Cyclone on the 26th: ୨୬ରେ ବାତ୍ୟା: ୨୮ରେ ସ୍ଥଳଭାଗ ଛୁଇଁବ, ଆଜି ଅବପାତ

Oct 24, 2026 - 03:15
Cyclone on the 26th: ୨୬ରେ ବାତ୍ୟା: ୨୮ରେ ସ୍ଥଳଭାଗ ଛୁଇଁବ, ଆଜି ଅବପାତ

ଭୁବନେଶ୍ବର: ବଙ୍ଗୋପସାଗରରେ ଆସୁଛି ବାତ୍ୟା।

ବିଦେଶୀ ମଡେଲ୍‌ ଓ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ସହ ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏକମତ ହୋଇଛି।

ବିଭାଗ ସ୍ପଷ୍ଟ କରିଛି ଯେ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।

ଏହା ଅଧିକ ଘନୀଭୂତ ହୋଇ ୨୪ ତାରିଖ (ଶନିବାର) ଅବପାତ ଓ ୨୫ ତାରିଖରେ ଗଭୀର ଅବପାତରେ ପରିଣତ ହେବ।

ଏହାପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୬ ତାରିଖ ସକାଳେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ।

ପରବର୍ତ୍ତୀ ଦୁଇ ଦିନ ଅର୍ଥାତ ୨୭ ଓ ୨୮ ତାରିଖରେ ଅଧିକ ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ବାତ୍ୟା ରୂପ ନେଲେ ଏହାର ନାମ 'ଅର୍ଣ୍ଣବ' ରହିବ ବୋଲି ଜଣାପଡ଼ିଛି।

Advertisment Amitabh Bachchan: ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଦିଲଜିତ ଦୋସାଞ୍ଝଙ୍କ କନସର୍ଟକୁ ଟାର୍ଗେଟ୍‌ ସମୁଦ୍ରରେ ତିନି ଦିନ ରହିବ, ବଳ ଗୋଟାଇବ ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ବିଶାଖାପାଟଣା-ଚିଲିକା ମଧ୍ୟରେ ଛୁଇଁପାରେ ୨୭ ଓ ୨୮ରେ ଦକ୍ଷିଣ ଓଡ଼ିଶାକୁ ରେଡ୍‌ ଆଲର୍ଟ ବାତ୍ୟା ହେଲେ ନାମ ରହିବ 'ଅର୍ଣ୍ଣବ' ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ବଢ଼ିବ।

ଏବେ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ଘଣ୍ଟାପ୍ରତି ବେଗ ୩୫ରୁ ୪୫ କିଲୋମିଟର (କିମି) ରହିଛି।

ଶନିବାର ସନ୍ଧ୍ୟା ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିମି ଓ ଝଟକା ପବନର ବେଗ ୬୫ କିମି ଏବଂ ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ପୂର୍ବ-କେନ୍ଦ୍ରୀୟ, ପଶ୍ଚିମ-କେନ୍ଦ୍ରୀୟ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ଏବଂ ଝଟକା ପବନର ବେଗ ୭୦ କିମି ରହିପାରେ।

ଅକ୍ଟୋବର ୨୬ରେ ବାତ୍ୟା ହେବା ବେଳକୁ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିମି ଓ ଝଟକା ପବନର ବେଗ ୯୦ କିଲୋମିଟର ଛୁଇଁପାରେ।

୨୭ ତାରିଖ ବେଳକୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ଓ ଝଟକା ପବନର ବେଗ ୬୦ କିମି ଛୁଇଁପାରେ।

୨୮ ତାରିଖ ପର୍ଯ୍ୟନ୍ତ ପବନର ତୀବ୍ରତା ବୃଦ୍ଧି ପାଇବାର ଆଶଙ୍କା ରହିଛି।

୨୪ ତାରିଖଠାରୁ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ।

୨୬ ତାରିଖ ସକାଳଠାରୁ ୨୮ ତାରିଖ ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଉଚ୍ଚ ଜୁଆର ଏବଂ ବଡ଼ ଢେଉ ସୃଷ୍ଟି ହେବାର ଆଶଙ୍କା ରହିଛି।

