28 SEPTEMBER 2026

Welcome!

Unlock your personalized experience.
Sign Up

Chief Minister: ସାମ୍ବିଧାନିକ ସଂସ୍ଥାକୁ ବଦନାମ କରିବା ଉଦ୍ୟମ ନିନ୍ଦନୀୟ: ମୁଖ୍ୟମନ୍ତ୍ରୀ

Sep 28, 2026 - 04:29
Chief Minister: ସାମ୍ବିଧାନିକ ସଂସ୍ଥାକୁ ବଦନାମ କରିବା ଉଦ୍ୟମ ନିନ୍ଦନୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦେଶର ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରାୟ ୨୫ ବର୍ଷ ପରେ ସାରା ଦେଶରେ ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) କାର୍ଯ୍ୟକାରୀ ହୋଇଛି। ଏହା ଅତ୍ୟନ୍ତ ସ୍ୱଚ୍ଛ ଏବଂ ଡିଜିଟାଲ ଟେକ୍ନୋଲୋଜିର ପ୍ରୟୋଗରେ ଦକ୍ଷତାର ସହ କାର୍ଯ୍ୟକାରୀ କରାଯାଇଛି। କିନ୍ତୁ ବିରୋଧୀ ଦଳ ଗୁଡ଼ିକ ବିଶେଷ କରି କଂଗ୍ରେସ ଏହାକୁ ବିରୋଧ କରି ନାନା ପ୍ରକାର କୁତ୍ସାରଟନା କରୁଛି ଏବଂ ସାରା ଦେଶରେ ଗୋଟିଏ ନକାରାତ୍ମକ ମାହୋଲ ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ଦେଶର ଗଣତନ୍ତ୍ରର ସୁରକ୍ଷା ପାଇଁ ନିର୍ବାଚନ କମିସନ ଭଳି ଗୋଟିଏ ସାମ୍ବିଧାନିକ ସଂସ୍ଥାକୁ ନିଜର ସ୍ୱାର୍ଥ ପାଇଁ ବଦନାମ କରିବାକୁ ଉଦ୍ୟମ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

Dead: ନଦୀରେ ବୁଡ଼ି ନାବାଳକ ନିଖୋଜ ଘଟଣା; ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର

ସେ କହିଛନ୍ତି, ୧୩ କୋଟି ଲୋକଙ୍କ ଭୋଟ କାଟି ଦିଆଯାଇଛି ବୋଲି ପ୍ରଚାର କରାଯାଉଛି। କିନ୍ତୁ ବାସ୍ତବତା ହେଉଛି, ଏଥିରୁ ୨.୮ କୋଟି ଲୋକ ମୃତ, ୩ କୋଟି ଅନୁପସ୍ଥିତ ଏବଂ ୬.୩ କୋଟି ଲୋକ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି। ୧ କୋଟି ଲୋକଙ୍କ ନାମ ଏକାଧିକ ସ୍ଥାନରେ ପଞ୍ଜୀକୃତ ହୋଇଥିଲା। ତେଣୁ ଏଗୁଡ଼ିକ ନାଁ କାଟି ଦିଆଯାଇଛି ବୋଲି କହିବା ଅତ୍ୟନ୍ତ ଅବିବେକୀ ଓ ଗଣତନ୍ତ୍ରର ପରିପନ୍ଥୀ। ଏହି ତାଲିକା ପ୍ରସ୍ତୁତି ଓ ଯାଞ୍ଚ ସମୟରେ ସାରା ଦେଶରେ ସବୁ ଦଳର ବୁଥ୍‌ ସ୍ତରୀୟ ଏଜେଣ୍ଟ ଅଛନ୍ତି। ସେମାନେ ଯାଞ୍ଚ କରନ୍ତି ଏବଂ ଭୋଟରଙ୍କ ପାଇଁ ଦାବି ଓ ଆପତ୍ତି ଅଭିଯୋଗ କରିବାର ଅଧିକାର ବି ରହିଛି। ତେଣୁ ତାଲିକା ଭୁଲ୍‌ ହେବାର ପ୍ରଶ୍ନ ଉଠୁନାହିଁ। ଆଉ ଗୋଟିଏ ଅଭିଯୋଗ ହେଉଛି ଯେ ଫର୍ମ-୬ରେ ପରିବର୍ତ୍ତନ କରାଯାଇଛି। ପ୍ରକୃତରେ ଫର୍ମ-୬ରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ବରଂ ଭୋଟର ମାନଙ୍କ ସୁବିଧା ପାଇଁ ସେହି ଗୋଟିଏ ଫର୍ମରେ ଆଉ ଗୋଟିଏ ଘୋଷଣାନାମା ଫର୍ମକୁ ସାମିଲ କରାଯାଇଛି। 

