CM's Ancestral House Come Under Demolition Drive: ଭଙ୍ଗାଯିବ ମୁଖ୍ୟମନ୍ତ୍ରୀଙ୍କ ଘର, ରାସ୍ତା ଚଉଡା ପାଇଁ ମୋହନଙ୍କ ଘରେ ବୁଲିବ ବୁଲଡୋଜର
ମୁଖ୍ୟମନ୍ତ୍ରୀ ମୋହନଙ୍କ ଘରେ ବୁଲିବ ବୁଲଡୋଜର। ରାସ୍ତା ଚଉଡା ହେବ, ଆଉ ଭାଙ୍ଗିବ ମୁଖ୍ୟମନ୍ତ୍ରୀଙ୍କ ଘର। ସିଂହସ୍ଥ ୨୦୨୮ ପାଇଁ ଉଜ୍ଜୟିନୀରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ତେଣୁ ବିପୁଳ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଯାତାୟାତକୁ ସୁଗମ କରିବା ପାଇଁ ସହରର ବିଭିନ୍ନ ରାସ୍ତାକୁ ପ୍ରଶସ୍ତ କରାଯାଉଛି। ଏହି ରାସ୍ତା ପ୍ରଶସ୍ତୀକରଣ ପ୍ରକଳ୍ପର ପ୍ରଭାବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବଙ୍କ ପୈତୃକ ଘର ଉପରେ ମଧ୍ୟ ପଡ଼ିଛି। ରାସ୍ତା ପ୍ରଶସ୍ତ କରିବା ପାଇଁ ତାଙ୍କ ପୈତୃକ ଘରର ପ୍ରାୟ ୨.୯୦ ମିଟର ଅଂଶ ଭାଙ୍ଗି ଦିଆଯିବ।
ଉଜ୍ଜୟିନୀର ଅବଦଲପୁରା ଅଞ୍ଚଳର ଖଜୁର ୱାଲି ମସଜିଦରୁ ଗଣେଶ ଚୌକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାମ କରାଯାଉଛି। ସିଂହସ୍ଥ ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଉଜ୍ଜୟିନୀରେ ପହଞ୍ଚିବାର ଆଶା ଥିବାରୁ ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ନିର୍ମାଣ ଓ ବିକାଶ କାର୍ଯ୍ୟ ହେଉଛି।
ଏହି ପ୍ରକଳ୍ପ ଅଧୀନରେ ଅବଦଲପୁରା ଅଞ୍ଚଳର ପ୍ରାୟ ୨୭୦ଟି ଘର ପ୍ରଭାବିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପୈତୃକ ଘର ସହ ତାଙ୍କ ଭଉଣୀ କଳାବତୀ ଯାଦବଙ୍କ ଘରର ମଧ୍ୟ କିଛି ଅଂଶ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟରେ ପ୍ରଭାବିତ ହେବ। ତେଣୁ ଏହି ପ୍ରକଳ୍ପରୁ କେବଳ ସାଧାରଣ ଲୋକଙ୍କ ଘର ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ପରିବାରର ସମ୍ପତ୍ତି ମଧ୍ୟ ପ୍ରଭାବିତ ହେଉଛି।
ମୋହନ ଯାଦବଙ୍କ ପୈତୃକ ଘର ସହ ତାଙ୍କ ପରିବାରର ଦୀର୍ଘଦିନର ସ୍ମୃତି ଜଡ଼ିତ ରହିଛି। ତାଙ୍କ ଜେଜେବାପା ରାମଚନ୍ଦ୍ର ଯାଦବ ୧୯୭୪ ମସିହାରେ ଏହି ଘର ନିର୍ମାଣ କରିଥିଲେ। ଏହି ଘରେ ମୋହନ ଯାଦବ ତାଙ୍କ ଭାଇଭଉଣୀମାନଙ୍କ ସହ ପିଲାଦିନ କାଟିଥିଲେ।
ସିଂହସ୍ଥ ୨୦୨୮ ଉଜ୍ଜୟିନୀ ପାଇଁ ଏକ ବଡ଼ ଧାର୍ମିକ ଆୟୋଜନ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ସହରରେ ଭିତ୍ତିଭୂମି ବିକାଶ କାମ ଚାଲିଛି। ରାସ୍ତା ପ୍ରଶସ୍ତୀକରଣ ଏହାର ଏକ ପ୍ରମୁଖ ଅଂଶ। ଏହି କାମ ଫଳରେ ଅବଦଲପୁରା ଅଞ୍ଚଳର ପ୍ରାୟ ୨୭୦ଟି ଘରର କିଛି ଅଂଶ ପ୍ରଭାବିତ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଘର ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।