୨୭ ଓ ୨୮ ତାରିଖରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ଉଚ୍ଚ ଜୁଆର ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

ତେଣୁ ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରେ ରହିଛନ୍ତି ସେମାନେ ଶନିବାର ସନ୍ଧ୍ୟା ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।

ଆସନ୍ତା ୨୬ ତାରିଖଠାରୁ ଉତ୍ତର ଆନ୍ଧ୍ରପ୍ରଦେଣ, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଆରମ୍ଭ ହେବ।

ଧୀରେ ଧୀରେ ବର୍ଷାର ପ୍ରକୋପ ବଢ଼ିବ।

୨୭ ତାରିଖରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

୨୮ ଓ ୨୯ ତାରିଖରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ।

ସମ୍ଭାବ୍ୟ ବାତ୍ୟାକୁ ନଜର‌ରେ ରଖି ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅର୍ଦ୍ଧାଧିକ ଜିଲ୍ଲା ପାଇଁ ରେଡ୍‌ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

୨୭ ତାରିଖରେ ପୁରୀ , ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ‌ରେଡ୍‌ ଏବଂ ମାଲକାନଗିରି , କୋରାପୁଟ, ରାୟଗଡ଼ା, କନ୍ଧମାଳ , ଖୋର୍ଦ୍ଧା, କନ୍ଧମାଳ, ନୟାଗଡ଼, କଟକ , ଜଗତସିଂହପୁର , କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ , ଢେଙ୍କାନାଳ , ଯାଜପୁର , ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି।

୨୮ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଦକ୍ଷିଣ ଓଡ଼ିଶାରେ ଅଧିକ ପ୍ରଭାବ ପକାଇବ। ‌ତେଣୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଏବଂ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲା ପାଇଁ ଅ‌ରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

୨୯ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର , କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।

ଆଇଏମ୍‌ଡି ଆକଳନରୁ ଜଣାପଡ଼ୁଛି ଯେ ବାତ୍ୟା ବିଶାଖାପାଟଣା ପାଖାପାଖି ଅଞ୍ଚଳରେ ସ୍ଥଳଭାଗ ଛୁଇଁବ।

ତେବେ ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଉପରେ ପଡ଼ିବ।

ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି।

ସ୍ଥଳଭାଗରେ ପହଞ୍ଚିଲା ବେଳକୁ ପବନର ବେଗ କେତେ ଥିବ ସେ ନେଇ ଆଇଏମ୍‌ଡି ଆକଳନ କରି ନ ଥିଲେ ମଧ୍ୟ ଘଣ୍ଟାପ୍ରତି ୧୨୦ କିମି ବେଗରେ ପବନ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ପ୍ରାଥମିକ ଆକଳନରୁ ଜଣାପଡ଼ୁଛି ୨୬ରୁ ୨୮ ତାରିଖ ମଧ୍ୟରେ ସାମୁଦ୍ରିକ ଓ ବାୟୁମଣ୍ଡଳ ସ୍ଥିତି ବାତ୍ୟା ପାଇଁ ଅନୁକୂଳ ରହିଛି।

ବାତ୍ୟା ହେବା ପରେ ତିନି ଦିନ ସମୁଦ୍ରରେ ରହିଥିବାରୁ ଅଧିକ ବଳ ଗୋଟାଇବ।

ଅତି ଭୀଷଣ ବାତ୍ୟା ରୂପ ନେଇପା‌ରେ ଏବଂ ପବନର ବେଗ ଘଣ୍ଟାପ୍ରତି ୧୨୦ କିମି ଛୁଇଁବ।

ଝଟକା ପବନ ୧୪୦ କିମି ରହିପା‌ରେ।

ବାତ୍ୟା ୨୮ ତାରିଖରେ ବିଶାଖାପାଟଣାରୁ ଚିଲିକା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ।

