Chainsaw Attacker Shot in Police Encounter: ସ୍କୁଲରେ ପଶି ଛାତ୍ରୀଙ୍କୁ କରତରେ ଆକ୍ରମଣ, ୨୪ ଘଣ୍ଟାରେ ଅଭିଯୁକ୍ତକୁ ଏନକାଉଣ୍ଟର

Nov 02, 2026 - 11:05
Chainsaw Attacker Shot in Police Encounter: ସ୍କୁଲରେ ପଶି ଛାତ୍ରୀଙ୍କୁ କରତରେ ଆକ୍ରମଣ, ୨୪ ଘଣ୍ଟାରେ ଅଭିଯୁକ୍ତକୁ ଏନକାଉଣ୍ଟର

ଶନିବାର ଆକ୍ରମଣ, ରବିବାର ଏନକାଊଣ୍ଟର।

ସ୍କୁଲ ଭିତରେ ପଶି ଛାତ୍ରୀଙ୍କୁ କରିଥିଲା ଆକ୍ରମଣ।

ଠିକ୍ ଗୋଟିଏ ଦିନ ପରେ ନିଜେ ପୋଲିସ ଗୁଳିରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି ଅଭିଯୁକ୍ତ।

ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ସରକାରୀ ସ୍କୁଲ ଭିତରେ ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କୁ କରତରେ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୋଲିସ।

ପୋଲିସକୁ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିଲା।

ଗୁଳିମାଡ଼ରେ ୨୧ ବର୍ଷୀୟ ଅଭିଯୁକ୍ତ ହେମନ୍ତ ଓରଫ ଡୁମ୍ମୁ ଗୁରୁତର ଆହତ ହୋଇଛି।

ତାକୁ ଧରିବା ପାଇଁ ପୋଲିସ ୬ ରାଉଣ୍ଡ ଗୁଳି ଚଳାଇଥିବା ସୂଚନା ମିଳିଛି।

Advertisment ପୋଲିସ ସୂତ୍ର ଅନୁସାରେ, ଅଭିଯୁକ୍ତ ଏକ ଜଙ୍ଗଲ ଅଞ୍ଚଳରେ ଲୁଚିଥିବା ନେଇ ସୂଚନା ମିଳିବା ପରେ ତାକୁ ଧରିବା ପାଇଁ ଏକ ଟିମ୍‌ ପହଞ୍ଚିଥିଲା।

ପୋଲିସ ତାକୁ କାବୁ କରିବାକୁ ଉଦ୍ୟମ କରିବା ସମୟରେ ସେ ଏକ ଛୁରିରେ ଆକ୍ରମଣ କରି ଖସିଯିବାକୁ ଚେଷ୍ଟା କରିଥିଲା।

ଏପରିକି ପୋଲିସ କର୍ମଚାରୀଙ୍କ ଉପରକୁ ପଥର ମାଡ଼ ମଧ୍ୟ କରିଥିଲା।

ଏଥିରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିଲେ।

ଫଳରେ ପୋଲିସ ଗୁଳି ଚଳାଇଥିଲା।

ଏହି ଘଟଣାରେ ଅଭିଯୁକ୍ତ ଗୁରୁତର ଆହତ ହୋଇଛି।

ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୩୧ ତାରିଖ ସକାଳ ପ୍ରାୟ ୧୦ଟା ୩୦ ମିନିଟ୍‌ରେ ଅନନ୍ତପୁର ଜିଲ୍ଲା ରାପ୍ତାଡୁ ଗାଁର ରାପ୍ତାଡୁ ଜିଲ୍ଲା ପରିଷଦ ହାଇସ୍କୁଲରେ କ୍ଲାସରୁମ୍‌ରେ ପାଠପଢ଼ା ଚାଲିଥିବା ବେଳେ ଅଭିଯୁକ୍ତ ଏକ କରତ ଧରି ଶ୍ରେଣୀଗୃହ ଭିତରକୁ ପଶିଥିଲା।

ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗୀତିକା ଓ ଲକ୍ଷ୍ମୀଙ୍କୁ ଆକ୍ରମଣ କରିଥିଲା।

Advertisment ଘଟଣା ସମୟରେ ଉପସ୍ଥିତ ଥିବା ଶିକ୍ଷୟିତ୍ରୀ ରାଜେଶ୍ୱରୀ କହିଛନ୍ତି, ସ୍କୁଲ ପରିସରରେ ନିର୍ମାଣ କାମ ଚାଲିଥିବାରୁ ପ୍ରଥମେ ମେସିନ୍‌ର ଶବ୍ଦକୁ କାମରେ ବ୍ୟବହୃତ ଯନ୍ତ୍ରର ଶବ୍ଦ ବୋଲି ଭାବିଥିଲେ।

ଅଭିଯୁକ୍ତ ବାହାରେ ମେସିନ୍‌ ଚାଲୁ କରି ହଠାତ୍‌ ଶ୍ରେଣୀଗୃହ ଭିତରକୁ ପଶିଥିଲା।

ପିଲାମାନେ କିଛି ବୁଝିବା ପୂର୍ବରୁ ସେ ସେମାନଙ୍କ ପାଖକୁ ଯାଇ ଆକ୍ରମଣ କରିଥିଲା।

ଆକ୍ରମଣରେ ଆହତ ଦୁଇ ଛାତ୍ରୀଙ୍କୁ ପ୍ରଥମେ ଅନନ୍ତପୁର ସରକାରୀ ଜେନେରାଲ ହସ୍ପିଟାଲକୁ ନିଆଯାଇଥିଲା।

ତେବେ ଗୀତିକାଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ପରବର୍ତ୍ତୀ ସମୟରେ ଉନ୍ନତ ଚିକିତ୍ସା ପାଇଁ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟ କୁମାର ଯାଦବଙ୍କ ସୂଚନା ଅନୁସାରେ, ଛାତ୍ରୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି।

ତାଙ୍କ ଡାହାଣ ହାତ ସମ୍ପୂର୍ଣ୍ଣ କଟିଯିବା ସହ ମୁହଁ ଓ ବେକରେ ଆଘାତ ଲାଗିଛି।

ଏଥିସହ ଖପୁରୀ ଓ ପଞ୍ଜରା ହାଡ଼ରେ ମଧ୍ୟ ଗୁରୁତର ଆଘାତ ହୋଇଛି।

ରକ୍ତପ୍ରବାହ ନଳୀ ମଧ୍ୟ କ୍ଷତାକ୍ତ ହୋଇଛି।

ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଅନନ୍ତପୁର ସରକାରୀ ହସ୍ପିଟାଲକୁ ଅଣାଯିବା ପରେ ରକ୍ତସ୍ରାବ ନିୟନ୍ତ୍ରଣ ପାଇଁ ତାଙ୍କୁ ୧୦ ୟୁନିଟ୍‌ ରକ୍ତ ଦିଆଯାଇଥିଲା।

ଏହାପରେ ତାଙ୍କୁ ବେଙ୍ଗାଲୁରୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା।

ତେବେ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି।

ସ୍କୁଲ ଭଳି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।