍ଥିତ ନିଜ ବାସଭବନରେ ତାଙ୍କର ମୃତ୍ୟୁ ହୋଇଛି।

ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା।

'ଜଙ୍ଗ୍‌', 'କାଣ୍ଟେ', 'ସୁଟ୍‌ଆଉଟ୍‌ ଆଟ୍‌ ୱାଡାଲା' ଓ 'କାବିଲ୍‌' ଭଳି ଲୋକପ୍ରିୟ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ।

ଏ ନେଇ ତାଙ୍କର ଜଣେ ନିକଟତମ ସହଯୋଗୀ ମିଲାପ ଜାଭେରୀ ମୃତ୍ୟୁ ଖବର ସ୍ପଷ୍ଟ କରିଛନ୍ତି।

Advertisment ତେବେ ସଞ୍ଜୟଙ୍କ ମୃତ୍ୟୁର ପ୍ରକୃତ କାରଣ ନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ।

ପ୍ରାଥମିକ ସୂଚନା ଅନୁସାରେ, ଗତକାଲି ରାତିରେ ସେ ନିଜ ବାଥରୁମ୍‌ରେ ପଡ଼ିଯାଇଥିଲେ।

ତେବେ ଏହି ଘଟଣା ସମ୍ପର୍କରେ କେହି ଜାଣିପାରିନଥିଲେ।

ଆଜି ସକାଳେ ତାଙ୍କ ମୃତ୍ୟୁ ବିଷୟରେ ଜଣାପଡ଼ିଥିଲା।

ମୁଣ୍ଡରେ ଆଘାତ ଲାଗିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଜଣାଇଛନ୍ତି।

ଏହି ଘଟଣାକୁ ନେଇ ଭର୍ସୋଭା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସଞ୍ଜୟ ଗୁପ୍ତାଙ୍କ ମୃତ୍ୟୁ ଖବରରେ ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି।

ସଞ୍ଜୟ ଗୁପ୍ତା ୧୯୯୪ ମସିହାରେ 'ଆତିଶ୍‌: ଫିଲ୍‌ ଦ ଫାୟାର' ଫିଲ୍ମ ଜରିଆରେ ନିର୍ଦ୍ଦେଶକ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।

୨୦୦୨ରେ ମୁକ୍ତିଲାଭ କରିଥିବା 'କାଣ୍ଟେ' ତାଙ୍କୁ ବଡ଼ ସଫଳତା ଦେଇଥିଲା।

ଏହି ଫିଲ୍ମରେ ଅମିତାଭ ବଚ୍ଚନ, ସଞ୍ଜୟ ଦତ୍ତ, ସୁନୀଲ ସେଟ୍ଟୀ, ଲକି ଅଲି ଓ ମହେଶ ମାଞ୍ଜରେକରଙ୍କ ଭଳି ଅଭିନେତା ଅଭିନୟ କରିଥିଲେ।

ଏହାପରେ ଗ୍ୟାଙ୍ଗଷ୍ଟର ଓ କ୍ରାଇମ୍‌ ଥ୍ରିଲର୍‌ ଭଳି ଫିଲ୍ମ ନିର୍ମାଣରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

Advertisment ତେବେ ସେ ତାଙ୍କ କ୍ୟାରିଅରରେ ସଫଳତା ପାଇପାରିନଥିଲେ।

ସଞ୍ଜୟ ନିଜେ ତାଙ୍କ ୨୫ ବର୍ଷର କ୍ୟାରିୟରକୁ ସଫଳତା ଓ ବିଫଳତାର ମିଶ୍ରଣ ବୋଲି କହିଥିଲେ।

'କାଣ୍ଟେ'ର ସଫଳତା ପରେ ସଞ୍ଜୟ ଦତ୍ତଙ୍କ ସହ ମତଭେଦ ଯୋଗୁଁ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ମିଳିବା କଷ୍ଟକର ହୋଇପଡ଼ିଥିଲା।

ତାଙ୍କ କହିବା ଅନୁସାରେ, ସଞ୍ଜୟ ଦତ୍ତଙ୍କ ସହ ବିବାଦ ପରେ ଅନେକ ଲୋକ ତାଙ୍କ ସହ କାମ ନକରିବାକୁ ଅନ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ସମୟକୁ ସେ ନିଜ ଜୀବନର ସବୁଠାରୁ କଠିନ ସମୟ ବୋଲି କହିଥିଲେ।

ଫିଲ୍ମ ଜଗତରେ ଆଉ କାମ ମିଳିବ ନାହିଁ ବୋଲି ଭାବି ସେ ଖଣ୍ଡାଲାର ଏକ ହୋଟେଲରେ ସପ୍ତାହକୁ ଚାରି ଦିନ କାମ କରିବା ଆରମ୍ଭ କରିଥିଲେ।

ଏପରିକି ନିର୍ଦ୍ଦେଶନା ଛାଡ଼ିଦେବାକୁ ମଧ୍ୟ ଚିନ୍ତା କରିଥିଲେ।

କିନ୍ତୁ ପୁଅର ଜନ୍ମ ପରେ ତାଙ୍କ ଚିନ୍ତାଧାରା ବଦଳିଥିଲା।

ପୁଅକୁ କୋଳରେ ଧରିବା ପରେ ସେ ପୁଣିଥରେ ଫିଲ୍ମ ନିର୍ମାଣକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ।

ଏହାପରେ ସେ ନିର୍ମାତା ଏକତା କପୁରଙ୍କ ସହ ଯୋଗାଯୋଗ କରିଥିଲେ।

ପରେ ଜନ୍ ଆବ୍ରାହମ୍‌ ଓ ଅନିଲ କପୁରଙ୍କ ଭଳି ଅଭିନେତା ତାଙ୍କ ସହ କାମ କରିବାକୁ ରାଜି ହୋଇଥିଲେ।

୨୦୧୩ରେ 'ସୁଟ୍‌ଆଉଟ୍‌ ଆଟ୍‌ ୱାଡାଲା' ଜରିଆରେ ସଞ୍ଜୟ ପୁଣିଥରେ ନିର୍ଦ୍ଦେଶନା ଜଗତକୁ ଫେରିଥିଲେ।

ଏହାପରେ ୨୦୧୫ରେ 'ଜଜ୍‌ବା', ୨୦୧୭ରେ 'କାବିଲ୍‌' ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ।

ପରବର୍ତ୍ତୀ ସମୟରେ 'ମୁମ୍ବାଇ ସାଗା', 'ଭିସ୍ଫୋଟ୍‌' ଓ 'ଦ ମିରାଣ୍ଡା ବ୍ରଦର୍ସ' ଭଳି ଫିଲ୍ମରେ ମଧ୍ୟ କାମ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।