Chinese Teen Swimmer Win Second Gold At Asian Games 2026: ସନ୍ତରଣରେ ଚୀନ୍‌ର ନୂଆ ତାରକା, ପୁଣି ସ୍ୱର୍ଣ୍ଣ ଜିତିଲେ ୟୁ ଜିଡି

Sep 21, 2026 - 18:31
Chinese Teen Swimmer Win Second Gold At Asian Games 2026: ସନ୍ତରଣରେ ଚୀନ୍‌ର ନୂଆ ତାରକା, ପୁଣି ସ୍ୱର୍ଣ୍ଣ ଜିତିଲେ ୟୁ ଜିଡି

ଏସିଆନ୍ ଗେମ୍ସରେ ପୁଣି ଚମକିଲେ ଚୀନ୍‌ର ୧୩ ବର୍ଷୀୟ ସନ୍ତରଣ ତାରକା ୟୁ ଜିଡି। ସୋମବାର ମହିଳା ୨୦୦ ମିଟର ଇଣ୍ଡିଭିଜୁଆଲ୍ ମେଡ୍‌ଲିରେ ସ୍ୱର୍ଣ୍ଣ ଜିତି ସେ ଟୁର୍ଣ୍ଣାମେଣ୍ଟରେ ନିଜର ଦ୍ୱିତୀୟ ସ୍ୱର୍ଣ୍ଣ ହାସଲ କରିଛନ୍ତି। ୟୁ ଜିଡି ଦୌଡ଼ ଶେଷ କରିବାକୁ ୨ ମିନିଟ୍ ୬.୧୦ ସେକେଣ୍ଡ ସମୟ ନେଇଥିଲେ। ବିଶ୍ୱ ରେକର୍ଡଠାରୁ ମାତ୍ର ୦.୪୦ ସେକେଣ୍ଡ ପଛରେ ରହିଥିଲେ ସେ। ଏହି ଇଭେଣ୍ଟର ବିଶ୍ୱ ରେକର୍ଡ କାନାଡାର ସମର୍ ମ୍ୟାକ୍‌ଇଣ୍ଟସଙ୍କ ନାଁରେ ରହିଛି।

ରବିବାର ୟୁ ଜିଡି ୨୦୦ ମିଟର ବଟରଫ୍ଲାଇରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ। ଚଳିତ ଏସିଆନ୍ ଗେମ୍ସରେ ଆହୁରି ୪୦୦ ମିଟର ଇଣ୍ଡିଭିଜୁଆଲ୍ ମେଡ୍‌ଲିରେ ମଧ୍ୟ ତାଙ୍କ ଉପରେ ନଜର ରହିବ। ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ସମର୍ ମ୍ୟାକ୍‌ଇଣ୍ଟସ୍ ୨୦୦ ମିଟର ବଟରଫ୍ଲାଇ, ୨୦୦ ମିଟର ଇଣ୍ଡିଭିଜୁଆଲ୍ ମେଡ୍‌ଲି ଓ ୪୦୦ ମିଟର ଇଣ୍ଡିଭିଜୁଆଲ୍ ମେଡ୍‌ଲି, ଏହି ତିନିଟି ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲେ। ତିନୋଟି ଇଭେଣ୍ଟର ବିଶ୍ୱ ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି।

ଆଉ ରୋଚକ କଥା ହେଉଛି, ଗତବର୍ଷ ସିଙ୍ଗାପୁରରେ ହୋଇଥିବା ବିଶ୍ୱ ଚାମ୍ପିୟନସିପ୍‌ରେ ମାତ୍ର ୧୨ ବର୍ଷ ବୟସରେ ୟୁ ଜିଡି ଏହି ତିନିଟି ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହିଥିଲେ। ଏକ ରିଲେରେ ସେ ବ୍ରୋଞ୍ଜ୍ ମଧ୍ୟ ଜିତିଥିଲେ।

ଚଳିତ ବର୍ଷ ଏକ ଚାଇନା ମିଟ୍‌ରେ ୨୦୦ ମିଟର ବଟରଫ୍ଲାଇରେ ଆମେରିକାର ରିଗାନ୍ ସ୍ମିଥଙ୍କୁ ହରାଇ ୟୁ ଜିଡି ଚର୍ଚ୍ଚାକୁ ଆସିଥିଲେ। ୨୦୨୪ ଅଲିମ୍ପିକ୍ସରେ ସ୍ମିଥ୍ ଏହି ଇଭେଣ୍ଟରେ ରୌପ୍ୟ ଜିତିଥିଲେ।

ଏସିଆନ୍ ଗେମ୍ସ ଅଧିକାରୀଙ୍କ କହିବା ଅନୁସାରେ, ଏହି ପ୍ରତିଯୋଗିତାର ଇତିହାସରେ ୟୁ ଜିଡି ସବୁଠାରୁ କମ୍ ବୟସର ସ୍ୱର୍ଣ୍ଣ ବିଜେତା କି ନୁହେଁ, ତାହା ନିଶ୍ଚିତ ଭାବେ କହିହେବ ନାହିଁ। ୧୯୫୧ ମସିହାରୁ ଏସିଆନ୍ ଗେମ୍ସର ରେକର୍ଡ ଥିବାରୁ ପୁରୁଣା ତଥ୍ୟ ସମ୍ପୂର୍ଣ୍ଣ ନଥିବା କୁହାଯାଇଛି।

ତେବେ ୟୁ ଜିଡି ଚଳିତ ଗେମ୍ସର ସବୁଠାରୁ କମ୍ ବୟସର ପ୍ରତିଯୋଗୀ ନୁହନ୍ତି। ଜାପାନ ପାଇଁ ଇ-ସ୍ପୋର୍ଟ୍ସରେ ଭାଗ ନେଉଥିବା ୧୧ ବର୍ଷୀୟ ୟୁକି କୁରିହାରାଙ୍କୁ ସବୁଠାରୁ କମ୍ ବୟସର ପ୍ରତିଯୋଗୀ ବୋଲି ଧରାଯାଉଛି।

ଏପଟେ ସନ୍ତରଣରେ ଚୀନ୍‌ର ଦବଦବା ଜାରି ରହିଛି। ରବିବାର ୭ଟି ସ୍ୱର୍ଣ୍ଣ ମଧ୍ୟରୁ ୬ଟି ଜିତିଥିବା ଚୀନ୍ ସୋମବାର ୭ଟି ଇଭେଣ୍ଟରୁ ୫ଟି ସ୍ୱର୍ଣ୍ଣ ହାସଲ କରିଛି। ତିନି ବର୍ଷ ପୂର୍ବେ ହାଙ୍ଗଝୋ ଏସିଆନ୍ ଗେମ୍ସରେ ଚୀନ୍ ୨୮ଟି ସନ୍ତରଣ ସ୍ୱର୍ଣ୍ଣ ଜିତିଥିଲା। ଚଳିତ ଗେମ୍ସରେ ସେହି ରେକର୍ଡକୁ ଟପିବା ଦିଗରେ ଦଳ ଆଗକୁ ବଢ଼ୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।