Climate change: ୨୦ ଫୁଟ ନାଳ ପାଲଟିଲା ୨ ଶହ ଫୁଟ ଓସାର!

Nov 07, 2026 - 23:05
Climate change: ୨୦ ଫୁଟ ନାଳ ପାଲଟିଲା ୨ ଶହ ଫୁଟ ଓସାର!

ଭଞ୍ଜନଗର (ବିଶ୍ବମ୍ବର‌ ଜେନା): ବାତ୍ୟା ଓ ବନ୍ୟା ଏ ଶଦ୍ଦ ଗଞ୍ଜାମ ଜିଲ୍ଲା ବାସୀଙ୍କ ପାଇଁ କିଛି ନୂଆ ନୁହେଁ।

କିନ୍ତୁ ଅର୍ଣ୍ଣବ ବାତ୍ୟା ପ୍ରଭାବରେ ଜିଲ୍ଲାରେ ହୋଇଥିବା ବିଭୀଷିକା ଆଉ ବନ୍ୟ ପରବର୍ତ୍ତି ଦୁର୍ଦ୍ଦଶା ସବୁଠୁ ବଳି ଯାଇଛି।

ବନ୍ୟାର କରାଳ ରୂପକୁ ସାମ୍ନା କରିଥିବା ପ୍ରତିଟି ବ୍ୟକ୍ତି ଆଜି ମଧ୍ୟ ସେଦିନ ରାତିର ଭୟଙ୍କର ଦୃଶ୍ୟକୁ ଭୁଲି ପାରୁନି।

Advertisment ପରିବାରର ଗୁଜୁରାଣ ମେଣ୍ଟାଇବାକୁ ବ୍ୟବସାୟୀ ଟିଏ ବନ୍ୟା ପାଣିରେ ସବୁକିଛି ହରାଇଛି।

ଅନେକ ବ୍ୟବସାୟୀଙ୍କୁ ଅଣ୍ଟା ସଳଖି ଠିଆ ହେବା ନିମନ୍ତେ ବର୍ଷ ବର୍ଷ ଲାଗିଯିବ।

ଘର ଭାଙ୍ଗିଛି ବର୍ଷାରେ ଧାନ ଠାରୁ ଆରମ୍ଭ କରି ପନି ପରିବା ଫସଲ ବି ନଷ୍ଟ ହୋଇଛି।

ଜୁଆଡେ ଚାହିଁଲେ ଛାରଖାର ସ୍ଥିତିର ପ୍ରଭାବ ଜଳଜଳ ହୋଇ ଦିଶୁଛି।

ସରକାର ରିଲିଫ ଦେଉଛନ୍ତି ଆଉ ଆର୍ଥିକ ସହାୟତା ପାଇଁ ମଧ୍ୟ ଘୋଷଣା କରିଛନ୍ତି କିନ୍ତୁ ଯାହା ବନ୍ୟା ବାତ୍ୟାରେ ହରାଇଛନ୍ତି ତାକୁ ଫେରଇ ଆଣିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି।

ଅନେକଙ୍କ ଘରେ ଆଗକୁ ଚୁଲି କିଭଳି ଜଳିବ ସେ ଚିନ୍ତାରେ ରହିଛନ୍ତି।

ଭାଙ୍ଗିଥିବା ଘରକୁ କିଭଳି ସଜାଡିବେ ତାକୁ ନେଇ ମଧ୍ୟ ଚିନ୍ତା ଘାରିଛି।

ବିଭିଷିକାର ଅନେକ ରୂପ ବର୍ତ୍ତମାନ ଦେଖିବାକୁ ମିଳୁଛି।

ଆଉ ‌ଏବେ ବନ୍ୟା ସରିଛି ବର୍ଷା ବି ଥମିଛି କିନ୍ତୁ ଏହାର ଭୟଙ୍କର ଚିତ୍ର ଆଜି ବି ଅନେକ ଜାଗାରେ ତାର ଛାପ ଛାଡି ଯାଇଛି।

ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ କନ୍ଧମାଳ ସୀମାନ୍ତ ବାଇବାଲି ପଞ୍ଚାୟତର ଏକ ନାଳ ନିକଟରେ।

