07 NOVEMBER 2026

Welcome!

Unlock your personalized experience.
Sign Up

Controversy: କର୍ଣ୍ଣାଟକରେ ପେଟ୍ରୋଲରେ ୩୧% ଯାଏଁ ଇଥାନଲ୍ ମିଶ୍ରଣ ଅଭିଯୋଗ: ସରକାର ଓ ତୈଳ କମ୍ପାନୀ ମୁହାଁମୁହିଁ

Nov 07, 2026 - 13:29
Controversy: କର୍ଣ୍ଣାଟକରେ ପେଟ୍ରୋଲରେ ୩୧% ଯାଏଁ ଇଥାନଲ୍ ମିଶ୍ରଣ ଅଭିଯୋଗ: ସରକାର ଓ ତୈଳ କମ୍ପାନୀ ମୁହାଁମୁହିଁ

ବେଙ୍ଗାଲୁରୁ: କର୍ଣ୍ଣାଟକର ୭ଟି ଜିଲ୍ଲାରେ ବିକ୍ରି ହେଉଥିବା ପେଟ୍ରୋଲରେ ନିର୍ଦ୍ଧାରିତ ୨୦ ପ୍ରତିଶତ ଇ-୨୦ ସୀମାଠାରୁ ଅଧିକ, ଅର୍ଥାତ୍ ୩୧.୨ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ୍ ମିଶାଯାଉଥିବା ନେଇ ରାଜ୍ୟ ସରକାରଙ୍କ ରିପୋର୍ଟରୁ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି। ବେଙ୍ଗାଲୁରୁ ସ୍ଥିତ ''ଶ୍ରୀରାମ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍''ରେ ପରୀକ୍ଷା କରାଯାଇଥିବା ୧୪ଟି ନମୁନା ମଧ୍ୟରୁ ୧୧ଟିରେ ଇଥାନଲ୍ ପରିମାଣ ୨୦ ପ୍ରତିଶତରୁ ଅଧିକ ରହିଥିବା ଜଣାପଡ଼ିଛି। ଇଣ୍ଡିଆନ୍ ଅଏଲ୍ ର ଗୋଟିଏ ନମୁନାରେ ୩୧.୨%, ଏଚପିସିଏଲ୍ ର ''ପାୱାର'' ପେଟ୍ରୋଲରେ ୩୦.୫% ଏବଂ ବିପିସିଏଲ୍ ର ''ସ୍ପିଡ୍'' ପେଟ୍ରୋଲରେ ୨୬.୫% ଏଥାନୋଲ୍ ମିଳିଥିବା କର୍ଣ୍ଣାଟକ ସରକାର ଦାବି କରିଛନ୍ତି।

ଏହି ସଂବେଦନଶୀଳ ତଥ୍ୟ ଆସିବା ପରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଓ ତୈଳ କମ୍ପାନୀଗୁଡ଼ିକୁ ତୀବ୍ର ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆ ଏକ୍ସ ରେ ପୋଷ୍ଟ କରି ରାହୁଲ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଇ୨୦ ନୀତି ଏବେ ''୪୨୦'' ରେ ପରିଣତ ହୋଇଛି, ଯାହା ଗାଡ଼ିଚାଳକଙ୍କ ପକେଟରୁ ଖୋଲାଖୋଲି ଚୋରି। ଅଧିକ ଇଥାନଲ୍ ମିଶ୍ରଣ ଯୋଗୁଁ ମାଇଲେଜ୍ କମିବା ଏବଂ ଗାଡ଼ିର ଇଞ୍ଜିନ୍ ଖରାପ ହେବା ଫଳରେ ଦେଶର ଉପଭୋକ୍ତାମାନେ ବାର୍ଷିକ ପ୍ରାୟ ୧.୦୧ ଲକ୍ଷ କୋଟି ଟଙ୍କାର ଅଦୃଶ୍ୟ ଆର୍ଥିକ ବୋଝ ସହିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। 

କେନ୍ଦ୍ର ସରକାରଙ୍କଠାରୁ ସ୍ପଷ୍ଟୀକରଣ ଦାବି
ଅନ୍ୟପକ୍ଷରେ, ତିନୋଟି ଯାକ ସରକାରୀ ତୈଳ ବିପଣନ କମ୍ପାନୀ (ଆଇଓସିଏଲ୍, ବିପିସିଏଲ୍, ଏଚପିସିଏଲ୍) ଏକ ମିଳିତ ବିବୃତି ଜାରି କରି କର୍ଣ୍ଣାଟକ ସରକାରଙ୍କ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ନମୁନା ସଂଗ୍ରହ ଓ ପରୀକ୍ଷା ପ୍ରକ୍ରିୟା ଆଇନଗତ ଏବଂ ବୈଷୟିକ ନିୟମାନୁସାରେ ହୋଇନଥିବା ସେମାନେ ଦର୍ଶାଇଛନ୍ତି। ଦେଶସାରା ବିକ୍ରି ହେଉଥିବା ଇ୨୦ ପେଟ୍ରୋଲ୍ ଭାରତୀୟ ମାନକ ବ୍ୟୁରୋର ନିୟମାବଳୀ (ଆଇଏସ୍ ୧୭୦୨୧) ଅନୁଯାୟୀ ୧୯ରୁ ୨୧ ପ୍ରତିଶତ ମଧ୍ୟରେ ହିଁ ପ୍ରସ୍ତୁତ କରାଯାଉଛି ବୋଲି ତୈଳ କମ୍ପାନୀଗୁଡ଼ିକ ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାର ଏହି ମାମଲାରେ କେନ୍ଦ୍ର ସରକାରଙ୍କଠାରୁ ସ୍ପଷ୍ଟୀକରଣ ଦାବି କରିବା ସହ ପ୍ରତ୍ୟେକ ପେଟ୍ରୋଲ୍ ପମ୍ପରେ ଇଥାନଲ୍ ମିଶ୍ରଣର ପରିମାଣ ସାର୍ବଜନୀନ ଭାବେ ପ୍ରଦର୍ଶନ କରିବାକୁ ଦାବି କରିଛନ୍ତି। ଏହି ଘଟଣା ଏବେ ଦେଶସାରା ଇନ୍ଧନ ଗୁଣବତ୍ତା, ଗାଡ଼ି ସୁରକ୍ଷା ଏବଂ ଗ୍ରାହକ ଅଧିକାରକୁ ନେଇ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

Nuclear Sites: ଇରାନର ପରମାଣୁ ସ୍ଥଳ ବିଷୟରେ ସୂଚନା ଦେଲେ ମିଳିବ ୧୮୮ କୋଟି ପୁରସ୍କାର: ଆମେରିକା ସେଣ୍ଟକମ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।