Car Swept Into Floodwaters: ଭୟଙ୍କର ଦୃଶ୍ୟ; ବନ୍ୟା ପାଣିରେ ଖସି ବୁଡ଼ିଗଲା କାର୍, ମୃତ୍ୟୁ ମୁହଁରୁ ବର୍ତ୍ତିଲେ ୨ ଜଣ
ବନ୍ୟା ପାଣିରେ ବୁଡ଼ିଥିଲା ରାସ୍ତା.. ଜାଣିପାରିଲେନି ଚାଳକ। ହଠାତ୍ ପାଣି ସ୍ରୋତରେ ତଳକୁ ଖସିଗଲା କାର। ଯାଜପୁର କୟାଁଗୋଲା ତରଭା ନିକଟରୁ ଆସିଛି ଭୟଙ୍କର ଦୃଶ୍ୟ। ବୈତରଣୀ ନଦୀର ବନ୍ୟାଜଳରେ ରାସ୍ତା ବୁଡ଼ିଯାଇଥିବା ବେଳେ ସେହି ରାସ୍ତାରେ ଯାଉଥିବା ଏକ କାର ହଠାତ୍ ପାଣି ସ୍ରୋତରେ ରାସ୍ତା ତଳକୁ ଖସି ବୁଡ଼ିଯାଇଥିଲା। କାର ଭିତରେ ଥିଲେ ଦୁଇଜଣ। ଘଟଣା ଘଟିବା ପରେ ସୃଷ୍ଟି ହୋଇଥିଲା ଆତଙ୍କର ପରିବେଶ। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ।
ଆରମ୍ଭ ହୋଇଥିଲା ଜୋରଦାର ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ସହଯୋଗ କରିଥିଲେ। ଶେଷରେ କାରରେ ଥିବା ଦୁଇଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଚାନ୍ଦବାଲିରୁ ଯାଜପୁର ଆସୁଥିବା ବେଳେ ରାସ୍ତା ବନ୍ୟା ପାଣିରେ ବୁଡ଼ିଥିବା ଜାଣିନପାରି କାରଟି ଫସିଯାଇଥିବା ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ମିଳିଛି। ବନ୍ୟା ପାଣିରେ ବୁଡ଼ିଥିବା ରାସ୍ତାରେ ଗାଡ଼ି ଚଳାଚଳ କେତେ ବିପଦପୂର୍ଣ୍ଣ, ଏହି ଘଟଣା ତାହାର ଏକ ବଡ଼ ଉଦାହରଣ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।