CJP Protest: Supreme Court Removal: ଦିଲ୍ଲୀରେ CJP ହାଇଡ୍ରାମାର ଅବସାନ; ଅଟକକୁ ବେଆଇନ୍ ଦର୍ଶାଇ ବର୍ଷିଲେ ସୁପ୍ରିମକୋର୍ଟ

Oct 11, 2026 - 20:02
CJP Protest: Supreme Court Removal: ଦିଲ୍ଲୀରେ CJP ହାଇଡ୍ରାମାର ଅବସାନ; ଅଟକକୁ ବେଆଇନ୍ ଦର୍ଶାଇ ବର୍ଷିଲେ ସୁପ୍ରିମକୋର୍ଟ

ସିଇସି ପ୍ରସଙ୍ଗରେ ଦିଲ୍ଲୀରେ ହାଇଭୋଲଟେଜ୍ ହଟଚମଟ। ପୋଲିସର କଡ଼ା ସୁରକ୍ଷାରେ ସର୍ବୋଚ୍ଚ ଅଦାଲତଙ୍କ ଏଣ୍ଟ୍ରି। ଛୁଟିଦିନରେ ଖୋଲିଲା ସୁପ୍ରିମକୋର୍ଟ, ପୋଲିସର କଟକଣାକୁ କଡ଼ା ଦାଗିଦ। ତୁରନ୍ତ ବ୍ୟାରିକେଡ୍ ହଟାଇବା ସହିତ ଇଣ୍ଟରନେଟ୍ ଯୋଗାଇବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ସେପଟେ ଅଟକରୁ ମୁକୁଳି ଆନ୍ଦୋଳନରୁ ହଟିବେନି ବୋଲି ଚେତାବନୀ ଦେଇଛି ସିଜେପି। କାଲି ଇଣ୍ଡି ମେଣ୍ଟ ବଡ଼ ଆନ୍ଦୋଳନକୁ ଓହ୍ଲାଉଥିବାବେଳେ ରାହୁଲ ଗାନ୍ଧୀ ଓ ବିରୋଧୀଙ୍କୁ ନିଶାନା କରିଛି ବିଜେପି।

ଚାରିଆଡ଼େ ନାକାବନ୍ଦୀ। ହଜାର ହଜାର ସୁରକ୍ଷା କର୍ମୀ। ଛକ ଛକରେ ବ୍ୟାରିକେଡ୍। ଇଣ୍ଟରନେଟ୍ ଠପ୍, ବନ୍ଦ ଥିଲା ମେଟ୍ରୋ ଷ୍ଟେସନ୍। CJP ବିକ୍ଷୋଭକୁ ରୋକିବାକୁ ରାଜଧାନୀ ଦିଲ୍ଲୀର ଏଇ ଅଭେଦ୍ୟ ସୁରକ୍ଷା ଛାଉଣୀକୁ ଆଜି ଭାଙ୍ଗି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଛୁଟି ଦିନରେ ଜରୁରୀକାଳୀନ ଶୁଣାଣି କରି ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟ ଦେଇଛନ୍ତି କଡ଼ା ନିର୍ଦ୍ଦେଶ। 

ଜଷ୍ଟିସ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଜନସାଧାରଣଙ୍କୁ ବନ୍ଧକ ରଖାଯାଇପାରିବ ନାହିଁ। ଅତି ଜରୁରୀ ନଥିଲେ ବ୍ୟାରିକେଡ୍ ତୁରନ୍ତ ହଟାଯାଇ ଯାତାୟାତକୁ ସ୍ୱାଭାବିକ କରାଯାଉ। ସୁପ୍ରିମକୋର୍ଟ ପରିସର ଓ ଆଖପାଖ ଅଞ୍ଚଳରୁ ତୁରନ୍ତ ବିଏନଏସ ୧୬୩ ହଟାଇବା, ମେଟ୍ରୋ, ଇଣ୍ଟରନେଟ୍ ସ୍ବାଭାବିକ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କାହାକୁ ବେଆଇନ ଭାବେ ଅଟକ ନ କରିବାକୁ ମଧ୍ୟ ଆଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। 

