Celebrate Diwali: ବନ୍ୟା ବିପନ୍ନଙ୍କ ସହ ଦୀପାବଳି ପାଳିବ ଗଞ୍ଜାମ ପ୍ରଶାସନ, ବଣ୍ଟନ ହେବ ସ୍ୱତନ୍ତ୍ର କିଟ୍
ଛତ୍ରପୁର: ବନ୍ୟା ର କରାଳ ରୂପ ଯେଉଁଠି ଛଡ଼ାଇ ନେଇଥିଲା ହସ ଓ ଆନନ୍ଦ, ସେଠାରେ ପୁଣି ଖୁସିର ଆଲୋକ ଜାଳିବାକୁ ଆଗେଇ ଆସିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।
ବନ୍ୟା ବିପନ୍ନଙ୍କ ଦୁଃଖରେ ସାମିଲ ହେବା ସହ ସେମାନଙ୍କ ମୁହଁରେ ହସ ଫୁଟାଇବା ଲକ୍ଷ୍ୟରେ ଚଳିତ ଦୀପାବଳିକୁ ସେମାନଙ୍କ ସହ ପାଳନ କରିବାକୁ ଏକ ମାନବିକ ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ।
ଏହି ଅବସରରେ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳକୁ ପ୍ରଶାସନିକ ଅଧିକାରୀମାନେ ଯାଇ ସ୍ଥାନୀୟ ଲୋକଙ୍କ ସହ ଦୀପାବଳି ପାଳନ କରିବେ।
ବନ୍ୟା ପ୍ରଭାବିତ ପରିବାରଗୁଡ଼ିକ ଯେପରି ଏହି ଦୁର୍ଦ୍ଦିନରେ ନିଜକୁ ଏକାକୀ ମନେ ନ କରନ୍ତି, ସେଥିପାଇଁ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ସୁଖଦୁଃଖର ସାଥୀ ହେବ।
Advertisment ଦୀପାବଳି ଅବସରରେ ବିପନ୍ନ ପରିବାରଗୁଡ଼ିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର 'ଦୀପାବଳି କିଟ୍' ବଣ୍ଟନ କରାଯିବ।
ଏହି କିଟ୍ରେ ଦୀପ, ସଳିତା, ମିଠା, ଲୁଙ୍ଗି, ଶାଢ଼ି ସମେତ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ରହିବ।
ଫଳରେ ବନ୍ୟାରେ କ୍ଷତିଗ୍ରସ୍ତ ହୋଇ ଆର୍ଥିକ ଓ ମାନସିକ ଦୁର୍ଦ୍ଦଶା ଭୋଗୁଥିବା ପରିବାରଗୁଡ଼ିକ ମଧ୍ୟ ଆନନ୍ଦ ଓ ଶ୍ରଦ୍ଧାର ସହ ଆଲୋକର ପର୍ବ ପାଳନ କରିପାରିବେ।
ଏନେଇ ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡିଠାରେ ଓରମାସ ପକ୍ଷରୁ ଦୀପାବଳି କିଟ୍ ପ୍ରସ୍ତୁତି କାର୍ଯ୍ୟ ଚାଲିଛି।
ବିଭିନ୍ନ ମହିଳା ସଂଘର ସଦସ୍ୟାମାନେ ଏକତ୍ରିତ ହୋଇ ବ୍ୟାଗ୍ରେ ଆବଶ୍ୟକ ସାମଗ୍ରୀଗୁଡ଼ିକୁ ସୁବ୍ୟବସ୍ଥିତ ଭାବେ ରଖୁଛନ୍ତି।
ଏହି ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି.
କୀର୍ତ୍ତି ଭାସନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ସମୀର କୁମାର ଜେନା ଏବଂ ଓରମାସ୍ର ଡେପୁଟି ସିଇଓ ରାଜଗୋପାଳ ଦାଶ ଚମାଖଣ୍ଡିଠାରେ ପହଞ୍ଚି ସ୍ଥିତି ପରଖିବା ସହ ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା କରିଥିଲେ।
ଆଶାର ଆଲୋକ ଜାଳିବା ହିଁ ଦୀପାବଳିର ପ୍ରକୃତ ବାର୍ତ୍ତା ପ୍ରଶାସନର ଏହି ପଦକ୍ଷେପ କେବଳ ସହାୟତା ବଣ୍ଟନରେ ସୀମିତ ନ ରହି ବିପନ୍ନଙ୍କ ମନରେ ଆତ୍ମବିଶ୍ୱାସ ଓ ଆଶା ସଞ୍ଚାର କରିବାର ଏକ ପ୍ରୟାସ।
ନିଜ ଘରର ଅନ୍ଧକାର ଦୂର କରିବା ସହ ଅନ୍ୟର ଜୀବନରେ ଆଶାର ଆଲୋକ ଜାଳିବା ହିଁ ଦୀପାବଳିର ପ୍ରକୃତ ବାର୍ତ୍ତା।
ଗଞ୍ଜାମ ପ୍ରଶାସନର ଏହି ମାନବିକ ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଉଛି।
Neradi Barrage Project: ନେରେଡି ବ୍ୟାରେଜ୍ ପ୍ରକଳ୍ପ ନେଇ ପାରଳାଖେମୁଣ୍ଡିରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେଲେ ଓଡ଼ିଶା-ଆନ୍ଧ୍ର ଅଧିକାରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।