Congress Leader's Brother Shot Dead: କଂଗ୍ରେସ ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା, ପୂର୍ବରୁ ବି ହୋଇଥିଲା ମରଣାନ୍ତକ ଆକ୍ରମଣ!
କଂଗ୍ରେସ ନେତାଙ୍କ ଭାଇଙ୍କୁ ହତ୍ୟା। ପଞ୍ଜାବର ଗୁରଦାସପୁର ଜିଲ୍ଲାରେ ୨୭ ବର୍ଷୀୟ ଯୁବକ ସୁଖରାଜ ସିଂହଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଶନିବାର ରାତିରେ ପାଡ୍ଡା ଗାଁ ନିକଟରେ କିଛି ଅଜଣା ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇବାରୁ ତାଙ୍କର ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ ପୁରୁଣା ଶତ୍ରୁତାରୁ ଏଭଳି ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ।
ମୃତ ଯୁବକ ପାଡ୍ଡା ଗାଁର ବର୍ତ୍ତମାନର କଂଗ୍ରେସ ସରପଞ୍ଚ ନବଦୀପ ସିଂହଙ୍କ ସାନ ଭାଇ। ପରିବାର ଲୋକଙ୍କ କହିବା ଅନୁସାରେ, ବାବା ଶ୍ରୀଚନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସୁଖରାଜ ଗୁରୁଦ୍ୱାର ଯାଇଥିଲେ। ସେଠାରୁ ପ୍ରାୟ ରାତି ୮ଟାରେ ଗାଁକୁ ଫେରୁଥିବା ବେଳେ ଗାଁ ରାସ୍ତା ନିକଟରେ ଏକ କାର୍ରେ ଆସି କିଛି ଅଜଣା ବ୍ୟକ୍ତି ତାଙ୍କୁ ଅଟକାଇଥିଲେ। ଏହାପରେ ସେମାନେ ସୁଖରାଜଙ୍କ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ସୁଖରାଜ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।
ଘଟଣା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସେଠାରୁ ଦୁଇଟି ଖାଲି କାର୍ଟ୍ରିଜ୍ ଜବତ କରାଯାଇଛି। ଅନ୍ୟପଟେ ତଦନ୍ତରେ ଜଣାପଡ଼ିଛି ଯେ, ସୁଖରାଜଙ୍କ ବିରୋଧରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଛି। ତେଣୁ ପୁରୁଣା ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥାଇପାରେ।
ଅନ୍ୟପକ୍ଷରେ, ନବଦୀପ ସିଂହ କହିଛନ୍ତି ଯେ କିଛି ମାସ ପୂର୍ବରୁ ଶାହପୁର ଜଜନ ଗାଁରେ ତାଙ୍କ ଭାଇଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିଲା। କିନ୍ତୁ ପୋଲିସ ପକ୍ଷରୁ ଠୋସ୍ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଯେଉଁଥିପାଇଁ ଏଭଳି ଘଟଣା ଘଟିଛି। ତେବେ ପୋଲିସ ଅଭିଯୁକ୍ତମାନଙ୍କୁ ଖୋଜିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।