Bumrah Injury Concerns Rise: ‘ବୁମରାଙ୍କ ବିନା ଖେଳିବାକୁ ପ୍ରସ୍ତୁତ ରୁହନ୍ତୁ’, ଟିମ୍ ଇଣ୍ଡିଆକୁ ବଡ଼ ଚେତାବନୀ
ଟିମ୍ ଇଣ୍ଡିଆର ଷ୍ଟାର୍ ପେସର୍ ଯଶପ୍ରୀତ ବୁମରାଙ୍କୁ ନେଇ ବଢ଼ିଲା ଚିନ୍ତା। ବାରମ୍ବାର ଆଘାତ ସମସ୍ୟା ଯୋଗୁଁ ତାଙ୍କ ଦୀର୍ଘକାଳୀନ ଉପଲବ୍ଧତା ଉପରେ ପ୍ରଶ୍ନ ଉଠିଛି। ଏପରିକି ଆଗାମୀ ଦିନରେ, ବିଶେଷକରି ଟେଷ୍ଟ କ୍ରିକେଟ୍ରେ ବୁମରାଙ୍କ ବିନା ଖେଳିବା ପାଇଁ ଟିମ୍ ଇଣ୍ଡିଆକୁ ପ୍ରସ୍ତୁତ ହେବାକୁ ପଡ଼ିପାରେ। ଏନେଇ ବିସିସିଆଇ'ର ସୂତ୍ରକୁ ଉଦ୍ଧୃତ କରି ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ କରିଛି।
ବୁମରାଙ୍କ ନିକଟରେ ଆଘାତ ଯୋଗୁଁ ଶ୍ରୀଲଙ୍କା ବିପକ୍ଷ ଦୁଇଟି ଟେଷ୍ଟରୁ ବାଦ ପଡ଼ିଛନ୍ତି। ଇଂଲଣ୍ଡ ବିପକ୍ଷ ସଦ୍ୟ ସମାପ୍ତ ଦିନିକିଆ ସିରିଜ୍ ସମୟରେ ତାଙ୍କ ଆଣ୍ଠୁରେ ସମସ୍ୟା ଦେଖାଦେଇଥିଲା। ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସିରେ ତାଙ୍କ ରିକଭରି ଉପରେ ଖୁବ୍ ସତର୍କତାର ସହ କାମ ଚାଲିଛି ଏବଂ ଏପର୍ଯ୍ୟନ୍ତ ତାଙ୍କ ଫେରିବାର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇନାହିଁ।
ରିପୋର୍ଟ ଅନୁସାରେ, ଦୀର୍ଘ ଫର୍ମାଟ୍ରେ ବୁମରାଙ୍କୁ ନେଇ ଅଧିକ ସତର୍କ ରହିବା ସହ ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ତାଙ୍କୁ ଦିନିକିଆ ପାଇଁ ଅଧିକ ପ୍ରାଥମିକତା ଦିଆଯାଇପାରେ।
ହେଲେ ବୁମରାଙ୍କ ଅନୁପସ୍ଥିତି ଭାରତର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ୨୦୨୫-୨୭ ଫାଇନାଲ୍ ଦୌଡ଼କୁ ପ୍ରଭାବିତ କରିପାରେ। ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଟେଷ୍ଟଗୁଡ଼ିକରେ ଭାରତକୁ ଭଲ ସଂଖ୍ୟକ ବିଜୟ ଆବଶ୍ୟକ।
ବୁମରାଙ୍କ ଅନୁପସ୍ଥିତିରେ ଶ୍ରୀଲଙ୍କା ଗସ୍ତ ପାଇଁ ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣ, ଗୁରନୂର ବ୍ରାର ଓ ଆକିବ ନବୀ ଦାରଙ୍କ ଉପରେ ଭାରତର ପେସ୍ ବୋଲିଂ ଦାୟିତ୍ୱ ରହିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।