ଭୋଟର ତାଲିକା ଭୁଲ୍‌ ହେବାର ପ୍ରଶ୍ନ ଉଠୁନି, କଂଗ୍ରେସ ନକାରାତ୍ମକ ମାହୋଲ ସୃଷ୍ଟି କରୁଛି
ପ୍ରତିଦିନ ୫୦ ହଜାରରୁ ଅଧିକ ଜେନ୍-ଜି ଭୋଟର ସାମିଲ ହେଉଛନ୍ତି

ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ପିଢ଼ିର ଭୋଟରମାନଙ୍କ ପାଇଁ ମଧ୍ୟ କୌଣସି ଅସୁବିଧା ହୋଇନାହିଁ। ୨୦୨୫ ଜୁନ ୨୪ ଠାରୁ ଆଜି ପର୍ଯ୍ୟନ୍ତ ୨.୩୭ କୋଟି ନୂଆ ଭୋଟର ବା ଯାହାକୁ ଜେନ୍‌-ଜି କୁହାଯାଉଛି, ସାମିଲ ହୋଇସାରିଲେଣି। ଅର୍ଥାତ ପ୍ରତିଦିନ ପ୍ରାୟ ୫୦ ହଜାରରୁ ଅଧିକ ଜେନ୍-ଜି ଭୋଟର ସାମିଲ ହେଉଛନ୍ତି। ବର୍ତ୍ତମାନ ୧୮ରୁ ୨୮ ବର୍ଷ ବୟସର ଜେନ୍-ଜି ଭୋଟରଙ୍କ ସଂଖ୍ୟା ୧୭.୩୮ କୋଟି । ଜେନ୍-ଜିଙ୍କ ପାଇଁ ଭୋଟର ତାଲିକାରେ ନାଁ ଯୋଡ଼ିବା ପ୍ରକ୍ରିୟା ବର୍ଷ ସାରା ଉପଲବ୍ଧ। ନିର୍ବାଚନ କମିସନ୍‌ରେ ବିବାଦ ସମ୍ପର୍କରେ ଶ୍ରୀ ମାଝୀ କହିଛନ୍ତି, ମୁଖ୍ୟ ନିର୍ବାଚନ କମିସନର ଅନ୍ୟ ଦୁଇ ଜଣ କମିସନରଙ୍କୁ ଅଣଦେଖା କରି ଏକଚାଟିଆ ନିଷ୍ପତ୍ତି ନେଇଛନ୍ତି ବୋଲି ଅଭିଯୋଗ ହେଉଛି। ଏହା ସମ୍ପୂର୍ଣ୍ଣ ଭାବେ ଭ୍ରମାତ୍ମକ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ପ୍ରକୃତ କଥା ହେଉଛି କମସନ୍‌ ଦ୍ୱାରା ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ହୋଇଛି। ନିର୍ବାଚନ କମିସନ ମଧ୍ୟ ଏକଥା ସ୍ପଷ୍ଟ ଭାବେ ଜଣାଇଛନ୍ତି। କୌଣସି ନିଷ୍ପତ୍ତି ନେବା ସମୟରେ ବିଭିନ୍ନ ବିଚାର ବିମର୍ଶ ହୁଏ, ପ୍ରଶ୍ନ ଉଠେ, ପ୍ରଶ୍ନର ସମାଧାନ ବି କରାଯାଏ। ଏହା ଯେ କୌଣସି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏକ ସ୍ୱଚ୍ଛ ଓ ପ୍ରଭାବଶାଳୀ ପ୍ରକ୍ରିୟା। ଆମ ରାଜ୍ୟ କ୍ୟାବିନେଟରେ ମଧ୍ୟ ଅନେକ ସମୟରେ ମନ୍ତ୍ରୀମାନେ ବିଭିନ୍ନ ଟିପ୍ପଣୀ ବା ପ୍ରଶ୍ନ କରନ୍ତି । ତାର ଉତ୍ତର ଦିଆଯାଏ ଏବଂ ଶେଷରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଏ। ଏହା ଏକ ସୁସ୍ଥ ପରମ୍ପରା। କିନ୍ତୁ ଏହାକୁ ନେଇ କଂଗ୍ରେସ ଦଳ ଯେଉଁ ହଙ୍ଗାମା କରୁଛି ଓ ଏକ ନ୍ୟାରେଟିଭ୍ ସୃଷ୍ଟି କରିବାକୁ ଚେଷ୍ଟା କରୁଛି, ତାହା ସମ୍ପୂର୍ଣ୍ଣ ହତାଶ ମନୋଭାବର ପ୍ରତୀକ। କଂଗ୍ରେସ ଦଳର ନୀତି ହେଉଛି, ଯେଉଁଠି ଜିତିଲେ ସେଠି ସବୁ ଠିକ୍। ଯେଉଁଠି ହାରିଲେ, ସେଠି ଗଣତନ୍ତ୍ର ବିପଦରେ। 

