Car Plunges Off Bridge: ଭୟଙ୍କର ଦୁର୍ଘଟଣା: ବ୍ରିଜରୁ ଖସିଲା କାର; ୩ ମୃତ, ଜଣେ ଗୁରୁତର
ମୁମ୍ବାଇର ପ୍ରସିଦ୍ଧ କୋଷ୍ଟାଲ ରୋଡ୍ ବ୍ରିଜ୍ରୁ ଏକ ଦ୍ରୁତଗାମୀ କାର୍ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିବାରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଭୟଙ୍କର ଦୁର୍ଘଟଣାରେ କାର୍ରେ ଥିବା ତିନି ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଯାତ୍ରୀଙ୍କର ଅବସ୍ଥା ଗୁରୁତର ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ଭୋର୍ ପ୍ରାୟ ୫ଟା ୨୦ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଛି। ଏକ କଳା ରଙ୍ଗର ଦାମୀ କାର୍ ମେରାଇନ୍ ଡ୍ରାଇଭ୍ ପଟୁ ହାଜି ଅଲ୍ଲୀ ଆଡ଼କୁ ଅତ୍ୟନ୍ତ ଦ୍ରୁତ ଗତିରେ ଯାଉଥିଲା। ଡ୍ରାଇଭର୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହା ବ୍ରିଜ୍ରୁ ତଳକୁ ଖସିପଡ଼ିଥିଲା।
ଦୁର୍ଘଟଣା ଘଟିବା କ୍ଷଣି ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଚାରିଜଣଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ମୃତକଙ୍କ ମଧ୍ୟରୁ ଦୁଇଜଣଙ୍କ ପରିଚୟ ମିଳିଛି। ଜଣେ ୨୧ ବର୍ଷୀୟ ଯୁବକ ଶନୟ ଗଜ୍ଜଲ ଏବଂ ଅନ୍ୟ ଜଣେ ୧୭ ବର୍ଷୀୟ ନାବାଳକ। ତୃତୀୟ ମୃତକଙ୍କ ବୟସ ପ୍ରାୟ ୨୫ ବର୍ଷ ହୋଇଥିବାବେଳେ ତାଙ୍କର ପରିଚୟ ଏଯାଏଁ ମିଳିପାରି ନାହିଁ।
ସେହିପରି ଗାଡ଼ିରେ ଥିବା ଚତୁର୍ଥ ଯାତ୍ରୀ ଜଣଙ୍କର ବୟସ ପ୍ରାୟ ୨୦ ବର୍ଷ ବୋଲି ଜଣାପଡ଼ିଛି। ସେ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲର ଟ୍ରମା ୱାର୍ଡରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି।
ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ପୋଲିସ ଏକ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, ମୁମ୍ବାଇ କୋଷ୍ଟାଲ ରୋଡ୍ ହେଉଛି ଦକ୍ଷିଣ ମୁମ୍ବାଇର ମେରାଇନ୍ ଡ୍ରାଇଭ୍କୁ ବାନ୍ଦ୍ରା-ୱର୍ଲି ସି' ଲିଙ୍କର ୱର୍ଲି ଶେଷ ସୀମା ସହିତ ସଂଯୋଗ କରୁଥିବା ଏକ ୧୦.୫୮ କିଲୋମିଟରର ରାସ୍ତା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।