ଭଞ୍ଜନଗର ବ୍ଳକର ବାଇବାଲି ଏକ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଏହି ପଞ୍ଚାୟତ ଅଧିନରେ ରହିଥିବା ତଡମା ଗ୍ରାମକୁ ଯିବା ପୂର୍ବରୁ ବହି ଯାଇଥିଲା ଏକ ଜଙ୍ଗଲି ନାଳ।

ସ୍ଥାନୀୟ ଲୋକ କିଏ ଏହାକୁ ଡହ ନାଳ କହନ୍ତି ତ କିଏ ତଡମା ନାଳ।

ବଣ ପାହାଡ ଉପରୁ ଆସୁଥିବା ଝରଣ ପାଣି ଏହି ନାଳ ଦେଇ ବର୍ଷ ତମାମ ବୋହି ଯାଇଥାଏ।

ଏହି ବନ୍ୟା ପୂର୍ବରୁ ଏହି ନାଳ ଟି ମାତ୍ର ୧୫ ରୁ ୨୦ ଭିତରେ ଓସାର ରହିଥିଲା।

ତଡମା ଗ୍ରାମକୁ ଯିବାକୁ ହେଲେ ଏହି ନାଳ ପର୍ଯ୍ୟନ୍ତ ଗାଡି ମଟର ଯାଉଥିବା ବେଳେ ନାଳ ପାର ହୋଇ ତଡମା ଯିବାକୁ ପଡୁଥିଲା।

ତଡମା ଗ୍ରାମକୁ ଯିବା ପରେ ସେଠାରୁ ବଣ ପାହାଡ,ଜଙ୍ଗଲି ନାଳ ଅତିକ୍ରମ କରି ବର୍ତ୍ତମାନ ଭୂସ୍ଖଳନ ହୋଇଥିବା ଗିଡିପାବାଲିକୁ ଯିବାକୁ ରାସ୍ତା ରହିଛି।

ତେବେ ଗତ ମାସ ୨୮ ତାରିଖ ଦିନ ହୋଇଥିବା ଅବିଶ୍ରାନ୍ତ ବର୍ଷା ଏହି ନାଳ ଦେଇ ପ୍ରଭାହିତ ହୋଇଥିଲା।

ଯେଉଁ ଛୋଟ ନାଳ ରହିଥିଲା ତାହା ଏବେ ବିସ୍ତିର୍ଣ୍ଣ ପଥର ଶଯ୍ୟା ପାଲଟି ଯାଇଛି।

ପ୍ରାୟ ୨୦୦ ଫୁଟ ଓସାର ପାଲଟିଥିବା ବେଳେ ପାହାଡ ଉପରୁ ପାଣି ସହ ବୋହି ଆସିଥିବା ବିରାଟ ବଡ ଗଛ ଗଣ୍ଡି, ଚେର ସହ ଅନେକ ପଥର ସେହି ସମୟରେ ଭୟଙ୍କର ଚିତ୍ରକୁ ଏବେ ବି ବୟାନ କରୁଛି।

ଗତ କିଛି ମାସ ପୂର୍ବରୁ ଏଭଳି କିଛି ଚିତ୍ର ପଡୋଶୀ ଦେଶ ନେପାଳରେ ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ନିଜ ମାଟିରେ ଏହି ଚିତ୍ର ଦେଖି ଆକ୍ତାମାକ୍ତ ହୋଇପଡୁଛନ୍ତି।

ଏକ ବିସ୍ତିର୍ଣ୍ଣ ଅଞ୍ଚଳରେ ଖାଲି ପଥର ପଡିଥିବା ବେଳେ ସେଦିନ ପାଣିରେ ବୋହି ଆସିଥିବା ବିରାଟ ଗଛର ଅବଶିଷ୍ଟାଂଶ ସେହି ପଥର ଗୁଡିକରେ ଲାଖି ରହିଛି।

ଏବେ ବି ପାଣିର ସୂଅ ରହିଛି।

ତଥାପି କେଉଁ ରୂପରେ ପାଣି ସେଦିନ ଏହି ନାଳରେ ବୋହି ଆସିଥିଲା ତାର ଜୀବନ୍ତ ଚିତ୍ର ଏହି ସ୍ଥାନକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।