ଅଧିକ ସ୍ପଷ୍ଟ ଭାବେ କହିଲେ କଳିଙ୍ଗପାଟଣାରୁ ଗୋପାଳପୁର ମଧ୍ୟରେ ସମ୍ଭାବନା ଅଧିକ ରହିଛି।

ଆନ୍ଧ୍ର ଉପକୂଳ ଛୁଇଁଲେ ମଧ୍ୟ ଓଡ଼ିଶାରେ ପ୍ରଭାବ ରହିବ।

ଏହା ବର୍ତ୍ତମାନ ସମୟର ଆକଳନ।

ଅବପାତ ହେବା ପରେ ପବନର ବେଗ କେତେ ଓ ଗତିପଥ ନେଇ ଅଧିକ ସ୍ପଷ୍ଟ କରି ହେବ।

କେନ୍ଦ୍ରୀୟ ଉପକୂଳ ପାରାଦୀପ ଉତ୍ତରକୁ ରହିଥିବା ଗୁରୁଚାପ ବଳୟ (ଏସ୍‌ଟିଆର) ଯଦି ଅଧିକ ସଶକ୍ତ ହୁଏ ତେବେ ବାତ୍ୟାକୁ ଦକ୍ଷିଣ ଆଡ଼କୁ ଠେଲିବ, ଫଳରେ କାକିନଡ଼ା ଆଡ଼କୁ ମୁହାଁଇପାରେ ବୋଲି ସେ କହିଛନ୍ତି।

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜୋରଦାର ହୋଇଛି।

ଏହି ପରିପ୍ରେକ୍ଷୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନସ୍ଥିତ ଏସ୍‌ଇଓସି ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ, ବିଭିନ୍ନ ବିଭାଗର ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିସନର ଏବଂ ଓସ୍‌ଡମାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଏଥିରେ ସାମିଲ ହୋଇଥିଲେ।

ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଚତୁର୍ଥ ଶନିବାର ଓ ରବିବାର ସବୁ ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ ହୋଇଛି।

ଯେଉଁମାନେ ପୂର୍ବରୁ ଛୁଟିରେ ଯାଇଛନ୍ତି, ସେମାନଙ୍କୁ ମଧ୍ୟ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି।

Pollution: ଦିଲ୍ଲୀରେ ଏକ୍ୟୁଆଇ ୩୩୭କୁ ବୃଦ୍ଧି, ଗ୍ରାପ୍-୧ ପଦକ୍ଷେପ ସତ୍ତ୍ୱେ ପ୍ରଦୂଷଣ କମୁନି ବୈଠକରେ ଜିଲ୍ଲାପାଳମାନଙ୍କୁ ସମସ୍ତ ବିଭାଗୀୟ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା ଏବଂ ଜରୁରିକାଳୀନ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

ବିଶେଷ କରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରାଯାଇ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଗୁଆ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁମାନଙ୍କ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ ରିଲିଫ୍ କେନ୍ଦ୍ର, ମୋବାଇଲ ସ୍ୱାସ୍ଥ୍ୟ ଟିମ୍ ଏବଂ ଡାକ୍ତରଖାନାଗୁଡ଼ିକରେ ଜରୁରିକାଳୀନ ଔଷଧ ସହିତ ଅବିଚ୍ଛିନ୍ନ ବିଦ୍ୟୁତ୍ ସେବା ଏବଂ ଜରୁରି ପ୍ରସବ ସେବା ପ୍ରସ୍ତୁତ ରଖାଯିବ।

ରାଜ୍ୟ ସରକାର 'ଶୂନ୍ୟ ମୃତ୍ୟୁ' ନୀତିକୁ ଆପଣାଇ ପ୍ରଶାସନକୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି।

ଲୋକଙ୍କ ସୁରକ୍ଷା ପାଇଁ ସବୁପ୍ରକାର ପଦକ୍ଷେପ ନିଆଯାଉଛି।

ଲୋକମାନେ ଆତଙ୍କିତ ନ ହୋଇ ପ୍ରଶାସନକୁ ସହଯୋଗ କରନ୍ତୁ।

ଗୁଜବରୁ ଦୂରେଇ ରୁହନ୍ତୁ, କେବଳ ସରକାରୀ ସୂଚନା ଉପରେ ବିଶ୍ୱାସ କରନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।