CEO Conclave 2026: ‘ସମ୍ବାଦ ସିଇଓ କନ୍କ୍ଲେଭ୍ ୨୦୨୬’; ୧୦ ବର୍ଷରେ ସମୃଦ୍ଧିର ଶିଖର ଛୁଇଁବ ଓଡ଼ିଶା: ପୂଜାରୀ
ଭୁବନେଶ୍ବର: ଆମ ରାଜ୍ୟ ୯୦ ବର୍ଷର ହୋଇଛି। ଆଉ ୧୦ ବର୍ଷ ପରେଓଡ଼ିଶାକୁ ୧୦୦ ବର୍ଷ ହେବ। ୨୧ ବର୍ଷ ପରେ ସ୍ବାଧୀନ ଭାରତକୁ ୧୦୦ ବର୍ଷ ହେବ। ଏଭଳି ସମୟରେ ଆମ ସରକାର ଶାସନଭାର ଗ୍ରହଣ କରିଛି। ଆଗାମୀ ୧୦ ବର୍ଷରେ ଓଡ଼ିଶାର ପ୍ରଗତିକୁ ଆଗକୁ ନେବା ପାଇଁ ସରକାର ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଏହି ସମୟରେ ହିଁ ଓଡ଼ିଶା ସମୃଦ୍ଧି ଓ ଗୌରବ ଶିଖରରେ ପହଞ୍ଚିବ ବୋଲି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ‘ସମ୍ବାଦ ସିଇଓ କନ୍କ୍ଲେଭ୍’ର ପଞ୍ଚମ ସଂସ୍କରଣରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି।
Neglect: ଜନସାଧାରଣଙ୍କୁ ସୂଚନା ଦେଇପାରୁନି ବୈଦ୍ୟୁତିକ ଏଲଇଡ଼ି
‘ଭାରତର ପୂର୍ବ ଇଞ୍ଜିନ: ଓଡ଼ିଶା ନେତୃତ୍ବ ନେବାର ସମୟ’ ବିଷୟବସ୍ତୁ ଉପରେ ମତ ରଖି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ, ଅଢ଼େଇ ଲକ୍ଷ ଓଡ଼ିଆଙ୍କ ମତାମତକୁ ନେଇ ସରକାର ଓଡ଼ିଶା ପାଇଁ ନକ୍ସା ପ୍ରସ୍ତୁତ କରିଛନ୍ତି। ଜଳ, ଜଙ୍ଗଲ, ଖଣିଜ ସମ୍ପଦ ଆଦି କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟତମ ଶ୍ରେଷ୍ଠ ରାଜ୍ୟ ହେବ। ଓଡ଼ିଶା ହେଉଛି ଏକ ସମ୍ଭାବନାର ରାଜ୍ୟ। ଆମ ପାଖରେ ପ୍ରତିଭା, ସମ୍ବଳ ଓ ଚିନ୍ତାଧାରା ରହିଛି। ଓଡ଼ିଶାକୁ ବିକାଶର ଶିଖରକୁ ନେବାକୁ ହେଲେ ଏହାକୁ ବ୍ୟବହାର କରିବାକୁ ପଡ଼ିବ। ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ।
‘୧୦୦ ବର୍ଷରେ ଓଡ଼ିଶା’ ଲୋଗୋ ଉନ୍ମୋଚିତ
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ଓଡ଼ିଶା ବିଷୟରେ ଆଲୋଚନା ବେଳେ ରାଜନୈତିକ ଅସ୍ଥିରତା କଥା ସାମନାକୁ ଆସିଥାଏ। ରାଜନୈତିକ ସ୍ଥିରତା ନଥିଲେ ବିକାଶ ଆଗକୁ ଯାଇପାରିବ ନାହିଁ। ୧୯୮୦ ମସିହାରୁ ଓଡ଼ିଶାରେ ରାଜନୈତିକ ସ୍ଥିରତା ଆସିଛି। ସେହି ରାଜନୈୖତିକ ସ୍ଥିରତାକୁ ବିକାଶ ଦିଗରେ ଉପଯୋଗ କରିବାର ଆବଶ୍ୟକତା ରହିଛି। ଗତ ସାଧାରଣ ନିର୍ବାଚନରେ ଓଡ଼ିଶା ୯୫ ପ୍ରତିଶତ ସମର୍ଥନ ଦେଇ ୨୦ ସାଂସଦଙ୍କୁ ଲୋକସଭାକୁ ପଠାଇଛି। ଅନ୍ୟ କୌଣସି ରାଜ୍ୟ ଏଭଳି ଯୋଗଦାନ ଦେଇନାହାନ୍ତି। ସେହି ଅନୁସାରେ କେନ୍ଦ୍ର ଓଡ଼ିଶାକୁ ସହଯୋଗ କରିବା ଦରକାର। ଓଡ଼ିଶା ଧନୀ, ଓଡ଼ିଆମାନେ କାହିଁକି ଗରିବ? ରାଜ୍ୟର ସମ୍ବଳକୁ ଉପଯୋଗ କରୁଥିବା ଶିଳ୍ପ ଜଗତ ଓ ଏହାର ସିଇଓମାନଙ୍କୁ ଉତ୍ତର ଦେବାକୁ ହେବ। ଏହି ଅପବାଦକୁ ରାଜ୍ୟ ମୁଣ୍ଡରୁ ହଟାଇବାକୁ ହେବ ବୋଲି ସେ କହିଥିଲେ।
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ କହିଲେ, ଓଡ଼ିଶାରେ ବ୍ୟାପକ ନିବେଶ ହେଉଛି। ଅଧିକରୁ ଅଧିକ ଶିଳ୍ପ ପ୍ରତିଷ୍ଠା ହେଉଛି। ତାହାର ପ୍ରଭାବରେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଡ଼ିଶାକୁ ୧୦୦ ବର୍ଷ ପୂରଣ ହେବାକୁ ଆଉ ୧୦ ବର୍ଷ ରହିଛି। ଏହି ୧୦ ବର୍ଷରେ ‘ସମ୍ବାଦ’ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବ। ସେଥିପାଇଁଁ ‘୧୦୦ ବର୍ଷରେ ଓଡ଼ିଶା’ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି। ଏହା ଅଧୀନରେ ଚଳିତ ବର୍ଷ ମହିଳାଙ୍କ ସମ୍ପର୍କରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଥିଲେ। ଏହି ଅବସରରେ ଆଇଏଏ (ଭାରତ ଶାଖା)ର ସଭାପତି ଅଭିଷେକ କର୍ଣ୍ଣାନି କହିଥିଲେ ଯେ ପୂର୍ବ ଭାରତରେ ସବୁବେଳେ ସମ୍ଭାବନା ଥିଲା। ବର୍ତ୍ତମାନ ତାହାକୁ ସ୍ବୀକୃତି ଦେବାର ସମୟ ଆସିଛି। ଲୋକମାନେ ନୂଆ ଚିନ୍ତାଧାରା ଗ୍ରହଣ କଲେ ଓ ଦକ୍ଷତାରେ ବିକାଶ ଆଣିଲେ ଅର୍ଥନୀତି ଆଗକୁ ବଢ଼ିବ। ଏଥିପାଇଁ ସମସ୍ତେ ପଢ଼ିବା ଦରକାର।
ଆର୍ କେ ସ୍ବାମୀ ହନ୍ସାର ଅଧ୍ୟକ୍ଷ ତଥା ଭାରତୀୟ ବିଜ୍ଞାପନ ଏଜେନ୍ସି ସଂଘର ସଭାପତି ଶ୍ରୀନିବାସନ କେ ସ୍ବାମୀ କହିଥିଲେ ଯେ ପୂର୍ବ ଭାରତର ଚାରିଟି ରାଜ୍ୟ ମଧ୍ୟରୁ ଓଡ଼ିଶା ମୁଣ୍ଡପିଛା ଆୟରେ ଆଗରେ ରହିଛି। ପଶ୍ଚିମବଙ୍ଗ ଓଡ଼ିଶାଠାରୁ ୩୦ ପ୍ରତିଶତ ତଳେ ରହିଛି। ଖଣିଜ ଓ ଶିଳ୍ପାୟନରେ ମଧ୍ୟ ଓଡ଼ିଶା ଆଗରେ ରହିଛି। କିନ୍ତୁ ଆଗକୁ ଆହୁରି ବହୁତ ପଦକ୍ଷେପ ଗ୍ରହଣ କରିବାକୁ ହେବ। ଏହି ଅବସରରେ ‘୧୦୦ ବର୍ଷରେ ଓଡ଼ିଶା’ ଲୋଗୋ ଉନ୍ମୋଚିତ ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।