CJP Protest in Delhi: ସିଜେପି ଆନ୍ଦୋଳନ; ୟୁଟ୍ୟୁବର ଧ୍ରୁବ ରାଠି ଓ ସିଜେପି ନେତା ଅଭିଜିତ ଦୀପକେ ଅଟକ
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶନିବାର ହେବାକୁ ଥିବା ଆନ୍ଦୋଳନ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ରାଜଧାନୀରେ ରାତିସାରା ୧୦୦୦ରୁ ଅଧିକ ଲୋକଙ୍କୁ ପୋଲିସ ଅଟକ ରଖିଛି। ୟୁଟ୍ୟୁବର ଧ୍ରୁବ ରାଠିଙ୍କୁ ଦିଲ୍ଲୀ ପୋଲିସ ଗୁରୁଗ୍ରାମର ସେକ୍ଟର ୫୬ ସ୍ଥିତ ତାଙ୍କ ବାସଭବନରୁ ଅଟକ ରଖିଛି। ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିବା ପରେ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ମଧ୍ୟ ଅଟକ ରଖାଯାଇଛି। ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପୋଲିସ ମୁତୟନ ବଢ଼ାଯିବା ସହ ସହରର ପ୍ରବେଶ ପଥ ଓ ସୀମାନ୍ତ ଅଞ୍ଚଳରେ ଯାଞ୍ଚ କଡ଼ାକଡ଼ି କରାଯାଇଛି।
କକ୍ରୋଚ୍ ଜନତା ପାର୍ଟି (ସିଜେପି) ଓ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AISA) ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଇସ୍ତଫା ଦିଅନ୍ତୁ ବୋଲି ଆନ୍ଦୋଳନକାରୀମାନେ ଦାବି କରୁଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଯୋଜନା ପ୍ରସ୍ତୁତ କରାଯାଇଛି।
ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଶନିବାର ରାତି ୧୨ଟା ୩୦ ସୁଦ୍ଧା ଅଟକ ରଖାଯାଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୫୦ ଜଣ ଦକ୍ଷିଣ-ପୂର୍ବ ଦିଲ୍ଲୀ ଜିଲ୍ଲାର ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଶାହିନବାଗ୍ ଓ ଏହାର ଆଖପାଖ ଅଞ୍ଚଳର ବାସିନ୍ଦା। ୨୦୨୦ରେ ନାଗରିକତା ସଂଶୋଧନ ଆଇନ (CAA) ବିରୋଧୀ ଆନ୍ଦୋଳନ ସମୟରେ ଶାହିନବାଗ୍ ଏକ ପ୍ରମୁଖ କେନ୍ଦ୍ର ଥିଲା।
ସେହିପରି ଦିଲ୍ଲୀର ଶାହଦରା ଓ ପୂର୍ବ ଦିଲ୍ଲୀ ଜିଲ୍ଲାରୁ ୧୦୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଥିବା ଅନ୍ୟ ଜଣେ ପୋଲିସ ଅଧିକାରୀ କହିଛନ୍ତି। ଏହି ଦୁଇଟି ଅଞ୍ଚଳ ଉତ୍ତର ପ୍ରଦେଶ ସୀମାକୁ ଲାଗି ରହିଛି।
ଆନ୍ଦୋଳନ ପୂର୍ବରୁ ଅଟକ ରଖାଯାଇଥିବା ଲୋକଙ୍କୁ ଦିଲ୍ଲୀର ପ୍ରତ୍ୟେକ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୩ଟି ପ୍ରମୁଖ ଅଟକ କେନ୍ଦ୍ରକୁ ନିଆଯିବା ପାଇଁ ବ୍ୟବସ୍ଥା ହୋଇଛି। ସହରରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ, ସେଥିପାଇଁ ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ଆନ୍ଦୋଳନରେ ସିଜେପି ନେତାମାନେ ଶନିବାର ସକାଳ ପ୍ରାୟ ୧୦ଟା ୧୫ ମିନିଟ୍ରେ ଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନଜରରେ ରଖି ଦିଲ୍ଲୀରେ ୩୦ ହଜାରରୁ ଅଧିକ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବାର ଯୋଜନା ରହିଛି। ସହରର ସମସ୍ତ ସୀମାନ୍ତ ଅଞ୍ଚଳରେ ମଧ୍ୟ କଡ଼ା ପହରା ରଖାଯାଇଛି।
ସୁରକ୍ଷା ଯୋଜନା ଅନୁଯାୟୀ, ବିଭିନ୍ନ ସ୍ଥାନରେ ପୋଲିସ ଇନ୍ସପେକ୍ଟର, ପୋଲିସ ଦଳ ଏବଂ ପୁରୁଷ ଓ ମହିଳା ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ଆବଶ୍ୟକ ପଡ଼ିଲେ ଅତିରିକ୍ତ ସୁରକ୍ଷା କର୍ମୀଙ୍କୁ ମଧ୍ୟ ମୁତୟନ କରାଯିବ। ସହରର ବିଭିନ୍ନ ସ୍ଥାନରେ ଯାତାୟାତ ଉପରେ ନଜର ରଖିବା ପାଇଁ ଅନେକ ସ୍ଥାନରେ ପୋଲିସ ଚେକ୍ପୋଷ୍ଟ ସ୍ଥାପନ କରାଯାଇଛି। ସେଣ୍ଟ୍ରାଲ୍ ଦିଲ୍ଲୀ ଓ ନୂଆଦିଲ୍ଲୀ ମଧ୍ୟରେ ଏବଂ ଦକ୍ଷିଣ, ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଦିଲ୍ଲୀକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାଗୁଡ଼ିକରେ ଯାଞ୍ଚ ବ୍ୟବସ୍ଥା କରାଯାଇଛି।
ଏପରିକି ନୂଆଦିଲ୍ଲୀ ଅଞ୍ଚଳର ନିକଟରେ ଥିବା ଅଶୋକ ରୋଡ୍ ଓ ଟଲଷ୍ଟୟ ରୋଡ୍ ଭଳି ସ୍ଥାନରେ ମଧ୍ୟ ପ୍ରବେଶ କରିବା ସହଜ ହେବ ନାହିଁ। ଏହି ରାସ୍ତାରେ ୧୦ଟି ବ୍ୟାରିକେଡ୍ ଲଗାଯାଇଛି ଏବଂ ୩୦ରୁ ଅଧିକ ଅର୍ଦ୍ଧସାମରିକ ବାହିନୀର ଯବାନ ମୁତୟନ ହୋଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।