Cyclone Gopalpur and Srikakulam: ଆଜି ଅବପାତ: ଗୋପାଳପୁର-ଶ୍ରୀକାକୁଲମ୍ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ
"ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ କ୍ଷେତ୍ର ଆଜି ଅଧିକ ଘନୀଭୂତ ହୋଇଛି।
ଧୀରେ ଧୀରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ସୋମବାର ଅବପାତରେ ପରିଣତ ହେବ ଏବଂ ୨୨ ତାରିଖରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗଭୀର ଅବପାତରେ ପରିଣତ ହୋଇପାରେ।
ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।
ସମ୍ଭବତଃ ୨୩ ତାରିଖ ସକାଳେ ଗୋପାଳପୁରଠାରୁ ଶ୍ରୀକାକୁଲମ୍ ମଧ୍ୟରେ ସ୍ଥଳ ଭାଗ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।
୨୨ ତାରିଖଠାରୁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।Advertisment S Jaishankar: ୟୁଏନ୍ଜିଏରେ ଭାରତୀୟ ଦଳର ନେତୃତ୍ୱ ନେବେ ଜୟଶଙ୍କର ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ବାତ୍ୟା ସଂକ୍ରାନ୍ତରେ ଆକଳନ କରି ନାହିଁ।
ମାତ୍ର ଜାରି କରିଥିବା ଆକଳନ ଅନୁଯାୟୀ ୨୩ରୁ ୨୫ ତାରିଖ ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ ଏବଂ ଝଟକା ପବନ ଘଣ୍ଟା ପ୍ରତି ୭୫ କିମିରେ ପହଞ୍ଚିବ।
ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି।
ତେଣୁ ପରିସ୍ଥିତିକୁୂ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
ସେପ୍ଟେମ୍ବର ୨୩ ଓ ୨୪ ତାରିଖ ପାଇଁ ୬ଟି ଜିଲ୍ଲା ଯଥା କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି।
ଏଥିସହ ୨୩ ତାରିଖ ପାଇଁ ଜଗତସିଂହପୁର, କଟକ, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲା ଏବଂ ୨୪ ପାଇଁ ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ ବିପର୍ଯ୍ୟୟ ମୁକାବିଲା ପାଇଁ ସଜାଗ ରହିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି।
ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନେ ସୋମବାର ସନ୍ଧ୍ୟା ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।
ପବନର ବେଗ ୫୫ରୁ ୬୫ କିମି ପହଞ୍ଚିବ୨୩ ଓ ୨୪ ପାଇଁ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଧୀରେ ଧୀରେ ସଙ୍ଗଠିତ ହେଉଛି।
ସନ୍ଧ୍ୟା ୬ଟାରେ ଉପଗ୍ରହ ଚିତ୍ର ଅନୁଯାୟୀ ପୂର୍ବ ଓ ମଧ୍ୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ସାଗରରେ ଘନ ମେଘ ଦେଖାଯାଉଛି।
୨୩ ଓ ୨୪ ତାରିଖ ବେଳକୁ ଉପକୂଳ ନିକଟରେ ଗଭୀର ଅବପାତ ପହଞ୍ଚିବାର ସମ୍ଭାବନା ରହିଛି।
ଯଦି ଏହା ଆଶାଠାରୁ ଅଧିକ ସମୟ ସମୁଦ୍ର ଉପରେ ରହିବ, ତେବେ ଅଳ୍ପ ସମୟ ପାଇଁ ସାଇକ୍ଲୋନିକ୍ ଷ୍ଟର୍ମ ହୋଇପାରେ।
ଗଭୀର ଅବପାତ ସମୟରେ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ଏବଂ ଝଟକାରେ ୬୫ରୁ ୭୫ କିମି ହୋଇପାରେ।
ଅଳ୍ପ ସମୟ ପାଇଁ ସାଇକ୍ଲୋନିକ୍ ଷ୍ଟର୍ମ ହେଲେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିମି ଏବଂ ଝଟକାରେ ୮୦ରୁ ୯୦ କିମି ହୋଇପାରେ।
ତେବେ ସ୍ଥଳଭାଗକୁ ଆସିବା ପରେ ୬ରୁ ୧୨ ଘଣ୍ଟା ମଧ୍ୟରେ ପବନର ବେଗ ୧୦ରୁ ୨୦ କିମି କମିପାରେ।
ତେବେ ପଶ୍ଚିମ ବଙ୍ଗୋପସାଗର ନିକଟରେ ୨୦ରୁ ୨୫ ନଟ୍ (୧ ନଟ୍ ପ୍ରାୟ ୧.୮ କିମି)ର ମଧ୍ୟମରୁ ଅଧିକ ଉଚ୍ଚତାର ପବନ ଚାପ ରହିଛି।
ଏହା ଘୂର୍ଣ୍ଣିବାତ୍ୟାର ଦ୍ରୁତ ଶକ୍ତି ବୃଦ୍ଧିକୁ ରୋକିପାରେ ବୋଲି ସେ କହିଛନ୍ତି।
Weather: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ପ୍ରବଳ ବର୍ଷାରେ ଦିଲ୍ଲୀ ବେହାଲ ମଡେଲ୍ଗୁଡ଼ିକର ତଥ୍ୟକୁ ଅନୁଶୀଳନ କଲେ ଜଣାପଡ଼ୁଛି ଯେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଯାଇ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଅଞ୍ଚଳର ଗଞ୍ଜାମ-ଶ୍ରୀକାକୁଲମ୍ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ସେପ୍ଟେମ୍ବର ୨୩ରୁ ୨୪ ମଧ୍ୟରେ ପହଞ୍ଚିପାରେ।
ଦକ୍ଷିଣ-ମଧ୍ୟ କିମ୍ବା ମଧ୍ୟ ଓଡ଼ିଶା ଉପକୂଳ, ଯଥା ପୁରୀରୁ ଗଞ୍ଜାମ ଅଞ୍ଚଳ ଦିଗକୁ ଯିବାର ସମ୍ଭାବନା ରହିଛି।
ତେବେ ଏହା ସ୍ଥଳଭାଗକୁ ଆସି ଦକ୍ଷିଣ ଓ ମଧ୍ୟ ଓଡ଼ିଶା ଦେଇ କେନ୍ଦ୍ରୀୟ ଭାରତକୁ ଯିବାର ଅଧିକ ସମ୍ଭାବନା ରହିଛି।
ସୋମବାରଠାରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା, ବଜ୍ରପାତ ବଢ଼ିବ।
୨୨ରେ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ୨୩ରେ ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ ସଂଲଗ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।
ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ୨୪ ଘଣ୍ଟାରେ ୨୦୪ ମିମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।
୨୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିବ।
ଏହା ମଧ୍ୟ ଉପକୂଳ, ମଧ୍ୟ ଆଭ୍ୟନ୍ତରୀଣ ଓ ନିକଟସ୍ଥ ପଶ୍ଚିମ ଓଡ଼ିଶାକୁ ବ୍ୟାପିପାରେ।
ଦକ୍ଷିଣ ଅଞ୍ଚଳରେ କେତେକ ସ୍ଥାନରେ ଅତ୍ୟଧିକ ବର୍ଷା ହୋଇପାରେ।
୨୫ ଓ ୨୬ ତାରିଖରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଆକଳନ କରାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।