China's No. 2 is in India: ଭାରତରେ ଚୀନ୍‌ର ଦ୍ୱିତୀୟ ଶକ୍ତିଶାଳୀ ନେତା 'କାଇ କି', ଜିନପିଙ୍ଗଙ୍କ ସହ ଛାଇ ଭଳି ରୁହନ୍ତି

Sep 12, 2026 - 17:46
China's No. 2 is in India: ଭାରତରେ ଚୀନ୍‌ର ଦ୍ୱିତୀୟ ଶକ୍ତିଶାଳୀ ନେତା 'କାଇ କି', ଜିନପିଙ୍ଗଙ୍କ ସହ ଛାଇ ଭଳି ରୁହନ୍ତି

ଦିଲ୍ଲୀରେ ଚାଲିଛି ବ୍ରିକ୍ସ ସମ୍ମିଳନୀ। ଭାରତ ମାଟିରେ ପାଦ ରଖିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ। କିନ୍ତୁ ତାଙ୍କ ପାଖେ ପାଖେ ଥିବା ଜଣେ ନେତାଙ୍କ ଉପରେ ଏବେ ସମସ୍ତଙ୍କ ନଜର। ନାଁ ତାଙ୍କର 'କାଇ କି'। ଚୀନ୍‌ର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ନେତା ଭାବେ ତାଙ୍କୁ ସମସ୍ତେ ଜାଣନ୍ତି। ଜିନପିଙ୍ଗଙ୍କ ଛାଇ ଭଳି ରହୁଥିବା ଏହି ନେତାଙ୍କ ଭାରତ ଆଗମନ ପଛରେ ରହିଛି ବଡ଼ କୂଟନୈତିକ ସଙ୍କେତ।

ପ୍ରାୟ ୭ ବର୍ଷ ପରେ ଭାରତ ଆସିଛନ୍ତି ସି ଜିନପିଙ୍ଗ। ସୀମା ବିବାଦ ଓ ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଆସୁଛି ନୂଆ ମୋଡ଼। ଏହି ସମୟରେ ଜିନପିଙ୍ଗଙ୍କ ସହ କାଇ କିଙ୍କ ଉପସ୍ଥିତିକୁ ଚୀନ୍‌ର ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଭାବେ ଦେଖାଯାଉଛି।

କାଇ କି କେବଳ ଜଣେ ନେତା ନୁହନ୍ତି, ସେ ହେଉଛନ୍ତି ଜିନପିଙ୍ଗଙ୍କ ଅତ୍ୟନ୍ତ ବିଶ୍ୱସ୍ତ ସହଯୋଗୀ। ଚୀନ୍‌ର କମ୍ୟୁନିଷ୍ଟ ପାର୍ଟିର ପଲିଟବ୍ୟୁ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଭାବେ ସେ ଦେଶର ଶୀର୍ଷ ୭ ଜଣ ନେତାଙ୍କ ମଧ୍ୟରେ ଅଛନ୍ତି। ଏହା ସହ ପାର୍ଟିର ଜେନେରାଲ ଅଫିସ୍‌ର ମୁଖ୍ୟ ଭାବେ ଜିନପିଙ୍ଗଙ୍କ ଡି-ଫାକ୍ଟୋ ଚିଫ୍ ଅଫ୍ ଷ୍ଟାଫ୍ ଭାବେ କାମ କରୁଛନ୍ତି।

କିପରି ହେଲେ ଚୀନ୍‌ର ଦ୍ୱିତୀୟ ଶକ୍ତିଶାଳୀ ନେତା?

'କାଇ କି'ଙ୍କ ରାଜନୈତିକ ଉତ୍‌ଥାନ କୌଣସି ସାଧାରଣ କାହାଣୀ ନୁହେଁ। ୨୦୧୭ରେ ବେଜିଂର ପାର୍ଟି ମୁଖ୍ୟ ହେବାର କିଛି ମାସ ମଧ୍ୟରେ ସେ ସିଧାସଳଖ ପଲିଟବ୍ୟୁକୁ ପଦୋନ୍ନତି ପାଇଥିଲେ। ସାଧାରଣତଃ ଯେଉଁ ପଦକୁ ପହଞ୍ଚିବାକୁ ନେତାଙ୍କୁ ବର୍ଷ ବର୍ଷ ଲାଗେ, କାଇ କି ସେହି ଦୂରତାକୁ ଅଳ୍ପ ସମୟରେ ପାର୍ ହୋଇଥିଲେ।

୨୦୨୨ରେ ସେ ପଲିଟବ୍ୟୁ ଷ୍ଟାଣ୍ଡିଂ କମିଟିରେ ସ୍ଥାନ ପାଇଲେ। ଆଉ ଏବେ ତାଙ୍କ ହାତରେ ରହିଛି ଚୀନ୍‌ର ଚିନ୍ତାଧାରା ଗଢ଼ିବା ଓ ନୂଆ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେଉଥିବା ଦଳୀୟ ଶିକ୍ଷାନୁଷ୍ଠାନର ଦାୟିତ୍ୱ। ଗୋଟିଏ ନେତାଙ୍କ ହାତରେ ଏତେଗୁଡ଼ିଏ ଶକ୍ତିଶାଳୀ ପଦ ରହିବା ଚୀନ୍ ରାଜନୀତିରେ ବିରଳ।

ଜିନପିଙ୍ଗଙ୍କ ଏତେ ନିକଟତର କେମିତି ହେଲେ?

