Climate panchayat: ନୂଆଁଖାଇରେ ପ୍ରତ୍ୟେକେ ଗଛଟିଏ ଲଗାଇବାକୁ ଆହ୍ବାନ
"କୁଚିଣ୍ଡା (ଗାର୍ଗୀ ଶତପଥୀ): ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଦୈନିକ ୫୦୦ ଗଛ ହିସାବରେ ଗତବର୍ଷ ୩୫ ଲକ୍ଷ ଗଛ ଲଗାଯାଇଥିଲା।
ଚଳିତ ବର୍ଷ ୭୦୦ ଗଛ ହିସାବରେ ଆହୁରି ଅଧିକ ଗଛ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି।
ନୂଆଁଖାଇ ଛୁଟିରେ ଘରକୁ ଗଲେ ପ୍ରତ୍ୟେକେ ନିଶ୍ଚିତ ଗୋଟିଏ ଲେଖାଏଁ ଗଛ ଲଗାଇବା ପାଇଁ ଆହ୍ବାନ ଦେଇଛନ୍ତି ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ, ପାନୀୟଜଳ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ।
Advertisment ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଧାନସଭା ନିର୍ବାଚଳମଣ୍ଡଳୀ ଅନ୍ତର୍ଗତ କୁଚିଣ୍ଡା କଲେଜ ପ୍ରେକ୍ଷାଳୟରେ "ସମ୍ବାଦ - ଆମ ଓଡ଼ିଶା" ପକ୍ଷରୁ କୁଚିଣ୍ଡା କଲେଜ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଆହୁରି କହିଛନ୍ତି, ପରିବେଶ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ "ଏକ ପେଡ଼୍ ମାଁକେ ନାମ୍"ର ଆହ୍ବାନରେ ଗାଁରୁ ସହର ସମସ୍ତେ ସାମିଲ ହୋଇଥିଲେ।
ସ୍ବଚ୍ଛ ଭାରତ ମିସନ ମାଧ୍ୟମରେ ବର୍ଜ୍ୟର ବିଭକ୍ତୀକରଣ ସହିତ ଏହାର ପୁନଃବିନିଯୋଗ ଉପରେ ଗୁରୁତ୍ବ ଦିଆଯାଉଛି।
ବିଶ୍ବ ତାପନ ଆଜି ସମଗ୍ର ସମସ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଅଟେ।
ଝାରସୁଗୁଡ଼ା ଭଳି ସମୃଦ୍ଧ ଜିଲ୍ଲାରେ ପ୍ରଦୂଷିତ ଜଳବାୟୁ ଯୋଗୁଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ସତ୍ତ୍ବେ ଅନେକ ସରକାରୀ କର୍ମଚାରୀ ସେଠାରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି।
ପ୍ରଦୂଷଣ ବିରୋଧରେ ସବୁ ଯୁବ ପିଢ଼ି ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟବକ୍ତା ତଥା "ସମ୍ବାଦ" ସାହିତ୍ୟଘରର ସଭାପତି ଏବଂ କୁଟୁରାଚୁଆଁ କଲେଜ ପୂର୍ବ ଅଧ୍ୟକ୍ଷ ସୁବାସ ନାଏକ କହିଛନ୍ତି, ବିକାଶ ସ୍ବାଗତଯୋଗ୍ୟ।
କିନ୍ତୁ ବିକାଶ ନାମରେ ପ୍ରଦୂଷଣ ବରଦାସ୍ତଯୋଗ୍ୟ ନୁହେଁ।
କୁଚିଣ୍ଡାରେ କୌଣସି ଶିଳ୍ପ କିମ୍ବା ପାଓ୍ବାର ପ୍ଲାଣ୍ଟ ନାହିଁ।