Narendra Modi: ସର୍ଜିକାଲ୍ ଷ୍ଟ୍ରାଇକ୍ ଆତଙ୍କବାଦ ବିରୋଧରେ ଏକ ସାହସିକ ଉଦାହରଣ: ପ୍ରଧାନମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ନିର୍ବାଚନ କମିସନର ନିଯୁକ୍ତି ପ୍ରକ୍ରିୟାରୁ ହଟାଇବା ପାଇଁ ୨୦୨୩ରେ ଆଇନ କରାଯିବା ନେଇ ବିରୋଧୀ ଆଙ୍ଗୁଠି ଉଠାଉଛନ୍ତି। ପ୍ରକୃତ କଥା ହେଉଛି, ଏହା ପୂର୍ବରୁ କେନ୍ଦ୍ର ସରକାର ନିଜେ ମନମୁଖୀ ଭାବେ ନିର୍ବାଚନ କମିସନର ନିଯୁକ୍ତି କରୁଥିଲେ। ନୂଆ ଆଇନରେ ପ୍ରଧାନମନ୍ତ୍ରୀଙ୍କ ସହିତ ଜଣେ କେନ୍ଦ୍ର ମନ୍ତ୍ରୀ ଓ ବିରୋଧୀ ଦଳ ନେତା ଅଛନ୍ତି। ଏହି ଆଇନକୁ ପୂର୍ବ ଅପେକ୍ଷା ଅଧିକ ଗଣତାନ୍ତ୍ରିକ ଓ ଅଧିକ ନିରପେକ୍ଷ କରାଯାଇପାରିଛି। ତେଣୁ ଯେଉଁସବୁ ଅଭିଯୋଗ କରାଯାଇଛି, ତାହା ଦେଶରେ ଏକ ଅରାଜକତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜାଣିଶୁଣି କରାଯାଉଛି। ସେମାନେ ସମସ୍ତଙ୍କୁ ଦୋଷ ଦେଉଛନ୍ତି। ମିଡିଆ ଖରାପ, ବିଚାର ବିଭାଗ ଖରାପ, ନିର୍ବାଚନ କମିସନ ଖରାପ। ସମସ୍ତ ସାମ୍ବିଧାନିକ ସଂସ୍ଥାଗୁଡିକୁ ବଦନାମ କରିବାରେ ଲାଗିଛନ୍ତି। କଂଗ୍ରେସର ଏହି ଉଦ୍ୟମକୁ ଦୃଢ଼ ଭାବେ ନିନ୍ଦା କରୁଛି ବୋଲି ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।