Cold storage: ଦେଶରେ ଶୀତଳ ଭଣ୍ଡାର ଅଭାବ: ବାର୍ଷିକ ୧.୨୨ ଲକ୍ଷ କୋଟିର ଖାଦ୍ୟ ନଷ୍ଟ

Nov 08, 2026 - 06:26
Cold storage: ଦେଶରେ ଶୀତଳ ଭଣ୍ଡାର ଅଭାବ: ବାର୍ଷିକ ୧.୨୨ ଲକ୍ଷ କୋଟିର ଖାଦ୍ୟ ନଷ୍ଟ

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ୧.୨୨ ଲକ୍ଷ କୋଟି ଟଙ୍କାର ଖାଦ୍ୟ ସାମଗ୍ରୀ ଲୋକଙ୍କ ଥାଳିରେ ପହଞ୍ଚିବା ପୂର୍ବରୁ ନଷ୍ଟ ହୋଇଯାଉଛି।

କ୍ଲାଇମେଟ୍‌ ଟ୍ରେଣ୍ଡ୍‌ସର ଏକ ରିପୋର୍ଟ ଅନୁଯାୟୀ ଏହାର ଦୁଇଟି କାରଣ ରହିଛି।

ଗୋଟିଏ କାରଣ ହେଲା ଫଳ ଓ ପନିପରିବା ସୁରକ୍ଷିତ ରଖିବା ଲାଗି ଦେଶରେ ଶୀତଳ ଭଣ୍ଡାରର ଅଭାବ।

ଦ୍ବିତୀୟ କାରଣ ହେଲା ପାଣିପାଗରେ ପରିବର୍ତ୍ତନ ଓ ବୃଦ୍ଧି ପାଉଥିବା ତାପମାତ୍ରା।

ଦେଶରେ ଉତ୍ପାଦନ ହେଉଥିବା ମୋଟ ଖାଦ୍ୟ ସାମଗ୍ରୀର କେବଳ ୪ ପ୍ରତିଶତ ପାଇଁ ଶୀତଳ ଭଣ୍ଡାରର ସୁବିଧା ରହିଛି।

ଖାଦ୍ୟ ପଚିସଢ଼ି ଯିବା କାରଣରୁ ବଜାରରେ ଏହାର ଅଭାବ ଦେଖାଦେଉଛି, ଯାହାର ସିଧା ପ୍ରଭାବ ଦରଦାମ ଏବଂ ଲୋକଙ୍କ ବଜେଟ୍‌ ଉପରେ ପଡ଼ୁଛି।

Advertisment ରିପୋର୍ଟ ଅନୁଯାୟୀ, ଦେଶରେ ୩୦ରୁ ୪୦ ପ୍ରତିଶତ ଫଳ ଓ ପନିପରିବା ବଜାର ବା ଗ୍ରାହକଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ହିଁ ପଚିସଢ଼ି ଯାଉଛି।

ଉପଯୁକ୍ତ ପରିଚାଳନା ଓ ପରିବହନ ଅଭାବରୁ ରାସ୍ତାରେ ୫ରୁ ୬ ପ୍ରତିଶତ ଶସ୍ୟ ଖରାପ ହୋଇଯାଉଛି।

ଦେଶରେ ଯେତେବେଳେ ଗ୍ରାହକଙ୍କ ଉପରେ ଖାଦ୍ୟ ସାମଗ୍ରୀର ମହଙ୍ଗା ବୋଝ ରହିଛି ସେହି ସମୟରେ ଶସ୍ୟ ଓ ପନିପରିବାର ନଷ୍ଟ ହେଉଛି।

ବିଶେଷଜ୍ଞଙ୍କ ମତ‌ରେ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୯୩ ପ୍ରତିଶତକୁ ବଢ଼ିଯାଇପାରେ।

ସେପ୍ଟେମ୍ବରରେ ଏହା ୫.୫୪ ପ୍ରତିଶତରେ ରହିଛି।

ସବୁଠୁ ଅଧିକ ପ୍ରଭାବ ରୋଷେଇ ବଜେଟ୍‌ ଉପରେ ପଡ଼ିବ।

ସାଧାରଣ ଲୋକଙ୍କ ମୋଟ ଖର୍ଚ୍ଚର ଏକ ବଡ଼ ଭାଗ ଖାଦ୍ୟପାନୀୟରେ ‌ହିଁ ହୋଇଥାଏ।

ସେପ୍ଟେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ୭.୭୪ ପ୍ରତିଶତ ଥିବାବେଳେ ଅକ୍ଟୋବରରେ ଏହା ୮.୨୦ ପ୍ରତିଶତରେ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି।

