Cockroaches and Expired Products Found During FDA Inspection: ଅସରପା ଓ ଏକ୍ପପାଏରୀ ଖାଦ୍ୟ ମିଳିବା ପରେ ଏହି ଷ୍ଟୋର୍‌ର ଲାଇସେନ୍ସ ରଦ୍ଦ

Aug 11, 2026 - 12:00
Cockroaches and Expired Products Found During FDA Inspection: ଅସରପା ଓ ଏକ୍ପପାଏରୀ ଖାଦ୍ୟ ମିଳିବା ପରେ ଏହି ଷ୍ଟୋର୍‌ର ଲାଇସେନ୍ସ ରଦ୍ଦ

ଏକ Blinkit ଷ୍ଟୋର୍‌ରେ ଯାଞ୍ଚ ବେଳେ ଗୁରୁତର ସ୍ୱଚ୍ଛତା ଓ ଖାଦ୍ୟ ସଂରକ୍ଷଣ ନିୟମର ଉଲ୍ଲଂଘନ ଧରାପଡ଼ିବା ପରେ ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ଏହାର ଖାଦ୍ୟ ଲାଇସେନ୍ସ ରଦ୍ଦ କରିଛି। ଫଳ ଓ ପନିପରିବା ଷ୍ଟକ୍‌ ମଧ୍ୟରେ ବହୁ ସଂଖ୍ୟାରେ ଅସରପା ଥିବା ମଧ୍ୟ ଯାଞ୍ଚ ବେଳେ ଜଣାପଡ଼ିଥିଲା।

ଅଗଷ୍ଟ ୭ ତାରିଖରେ ମୁମ୍ବାଇର ମାଲାଡ୍‌ ୱେଷ୍ଟରେ ଥିବା ଏହି କ୍ୱିକ୍-କମର୍ସ କମ୍ପାନୀର ଷ୍ଟୋର୍‌ରେ ଯାଞ୍ଚ କରାଯିବା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଯାଞ୍ଚ ସମୟରେ FDA ଅଧିକାରୀମାନେ ଷ୍ଟୋର୍‌ରେ ଅନେକ ଅବ୍ୟବସ୍ଥା ଓ ତ୍ରୁଟି ଚିହ୍ନଟ କରିଥିଲେ।

ଅଧିକାରୀମାନେ ଦେଖିଥିଲେ ଯେ କିଛି ଖାଦ୍ୟ ସାମଗ୍ରୀ ସିଧାସଳଖ ଚଟାଣ ଉପରେ ରଖାଯାଇଥିଲା। ଅନ୍ୟପଟେ କିଛି ରାକ୍‌ରେ କଳଙ୍କି ଲାଗିଥିଲା। FDA ପକ୍ଷରୁ ଖରାପ ଭାବେ ରକ୍ଷଣାବେକ୍ଷଣ ହେଉଥିବା କୋଲ୍ଡ ଷ୍ଟୋରେଜ୍‌ ଏବଂ ପୋକ ଓ ମୂଷା ନିୟନ୍ତ୍ରଣ ପାଇଁ ଅପର୍ଯ୍ୟାପ୍ତ ବ୍ୟବସ୍ଥା ନେଇ ମଧ୍ୟ ଆପତ୍ତି ଉଠାଯାଇଥିଲା।

ଯାଞ୍ଚ ବେଳେ କିଛି ଖାଦ୍ୟ ଉତ୍ପାଦର ଏକ୍ସପାଏରୀ ଡୋଟ୍ ସରିଯାଇଥିବା ଜଣାପଡ଼ିଥିଲା। ଏହାସହ ଅନ୍ୟ କିଛି ପ୍ୟାକେଟ୍‌ ଖରାପ ଥିବା କିମ୍ବା ସେଥିରେ ଚିରା ଥିବା ଭଳି ଦେଖାଯାଇଥିଲା। ଷ୍ଟୋର୍‌ରେ ଖାଦ୍ୟ ସାମଗ୍ରୀକୁ First In, First Out (FIFO) ଏବଂ First Expiry, First Out (FEFO) ପ୍ରଣାଳୀ ଅନୁସାରେ ଠିକ୍ ଭାବେ ବ୍ୟବସ୍ଥିତ କରାଯାଇନଥିବା ଅଧିକାରୀମାନେ କହିଛନ୍ତି।

ଯାଞ୍ଚ ସମୟରେ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଖାଦ୍ୟ ପ୍ୟାକେଟ୍ କରୁଥିବା କର୍ମଚାରୀଙ୍କ ବ୍ୟକ୍ତିଗତ ସ୍ୱଚ୍ଛତାରେ ମଧ୍ୟ ଅନେକ ତ୍ରୁଟି ଦେଖାଯାଇଥିଲା। କର୍ମଚାରୀଙ୍କ ମେଡିକାଲ୍ ପରୀକ୍ଷା ଓ ସ୍ୱାସ୍ଥ୍ୟ ରେକର୍ଡ ଅପର୍ଯ୍ୟାପ୍ତ ଥିବା ସହ ଆବଶ୍ୟକ ବ୍ୟକ୍ତିଗତ ସୁରକ୍ଷା ଉପକରଣ (PPE) ଯୋଗାଣ ମଧ୍ୟ ସନ୍ତୋଷଜନକ ନଥିବା ଜଣାପଡ଼ିଥିଲା।

ଏହାପରେ Food Safety and Standards Act, 2006ର ଧାରା 32(3) ଅନୁଯାୟୀ Blink Commerce Private Limitedର ଖାଦ୍ୟ ଲାଇସେନ୍ସକୁ FDA ରଦ୍ଦ କରିଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଉକ୍ତ ପ୍ରତିଷ୍ଠାନରେ ଖାଦ୍ୟ ବ୍ୟବସାୟ ସମ୍ପର୍କିତ ସମସ୍ତ କାର୍ଯ୍ୟକଳାପ ବନ୍ଦ ରଖିବାକୁ ନିଲମ୍ବନ ଆଦେଶରେ ନିର୍ଦ୍ଦେଶ ଦିଆଯାଇଛି। 

ମହାରାଷ୍ଟ୍ର FDA ପକ୍ଷରୁ ଚାଲିଥିବା ବ୍ୟାପକ ଖାଦ୍ୟ ସୁରକ୍ଷା ଯାଞ୍ଚ ଅଭିଯାନ ମଧ୍ୟରେ Blinkit ଷ୍ଟୋର୍‌ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। 
ଖାଦ୍ୟ ସୁରକ୍ଷା କମିଶନର୍‌ ତୁକାରାମ ମୁଣ୍ଡେଙ୍କ ନେତୃତ୍ୱରେ ଚାଲିଥିବା ଏହି ଅଭିଯାନରେ ମେ ୨୫ରୁ ଜୁଲାଇ ୩୧ ମଧ୍ୟରେ ସହରର ୩,୧୩୭ଟି ହୋଟେଲ୍‌, ରେଷ୍ଟୁରାଣ୍ଟ, ଖାଦ୍ୟ ଦୋକାନ ଏବଂ ଅନ୍ୟାନ୍ୟ ଖାଦ୍ୟ ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିଲା। ଏହି ସମୟରେ ନିୟମ ଉଲ୍ଲଂଘନ କରିଥିବା ଅନେକ ପ୍ରତିଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏ ସଂପର୍କରେ Blinkit ଷ୍ଟୋର୍‌ର ପ୍ରତିକ୍ରିୟା ମିଳିପାରିନାହିଁ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।