ଅନ୍ୟପଟେ ବିକ୍ଷୋଭ ବେଳେ ଓକିଲ ଓ ସାମ୍ବାଦିକଙ୍କ ପାଇଁ କଟକଣାକୁ ନେଇ ଖଣ୍ଡପୀଠ ଅସନ୍ତୋଷ ଜାହିର୍ କରିଛନ୍ତି। ପ୍ରତିବାଦ କରିବାର ଅଧିକାର ଅଛି, କିନ୍ତୁ ତାହା ଆଇନର ସୀମା ଭିତରେ ରହିବା ଦରକାର ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ଏହାଛଡ଼ା ପୂର୍ବ ନିର୍ଦ୍ଦେଶକୁ ଅବମାନନା କରି ସାର୍ବଜନୀନ ପରିବହନ ବନ୍ଦ କରିଥିବାରୁ ମଙ୍ଗଳବାର ସୁଦ୍ଧା ଜବାବ ଦାଖଲ ପାଇଁ ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରି ହୋଇଛି।

ଏପଟେ ପ୍ରାୟ ୧୨ ଘଣ୍ଟା ପରେ ପୋଲିସ ହେପାଜତରୁ ମୁକୁଳିଛନ୍ତି ତିନି ସିଜେପି ନେତା ଅଭିଜିତ ଦୀପକେ, ଆଶୁତୋଷ ରାଙ୍କା ଓ ସୌରଭ ଦାସ। ଗତକାଲି ଏମାନଙ୍କୁ ବିମାନ ଭିତରୁ ନେଇ ଅଟକ ରଖିଥିଲା ପୋଲିସ। ଦିଲ୍ଲୀର ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ସମସ୍ତଙ୍କୁ ମୁକ୍ତ କରିବା ସହିତ ରଖିଛନ୍ତି କଡ଼ା ସର୍ତ୍ତ। ଅଦାଲତଙ୍କ ସର୍ତ୍ତ ଅନୁସାରେ, ବର୍ଷେ ପର୍ଯ୍ୟନ୍ତ କେହି ବି ବିଶୃଙ୍ଖଳା କରିବେ ନାହିଁ ଅର୍ଥାତ ଶାନ୍ତି ବଜାୟ ରଖିବେ। ଅଟକ ଥିବା ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ମଧ୍ୟ ପୋଲିସ ଛାଡ଼ି ଦେଇଛି। 

ସେପଟେ ମୁକ୍ତ ହେବା ପରେ ପ୍ରେସମିଟରେ CJP କହିଛି, ଆମେ ପଛକୁ ହଟିବୁ ନାହିଁ। ସିଇସି ଜ୍ଞାନେଶ କୁମାର ପଦରୁ ଇସ୍ତଫା ନ ଦେବା ଯାଏ ଅଭିଯାନ ଜାରି ରହିବ। ତମାମ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ସମେତ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛି ବିଜେପି। ଦଳ କହିଛି, ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଛାତ୍ର ଓ ଯୁବପିଢ଼ିଙ୍କୁ ବ୍ୟବହାର କରି ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। 

ସେପଟେ ଆସନ୍ତାକାଲି ଦିଲ୍ଲୀରେ ବିଶାଳ ପ୍ରତିବାଦକୁ ଓହ୍ଲାଇବ ଇଣ୍ଡିଆ ବ୍ଲକ୍। ସୁପ୍ରିମକୋର୍ଟ ଯାଏଁ ରାଲିରେ ଯାଇ ପ୍ରଧାନ ବିଚାରପତିଙ୍କୁ ସ୍ମାରକପତ୍ର ଦେବ ବିରୋଧୀ ମେଣ୍ଟ। SIR ପ୍ରସଙ୍ଗରେ CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଆଗକୁ କି ମୋଡ଼ ନେଉଛି ତାଉପରେ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।