Chorbagan Puja Tragedy: ଦୁର୍ଗାପୂଜା ଦଳାଚକଟା: ୧୯ ମୃତ, ୧୮ ଗିରଫ; ଇସ୍ତଫା ଦେଲେ ପୂଜା କମିଟିର ସମସ୍ତ ପଦାଧିକାରୀ
ଦୁର୍ଗାପୂଜାର ଖୁସି ମଧ୍ୟରେ ମାଡ଼ି ଆସିଲା ମୃତ୍ୟୁର କଳାଛାୟା। ପ୍ରବଳ ଭିଡ଼ ଭିତରେ ଦଳାଚକଟା, ଆଉ ଚାଲିଗଲା ୧୯ ଜଣଙ୍କ ଜୀବନ। ଏହି ମର୍ମନ୍ତୁଦ ଘଟଣା ପରେ କୋଲକାତାର ଚୋରବାଗାନ ଦୁର୍ଗାପୂଜା ମଣ୍ଡପକୁ ନେଇ ତନାଘନା ଆରମ୍ଭ ହୋଇଛି। ଘଟଣାରେ ପୂଜା ଆୟୋଜକ ଓ ଭଲ୍ୟୁଣ୍ଟିୟରଙ୍କ ସମେତ ୧୮ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ, ଚୋରବାଗାନ ସାର୍ବଜନୀନ ଦୁର୍ଗୋତ୍ସବ ସମିତିର ସମସ୍ତ ପଦାଧିକାରୀ ଇସ୍ତଫା ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସପ୍ତମୀ ସନ୍ଧ୍ୟାରେ ଚୋରବାଗାନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହି ସମୟରେ ଦଳାଚକଟା ଘଟିବାରୁ ଅନେକ ଲୋକ ତଳେ ପଡ଼ିଯାଇଥିଲେ। ଭିଡ଼ ଭିତରେ ଫସି ଅନେକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଥିଲେ।
ଏହି ଘଟଣାରେ ଏଯାଏଁ ୧୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ୧୩ ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି। ୪୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ କୋଲକାତାର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
୧୮ ଗିରଫ, ପୂଜା ମଣ୍ଡପରେ ସାଧାରଣ ଦର୍ଶନ ବନ୍ଦ
ଦଳାଚକଟା ଘଟଣା ପରେ ପୋଲିସ ତଦନ୍ତକୁ ଜୋରଦାର କରିଛି। ଏହି ମାମଲାରେ ପୂଜା ଆୟୋଜକ ଓ ଭଲ୍ୟୁଣ୍ଟିୟରଙ୍କ ସମେତ ୧୮ ଜଣଙ୍କୁ ଗିରଫ କରାଯାଇଛି। ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା ଓ ଆୟୋଜନରେ କୌଣସି ଅବହେଳା ହୋଇଥିଲା କି ନାହିଁ, ତାହାର ତଦନ୍ତ ଚାଲିଛି।
ଅଘଟଣ ପରେ ଚୋରବାଗାନ ପୂଜା ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ବନ୍ଦ କରାଯାଇଛି। ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଥିବାରୁ ପୂଜା ମଣ୍ଡପରେ ଭିଡ଼ ନାହିଁ। ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ବିଭାଗର ମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ସମସ୍ତ ପଦାଧିକାରୀଙ୍କ ଇସ୍ତଫା
ଦଳାଚକଟା ଘଟଣା ପରେ ଚୋରବାଗାନ ସାର୍ବଜନୀନ ଦୁର୍ଗୋତ୍ସବ ସମିତିରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ସମିତିର ସାଧାରଣ ସଂପାଦକଙ୍କ ସମେତ କାର୍ଯ୍ୟକାରିଣୀର ସମସ୍ତ ପଦାଧିକାରୀ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ପୂଜା ଆୟୋଜନ ଓ ଭିଡ଼ ପରିଚାଳନାକୁ ନେଇ ଅନେକ ପ୍ରଶ୍ନ ଉଠିଛି।
ତଦନ୍ତ ନିର୍ଦ୍ଦେଶ, ଦାୟୀ କିଏ?
ଘଟଣା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ସୂଚନା ମିଳିଛି। ସେ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏତେ ବଡ଼ ଧାର୍ମିକ ଆୟୋଜନରେ ଭିଡ଼ ନିୟନ୍ତ୍ରଣ କିପରି କରାଯାଉଥିଲା, ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଥିଲା କି ନାହିଁ ଏବଂ ଦଳାଚକଟାକୁ ରୋକାଯାଇ ପାରିଥାନ୍ତା କି ନାହିଁ, ଏସବୁ ଦିଗ ଏବେ ତଦନ୍ତ ପରିସରରେ ରହିଛି। ତଦନ୍ତ ପରେ ହିଁ ଏହି ଦୁଃଖଦ ଘଟଣା ପାଇଁ କିଏ ଦାୟୀ, ତାହା ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।