Cyclone Arnab Sparks Fear Among Farmers: ବାତ୍ୟା ଅର୍ଣ୍ଣବ ଭୟରେ ଉପକୂଳ ଥରହର, ଚାଷୀଙ୍କଠୁ ମତ୍ସ୍ୟଜୀବୀ ସମସ୍ତେ ଚିନ୍ତାରେ
ରୂପ ବଦଳାଇ ସାରିଲାଣି ସମୁଦ୍ର।
ତାର ଏହି ଉଗ୍ର ରୂପ ହିଁ ବୟାନ କରୁଛି କେତେ ଭୟଙ୍କର ହେବ ବାତ୍ୟା।
ଦକ୍ଷିଣ ଓଡ଼ିଶାରୁ ଉପକୂଳ ଯାଏଁ ପାଗ ସମ୍ପୂର୍ଣ୍ଣ ବଦଳି ଯାଇଛି।
କେଉଁଠି ମୁଷଳଧାରାରେ ବର୍ଷା ତ ଆଉ କେଉଁଠି ପବନ।
ଅଶାନ୍ତ ହୋଇ ଉଠିଛି ନୀଳାମ୍ବୁ ଚିଲିକା।
କୃଷ୍ଣପ୍ରସାଦ ଜେଟି ଏବେ ପୂରା ଶୂନଶାନ।
ସମୁଦ୍ର କୂଳରେ ବନ୍ଧା ହୋଇ ରହିଛି ମତ୍ସ୍ୟଜୀବୀଙ୍କ ଭାଗ୍ୟ...ତାଙ୍କର ଡଙ୍ଗା ଓ ଜାଲ।
ପୁରୀ ଅସ୍ତରଙ୍ଗରୁ ଆରମ୍ଭ କରି ଅରଖକୁଦା ଯାଏଁ ସମୁଦ୍ରକୂଳିଆଙ୍କ ମନରେ ଉଜ୍ଜୀବିତ ହୋଇଛି ଫନି, ଫାଇଲିନ ଆଉ ହୁଡହୁଡର ସେହି ପୁରୁଣା କ୍ଷତି ଓ ସ୍ମୃତି।
ସେପଟେ କୋଣାର୍କ ଚନ୍ଦ୍ରଭାଗାରେ ପର୍ଯ୍ୟଟକଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରୁଛନ୍ତି ଲାଇଫ୍ ଗାର୍ଡ।
ସେପଟେ କେନ୍ଦ୍ରାପଡ଼ା ରାଜନଗରରେ ପ୍ରାୟ ୬ ହଜାର ମତ୍ସ୍ୟଜୀବୀ କୂଳକୁ ଫେରିଆସିଛନ୍ତି।
ତେବେ ମହାକାଳପଡ଼ାରୁ କଙ୍କଡ଼ା ଧରିବାକୁ ଯାଇଥିବା ପ୍ରାୟ ୨୦ ଜଣ ମତ୍ସ୍ୟଜୀବୀ ନିଖୋଜ ଥିବା ଅଭିଯୋଗ ପରେ ଛନକା ବଢିଛି।
ସେମାନେ ମାଦେଳି ମୁହାଣ ନିକଟ ଲଞ୍ଚଗୋଲା ଦ୍ୱୀପପୁଞ୍ଜରେ ଫସିଥିବା ଅନୁମାନ କରାଯାଉଛି।
Advertisment ଏପଟେ ସମୁଦ୍ର ଅସ୍ଥିର...ସେପଟେ କ୍ଷେତରେ ଅନିଶ୍ଚିତତା।
ବାତ୍ୟା କଥା ଶୁଣି ଚଷା ପୁଅର ଛାତି ଧଡ଼ଧଡ଼।
ମାଲକାନଗିରିର ଚିତ୍ରକୋଣ୍ଡାରେ ଚାଷୀଙ୍କ ଆଖିରେ ନିଦ ନାହିଁ କି ପେଟକୁ ଭୋକ ନାହିଁ।
ମୁଣ୍ଡ ଝାଳ ତୁଣ୍ଡରେ ମାରି କ୍ଷେତରେ ଫଳାଇଥିବା ଅଧାପାଚିଲା ଧାନକୁ କାଟି ଆଣିବେ ନା ବିଲରେ ଛାଡ଼ିଦେବେ, ସେଇ ଦ୍ୱନ୍ଦ୍ୱରେ ଅନ୍ନଦାତାର ନିଦ ହଜିଯାଇଛି।
କଳାହାଣ୍ଡିରେ ଧାନ ଓ କପା ଚାଷୀଙ୍କ ନିଦ ହଜାଇ ଦେଇଛି ବର୍ଷା ପବନ।
ନୂଆପଡ଼ାରେ ଫସଲ ବଞ୍ଚାଇବାକୁ ପରିବାରର ଛୋଟରୁ ବଡ଼ ସମସ୍ତେ ଆଗୁଆ ଧାନ କାଟି ଆଣୁଛନ୍ତି।
କାରଣ ସମୟ ନାହିଁ, ଆଜି ଧାନ ନ କାଟିଲେ କାଲି ବର୍ଷାପବନ ମାଡ଼ରେ ଫସଲ ଧୋଇ ଯାଇପାରେ।
ଅର୍ଣ୍ଣବର ପଦଧ୍ବନୀ ଯେତିକି ନିକଟତର ହେଉଛି, ଉପକୂଳରୁ କ୍ଷେତଖଳା ଯାଏଁ ସେତିକି ଘନେଇବାରେ ଲାଗିଛି ବିପର୍ଯ୍ୟୟର କଳାବାଦଲ।
ସମୁଦ୍ର କୂଳରେ ଜୀବନ ବଞ୍ଚାଇବାର ସଂଘର୍ଷ, ଆଉ ବିଲମୁଣ୍ଡରେ ଜୀବିକା ବଞ୍ଚାଇବାର ଆକୁଳ ଉଦ୍ୟମ।
ଆତଙ୍କର ଆକାଶ ତଳେ ଏବେ ଅସହାୟ ଉପକୂଳରୁ ଉପାନ୍ତ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।