ଏହି କାହାଣୀର ମୂଳ ରହିଛି ଦୁଇ ଦଶନ୍ଧି ପୁରୁଣା ସମ୍ପର୍କରେ। କାଇ କି ଓ ଜିନପିଙ୍ଗ ଉଭୟେ ସାଂସ୍କୃତିକ ବିପ୍ଳବ ସମୟରେ ଶ୍ରମିକ-କୃଷକ-ସୈନିକ ଛାତ୍ର ଭାବେ ଜୀବନ ଆରମ୍ଭ କରିଥିଲେ। ପରେ ଫୁଜିଆନ୍ ଓ ଝେଜିଆଙ୍ଗ୍ ପ୍ରଦେଶରେ ଦୀର୍ଘ ସମୟ ଏକାଠି କାମ କରିଥିଲେ। ସେହି ସମୟରୁ ଦୁଇ ନେତାଙ୍କ ମଧ୍ୟରେ ବିଶ୍ୱାସର ସମ୍ପର୍କ ଗଢ଼ିଉଠିଥିଲା। ଆଜି ସେହି ସମ୍ପର୍କ ଚୀନ୍‌ର ସର୍ବୋଚ୍ଚ ଶକ୍ତିକେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିଛି।

‘ଅଙ୍କଲ୍ କାଇ’ରୁ କଠୋର ଶାସକ

ରାଜନୀତିର ପ୍ରାରମ୍ଭିକ ଦିନରେ କାଇ କି ଚୀନ୍‌ର ସୋସିଆଲ୍ ମିଡିଆ ୱାଇବୋରେ ‘ଅଙ୍କଲ୍ କାଇ’ ନାଁରେ ଲୋକପ୍ରିୟ ଥିଲେ। ସାଧାରଣ ଲୋକଙ୍କ ସହ କଥା ହେଉଥିଲେ, ସମସ୍ୟା ସମାଧାନରେ ସହଯୋଗ କରୁଥିଲେ। କିନ୍ତୁ ୨୦୧୪ ପରେ ତାଙ୍କ ଭୂମିକା ବଦଳିଗଲା। ନରମ ଛବି ଛାଡ଼ି କଠୋର ପ୍ରଶାସନିକ ଆଭିମୁଖ୍ୟ ଆପଣାଇଲେ। ବେଜିଂର ଅଧିକାରୀମାନଙ୍କୁ କଠୋର ନିଷ୍ପତ୍ତି ନେବାକୁ ଆହ୍ୱାନ କରିଥିବା ତାଙ୍କ ଏକ ଭାଷଣକୁ ନେଇ ବିବାଦ ମଧ୍ୟ ହୋଇଥିଲା।

ଆଜି କାଇ କି ଚୀନ୍‌ର ନୀତି ନିର୍ଦ୍ଧାରଣ, ସାଇବର ସୁରକ୍ଷା ଓ ଜାତୀୟ ସୁରକ୍ଷା ସମ୍ପର୍କିତ ମାମଲାରେ ପ୍ରଭାବଶାଳୀ ଭୂମିକା ନେଉଛନ୍ତି। ବିଶ୍ଳେଷକଙ୍କ ମତରେ, ଜିନପିଙ୍ଗଙ୍କ ପକ୍ଷରୁ କଥା କହିବାର ଅଧିକାର ହେଉଛି କାଇ କିଙ୍କ ସବୁଠାରୁ ବଡ଼ ଶକ୍ତି।

ଭାରତ ଗସ୍ତ ପଛରେ କ’ଣ ସଙ୍କେତ?

ଜିନପିଙ୍ଗଙ୍କ ସହ କାଇ କିଙ୍କ ଭାରତ ଆଗମନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଦେଶମନ୍ତ୍ରୀ ୱାଙ୍ଗ୍ ୟିଙ୍କ ସହ ଏହି ଗସ୍ତ ଚୀନ୍‌ର କୂଟନୈତିକ ଗୁରୁତ୍ୱକୁ ଦର୍ଶାଉଛି। ସୀମା ବିବାଦର ତିକ୍ତତା ପରେ ଭାରତ-ଚୀନ୍ ସମ୍ପର୍କକୁ ନୂଆ ଦିଗ ଦେବାକୁ ଚୀନ୍ ପ୍ରସ୍ତୁତ କି? ଏହି ପ୍ରଶ୍ନ ଏବେ ଚର୍ଚ୍ଚାର କେନ୍ଦ୍ରରେ। ଆଉ ଏହି ଚର୍ଚ୍ଚା ମଧ୍ୟରେ ଭାରତ ମାଟିରେ ଛିଡ଼ା ହୋଇଛନ୍ତି ଜିନପିଙ୍ଗଙ୍କ ସବୁଠାରୁ ବିଶ୍ୱସ୍ତ ସହଯୋଗୀ କାଇ କି।

ଚୀନ୍‌ର ଶକ୍ତିକେନ୍ଦ୍ରର ଏହି ନେତାଙ୍କ ଭାରତ ଗସ୍ତ ଆଗାମୀ ଦିନରେ ଦୁଇ ଦେଶର ସମ୍ପର୍କକୁ କେଉଁ ଦିଗ ଦେବ, ତା’ ଉପରେ ରହିଛି ସମସ୍ତଙ୍କ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।