ଝାରସୁଗୁଡ଼ାରୁ ଆସୁଥିବା ପାଉଁଶ କୁଚିଣ୍ଡାବାସୀଙ୍କୁ ଅଣନିଃଶ୍ବାସୀ କରୁଛି।
ଅଖୋଜ ବାମଣ୍ଡା ଯେଉଁଭଳି ଜଙ୍ଗଲରେ ପରିପୂର୍ଣ୍ଣ ଥିଲା, ସେହି ସମୟକୁ ଫେରାଇ ଆଣିବାକୁ ପଡ଼ିବ।
ଏଥିପାଇଁ ସେ ଏହି ଅବସରରେ ବୃକ୍ଷରୋପଣ ପାଇଁ ପଞ୍ଚାୟତ ସ୍ତରରେ ଜଙ୍ଗଲ ରକ୍ଷା ପାଇଁ କମିଟି ଗଠନ କରି ଅବୈତନିକ କର୍ମଚାରୀ ନିଯୁକ୍ତି ପ୍ରସ୍ତାବ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।
କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି କୁଚିଣ୍ଡା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରମୋଦ ସ୍ୱାଇଁ କହିଛନ୍ତି, ପ୍ରକୃତି ଭୋଗର ବସ୍ତୁ ନୁହେଁ।
ପ୍ରକୃତିକୁ ପରାଜିତ କରିବା ନାହିଁ ବରଂ ପ୍ରକୃତି ସହିତ ସହାବସ୍ଥାନ କରି ବଞ୍ଚିବାକୁ ହେବ।
ଏହି ଅବସରରେ ଅଧ୍ୟକ୍ଷ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ଗଛଟିଏ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ।
କୁଚିଣ୍ଡା କଲେଜକୁ ପ୍ଲାଷ୍ଟିକମୁକ୍ତ କ୍ୟାମ୍ପ୍ସ କରାଯିବାକୁ ଗୁରୁତ୍ବ ଦିଆଯାଇଥିବା କହିଥିଲେ।
କାର୍ଯ୍ୟକ୍ରମରେ କଲେଜ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ପରମିନ୍ଦର କୌର, ସଙ୍ଗମ ଦେହୁରୀ, ଯୁକ୍ତ ତିନି ଛାତ୍ର ଗାୟକ ଭଞ୍ଜ ପରିବେଶ ଉପରେ ମଣିଷ ଆକ୍ରମଣର ଭୟାବହ ଚିତ୍ର ବିଷୟରେ କହିଥିଲେ।
ସାମାଜିକ କର୍ମକର୍ତ୍ତା ବିଜୁ ସାହୁ ଏବଂ କରୁଣାକର କିଷାନ ନିଜ ମତାମତ ଉପସ୍ଥାପନ କରିଥିଲେ।
ପ୍ରାରମ୍ଭରେ କୁଚିଣ୍ଡା କଲେଜ ଅଧ୍ୟାପକ କାହ୍ନୁଚରଣ ମୁନ୍ନା ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ କରିଥିଲେ। "ସମ୍ବାଦ"ର ସମ୍ବଲପୁର ଜିଲ୍ଲା ପ୍ରତିନିଧି ଗାର୍ଗୀ ଶତପଥୀ ପରିବେଶ ପଞ୍ଚାୟତର ଉଦ୍ଦେଶ୍ୟ ବିଷୟରେ କହିଥିଲେ।
ଶେଷରେ କୁଚିଣ୍ଡା ବ୍ଲକ୍ ପ୍ରତିନିଧି ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ କଲେଜ ପ୍ରାଙ୍ଗଣରେ କଲେଜ ଅଧ୍ୟକ୍ଷଙ୍କ ସହିତ ଚାରା ରୋପଣ କରିଥିଲେ।
କାର୍ଯ୍ୟକ୍ରମରେ ଅଧ୍ୟାପକ ଦିଲୀପ ନନ୍ଦ, ମଞ୍ଜୁଶ୍ରୀ ଦାସ, ଖୁରସିଦ ବେଗମ, ମମତା ସାହୁ, ଜମନକିରା ପ୍ରତିନଧି ରାଜେନ୍ଦ୍ର ନାୟକ ଏବଂ ସାମ୍ବାଦିକ ତପନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।