ପଚିଯାଉଛି ୪୦% ଫଳ ଓ ପନିପରିବା ବଢ଼ୁଛି ଦରଦାମ, ଗଡ଼ବଡ଼ ହେଉଛି ଲୋକଙ୍କ ଖର୍ଚ୍ଚ ଗରମ ଓ ଖରାପ ପାଣିପାଗ କାରଣରୁ ଫଳ ଓ ପନିପରିବା ଶୀଘ୍ର ପଚି ଯାଉଛି।

ଦେଶରେ ୨ କୋଟି ହେକ୍ଟରରୁ ଅଧିକ ଜମି (୧୪%) ଖରାପ ପାଣିପାଗ ଦ୍ବାରା ପ୍ରଭାବିତ ହେଉଛି।

ବିଶେଷଜ୍ଞଙ୍କ କହିବାନୁଯାୟୀ, ପାଣିପାଗର ପ୍ରଭାବ ଏବେ କେବଳ ‌ଚାଷ ପର୍ଯ୍ୟନ୍ତ ସୀମିତ ନାହିଁ।

ଏହା ବଜାର ଦର ଏବଂ ସାଧାରଣ ଲୋକଙ୍କ ବଜେଟକୁ ମଧ୍ୟ ବିଗାଡ଼ୁଛି।

କ୍ଲାଇମେଟ ଟ୍ରେଣ୍ଡ୍‌ସର ପ୍ରମୁଖ ଗବେଷକ ଡ.

ପଲକ ବାଲିୟାନଙ୍କ କହିବାନୁଯାୟୀ, ଭାରତରେ ଶସ୍ୟ ଓ ଫଳ-ପନିପରିବା ନଷ୍ଟ ହେବା କେବଳ କୃଷି କ୍ଷେତ୍ରର ସମସ୍ୟା ନୁହେଁ, ବରଂ ଏହା ସମଗ୍ର ଭିତ୍ତିଭୂମି ଓ ଯୋଗାଣ ଶୃଙ୍ଖଳାର ବିଫଳତା।

ଏକ ତୃତୀୟାଂଶ ଫଳ ଓ ପନିପରିବା ଗ୍ରାହକଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ନଷ୍ଟ ହୋଇଯାଉଛି।

ଖରାପ ପାଣିପାଗ ଏହି କ୍ଷତିକୁ ଆହୁରି ବଢ଼ାଇ ଦେଉଛି।

ତାପମାତ୍ରା ବୃଦ୍ଧିର ପ୍ରଭାବ ଦେଶରେ ଦୁଗ୍ଧ ବ୍ୟବସାୟକୁ ମଧ୍ୟ ପ୍ରଭାବିତ କରୁଛି।

ଗରମ ପାଇଁ ଭାରତରେ ପ୍ରତିବର୍ଷ ପ୍ରାୟ ୧୮ ଲକ୍ଷ ଟନ୍ କ୍ଷୀର ଉତ୍ପାଦନ କମିଯାଉଛି।

ଏଥିପାଇଁ ଦେଶକୁ ପ୍ରତିବର୍ଷ ୨୬୬୧ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି।

ଏହା କେବଳ କ୍ଷୀର ଚାଷୀଙ୍କ ଆୟକୁ କ୍ଷତି ପହଞ୍ଚାଉନାହିଁ ବରଂ ବଜାରରେ କ୍ଷୀରର ଉପଲବ୍ଧତାକୁ କମାଉଛି।

ଦେଶରେ ପ୍ରାୟ ୪୦ ପ୍ରତିଶତ ଗାଈ ଓ ମଇଁଷି ତାପମାତ୍ରା ବୃଦ୍ଧି ପାଇଁ ପ୍ରଭାବିତ ହେଉଛନ୍ତି।

କ୍ଲାଇମେଟ ଟ୍ରେଣ୍ଡ୍‌ସର ବିଶେଷଜ୍ଞଙ୍କ ମତରେ ଦେଶରେ ଶୀଘ୍ର ଶୀତଳ ଭଣ୍ଡାର ଓ ଶୀତଳୀକରଣ ବ୍ୟବସ୍ଥା ଥିବା ଯୋଗାଣ ଶୃଙ୍ଖଳକୁ ବଢ଼ାଇବାକୁ ହେବ।

ଏହାଦ୍ବାରା ଫଳ, ପନିପରିବା ଆଦି ପଚିବାରୁ ରକ୍ଷା ପାଇଯିବ।

ଏଥିସହିତ କୃଷକଙ୍କୁ ପାଣିପାଗ ସମ୍ପର୍କରେ ଠିକ୍‌ ସୂଚନା ଦେବାଭଳି ବ୍ୟବସ୍ଥା ବିକାଶ କରିବା ଏବଂ ଚାଷୀଙ୍କୁ ବଜାର ସହିତ ଯୋଡ଼ିବାର ଆବଶ୍ୟକତା ରହିଛି।

ଆଧୁନିକ ପ୍ରଯୁକ୍ତିର ବ୍ୟବହାର ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।