Chandigarh Cop Shot Dead By Teen Son: ୧୮ ବର୍ଷୀୟ ପୁଅର ଜଘନ୍ୟ କାଣ୍ଡ, ପ୍ରେମିକାକୁ ବିବାହ ଜିଦ୍ରେ ବାପାଙ୍କୁ ଗୁଳି
ପ୍ରେମିକାଙ୍କୁ ତୁରନ୍ତ ବିବାହ କରିବାକୁ ଚାହୁଁଥିଲା ପୁଅ। ହେଲେ ବୟସ ୨୧ ବର୍ଷ ହେବା ପରେ ବିବାହ କରିବାକୁ ପୁଅକୁ କହିଥିଲେ ବାପା-ମାଆ। ଏହି କଥାକୁ ନେଇ ଘରେ ଝଗଡ଼ା ହେବା ପରେ ବାପାଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ପୁଅ ବିରୋଧରେ। ଘଟଣା ଚଣ୍ଡୀଗଡ଼ର।
ମୃତକ ହେଉଛନ୍ତି ଚଣ୍ଡୀଗଡ଼ ପୁଲିସର ହେଡ୍ କନଷ୍ଟେବଳ ନିତିନ ସିଂହ। ସେ ପୁଲିସ ମୁଖ୍ୟାଳୟର ଆକାଉଣ୍ଟସ୍ ବ୍ରାଞ୍ଚରେ କାମ କରୁଥିଲେ। ଶୁକ୍ରବାର ତାଙ୍କ ସରକାରୀ କ୍ୱାର୍ଟର୍ସରୁ ମୁଣ୍ଡରେ ଗୁଳି ଲାଗିଥିବା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା।
ପୁଲିସର କହିବା ଅନୁସାରେ, ନିତିନଙ୍କ ୧୮ ବର୍ଷୀୟ ପୁଅ ଅରମାନ ତାଙ୍କ ପ୍ରେମିକାଙ୍କୁ ତୁରନ୍ତ ବିବାହ କରିବାକୁ ଚାହୁଁଥିଲେ। ହେଲେ ବାପା-ମାଆ ତାଙ୍କୁ ୨୧ ବର୍ଷ ହେବା ପରେ ବିବାହ କରିବାକୁ କହିଥିଲେ। ଭାରତରେ ପୁରୁଷଙ୍କ ବିବାହର ଆଇନଗତ ବୟସ ୨୧ ବର୍ଷ।
ଗୁରୁବାର ସନ୍ଧ୍ୟାରେ ଏହି କଥାକୁ ନେଇ ଅରମାନଙ୍କର ବାପା-ମାଆଙ୍କ ସହ ଝଗଡ଼ା ହୋଇଥିଲା। ପ୍ରେମିକାଙ୍କୁ ଘରକୁ ଆଣିବା ଏବଂ ବିବାହ ପାଇଁ ଟଙ୍କା ଦେବାକୁ ମଧ୍ୟ ସେ ବାପା-ମାଆଙ୍କ ଉପରେ ଚାପ ପକାଉଥିବା ପୁଲିସ କହିଛି।
ଏହା ପରେ ଅରମାନ ତାଙ୍କ ମାଆଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେ ମାଆଙ୍କ ବେକ ଧରିଥିଲେ। କୌଣସି ପ୍ରକାରେ ସେଠାରୁ ଖସି ମାଆ ଛାତ ଉପରକୁ ଯାଇଥିଲେ ଏବଂ ପଡ଼ୋଶୀଙ୍କୁ ଘଟଣା ବିଷୟରେ ଜଣାଇଥିଲେ।
ପୁଲିସର ସନ୍ଦେହ ଅନୁସାରେ, ବାପାଙ୍କୁ ଗୁଳି କରିବା ପରେ ଅରମାନ ଘର ବାହାରୁ କେହି ଆସି ବାପାଙ୍କୁ ଗୁଳି କରିଥିବା ଭଳି ଦେଖାଇବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି।
ଅରମାନ ପୂର୍ବରୁ ମଧ୍ୟ ଏକ ମାମଲାରେ ଜାମିନରେ ଥିଲେ। ଚଳିତ ବର୍ଷ ମଣିମାଜରାରେ ସେ ଚଳାଉଥିବା ମହିନ୍ଦ୍ରା ଥାର୍ ଏକ ବାଇକ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିଲା। ସେହି ମାମଲାରେ ଗିରଫ ହେବା ପରେ ତାଙ୍କୁ ଜାମିନ ମିଳିଥିଲା।
ବର୍ତ୍ତମାନ ଅରମାନଙ୍କୁ ବାପାଙ୍କ ହତ୍ୟା ଅଭିଯୋଗରେ ପୁଲିସ ଗିରଫ କରିଛି। ପୁଲିସ କହିଛି ଯେ, ଗିରଫ ପରେ ମଧ୍ୟ ଅରମାନ ଘଟଣାକୁ ନେଇ କୌଣସି ଅନୁତାପ ଦେଖାଇନାହାନ୍ତି। ଘଟଣାର ସମ୍ପୂର୍ଣ୍ଣ ସତ୍ୟ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।