CCTV Captures Shocking Axe Attack: ଅବୈଧ ସମ୍ପର୍କକୁ ନେଇ ହତ୍ୟା, ଯୁବକଙ୍କୁ ୧୭ ଥର କୁରାଢ଼ି ମାଡ଼ ପରେ...
ଜଣେ ୨୬ ବର୍ଷୀୟ ଯୁବକଙ୍କୁ ତାଙ୍କ ପତ୍ନୀଙ୍କ ପ୍ରେମିକ ଅବୈଧ ସମ୍ପର୍କକୁ କେନ୍ଦ୍ର କରି କୁରାଢ଼ିରେ ୧୭ ଥର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଶନିବାର ମୁଜାଫରନଗରର ବୁଢ଼ାନା ଅଞ୍ଚଳରେ ଘଟିଥିବା ଏହି ଆକ୍ରମଣରେ ଗୁରୁତର ଆହତ ଯୁବକଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଛି।
ପୋଲିସ ସୂଚନା ଅନୁସାରେ, ମୃତକ ତାଲିବଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତ ୨୫ ବର୍ଷୀୟ ଆସିମକୁ ରବିବାର ଏକ ଏନକାଉଣ୍ଟର ପରେ ଗିରଫ କରାଯାଇଛି।
ଉତ୍ତରପ୍ରଦେଶର ମୀରଟ ଅଞ୍ଚଳରେ ଘଟିଛି ଏହି ଘଟଣା । CCTV କ୍ୟାମେରାରେ ଏହି ଭୟାବହ ଘଟଣା କଏଦ ହୋଇଛି। ଭିଡିଓରେ ଆସିମ ଏକ ଧାରୁଆ ଅସ୍ତ୍ରରେ ଦିନ ଦ୍ୱିପ୍ରହରରେ ତାଲିବଙ୍କ ଉପରେ ବାରମ୍ବାର ଆକ୍ରମଣ କରୁଥିବା ଦେଖାଯାଇଥିବା ପୋଲିସ କହିଛି। ଆକ୍ରମଣ ପୂର୍ବରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ଜଣାପଡ଼ିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗୁଜରାଟରେ ୱେଲ୍ଡର ଭାବେ କାମ କରୁଥିବା ତାଲିବ ଅଗଷ୍ଟ ୪ ତାରିଖରେ ବୁଢ଼ାନାସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଆସିଥିଲେ। ତାଙ୍କ ପତ୍ନୀ ଫୋନ୍ କରି ଏକ ଜରୁରୀ କାମ ଥିବା କହିବା ପରେ ସେ କାମ ଛାଡ଼ି ଘରକୁ ଆସିଥିଲେ।
ଏହି ଘଟଣାକୁ ନେଇ ଆସିମ ଏବଂ ତାଲିବଙ୍କ ପତ୍ନୀ ମୀନାଙ୍କ ବିରୋଧରେ BNS ଧାରା ୧୦୩ (ହତ୍ୟା) ଏବଂ ୬୧-୨ (ଅପରାଧିକ ଷଡ଼ଯନ୍ତ୍ର) ଅନୁଯାୟୀ ମାମଲା ରୁଜୁ ହୋଇଛି। ତାଲିବଙ୍କ ଭାଇ ଆକିଲ ନିଜ ଅଭିଯୋଗରେ ମୀନା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି।
ବୁଢ଼ାନାର ପୋଲିସ ସର୍କଲ ଅଫିସର ଗଜେନ୍ଦ୍ର ପାଲ ସିଂହ କହିଛନ୍ତି, ଆସିମ ଫେରାର ଥିଲା। ରବିବାର ମାଣ୍ଡୱାଡାରୁ ଲୁହାସନା ଗାଁ ଆଡ଼କୁ ଯାଉଥିବା ସୂଚନା ପୋଲିସକୁ ମିଳିଥିଲା।
ପୋଲିସ କହିଛି ଯେ, ଆସିମ ପୋଲିସକୁ ଦେଖି ଆଖୁ ବିଲରେ ଲୁଚିବାକୁ ଚେଷ୍ଟା କରିଥିଲା। ପରେ ସେ ପୋଲିସ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲା। ପୋଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇବାରୁ ଗୋଟିଏ ଗୁଳି ତା ଗୋଡ଼ରେ ବାଜିଥିଲା। ଏହାପରେ ତାକୁ ବୁଢ଼ାନାର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ପଚରାଉଚରା ସମୟରେ ଆସିମ ଅପରାଧ ସ୍ୱୀକାର କରିଥିବା ପୋଲିସ କହିଛି। ତାଠାରୁ ଆକ୍ରମଣରେ ବ୍ୟବହୃତ ଧାରୁଆ ଅସ୍ତ୍ର ସହିତ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।