02 NOVEMBER 2026

Welcome!

Unlock your personalized experience.
Sign Up

cyclone: ଲୁହ ଶୁଖିନି, ଆସୁଛି ଆଉ ଏକ ବାତ୍ୟା

Nov 02, 2026 - 07:36
cyclone: ଲୁହ ଶୁଖିନି, ଆସୁଛି ଆଉ ଏକ ବାତ୍ୟା

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ବନ୍ୟା ବିପନ୍ନଙ୍କ ଆଖିରୁ ଲୁହ ଶୁଖିନି। ଏବେ ବି ଘର ଭିତରେ ପଙ୍କ, କାଦୁଅ ସରସର। ବିଲରୁ ଫସଲ ଘରକୁ ଆସିବା ଭଳି ଦିଶୁନି। ଏଣେ ଆଉ ଏକ ବିପତ୍ତି ଦୁଆରମୁହଁରେ ‌ପହଞ୍ଚିଲାଣି। ‘ଅଣ୍ଣବ’ ପରେ ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ  ଘନଘନ ସମୀକ୍ଷା ହେଉଛି। ସ୍ଥିତି ଦେଖି ଜଳଭଣ୍ଡାର ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଘୋଡ଼ାହାଡ଼, ବାଘଲଟି, ବାଘୁଆ ଓ ଡହ ଜଳଭଣ୍ଡାର ସତର୍କ ସୂଚନା ଦେଇ ସାରିଲେଣି। ସେହିପରି ତଳିଆ ଅଞ୍ଚଳରୁ ପୁଣିଥରେ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। 

ବାତ୍ୟା ‘ମୁରାସୁ’ ପ୍ରଭାବରେ ଗଞ୍ଜାମରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ଆକଳନ ପରେ ଜିଲ୍ଲା ପ୍ରଶାସନ ସଜାଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍‌ଙ୍କ ଅଧ୍ୟକ୍ଷତାରେ ଆଭାସୀରେ ପ୍ରଶାସନିକ ଅଧିକାରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ତଳିଆ ଓ ନଦୀକୂଳ ଅଞ୍ଚଳରୁ ଲୋକଙ୍କୁ ପୁଣି ସ୍ଥାନାନ୍ତର ଲାଗି ନିଷ୍ପତ୍ତି ନିଆଯାଇଛି। ବନ୍ୟାରେ ଜଳବନ୍ଦି ହୋଇଥିବା ୭୩ଟି ଗାଁକୁ ପ୍ରାଥମିକତା ଦିଆଯାଇଛି। ବାଘୁଆ ଜଳଭଣ୍ଡାରରେ ପାଣି ୮୦ ପ୍ରତିଶତ ପୂର୍ଣ୍ଣ ରହିଛି। ଏହାକୁ ୬୦ ପ୍ରତିଶତରେ ସୀମିତ ରଖିବା ଲାଗି ଗୋଟିଏ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଭଞ୍ଜନଗର ଜଳଭଣ୍ଡାରରେ ୮୬ ପ୍ରତିଶତ ପାଣି ରହିଛି। ତେଣୁ ଯେକୌଣସି ମୁହୂର୍ତ୍ତରେ ପାଣି ଖଲାସ ହୋଇପାରେ। ବାଘଲଟି ଓ ଘୋଡ଼ାହାଡ଼ ଜଳଭଣ୍ଡାର ପକ୍ଷରୁ ଡାକବାଜି ଯନ୍ତ୍ର ଜରିଆରେ ଡ୍ୟାମ୍‌ ପାଣି ଛଡ଼ା ହେବା ନେଇ ସତର୍କ କରାଯାଉଛି। ୪ଟି ଜଳଭଣ୍ଡାରରୁ ପାଣି ଛଡ଼ାଗଲେ ସ୍ଥିତି ଆହୁରି ସାଂଘାତିକ ହୋଇପାରେ। 

ଗଞ୍ଜାମରେ ପ୍ରବଳ ବର୍ଷା ସମ୍ଭାବନା
ତଳିଆ ଅଞ୍ଚଳରୁ ପୁଣି ସ୍ଥାନାନ୍ତର ଆରମ୍ଭ
ଘନଘନ ସମୀକ୍ଷା, ଡ୍ୟାମ୍‌ ଗେଟ୍‌ ଖୋଲିବ
୨ ନିଲମ୍ବିତ, ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଅନ୍ୟପଟେ, ୩ ତାରିଖ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ସହଯୋଗ କାମନା କରାଯାଇଛି। ନଭେମ୍ବର ୨ରୁ ୪ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ତୁରନ୍ତ ତଳିଆ ଅଞ୍ଚଳବାସୀ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲି ଆସିବାକୁ କୁହାଯାଇଛି। ଗର୍ଭବତୀ, ଶିଶୁ, ବୟସ୍କ ଓ ଅସୁସ୍ଥଙ୍କୁ ଆଗୁଆ ସ୍ଥାନାନ୍ତର ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ ରହିଛି। ଘରେ ଆବଶ୍ୟକ ପରିମାଣର ଶୁଖିଲା ଖାଦ୍ୟ, ପିଇବା ପାଣି, ଔଷଧ ସହ ଜରୁରି ସାମଗ୍ରୀ ମହଜୁଦ ରଖିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି। ପାନୀୟଜଳ ସମସ୍ୟାର ସମାଧାନ ଲାଗି ଉଦ୍ୟମ ଚାଲିଛି। ରାଜ୍ୟସ୍ତରରୁ ୨୦୦ରୁ ଅଧିକ ଅତିରିକ୍ତ ଅଧିକାରୀ ବନ୍ୟା ମୁକାବିଲା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। 

ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍‌ ‘ସମ୍ବାଦ’କୁ କହିଛନ୍ତି, ଆ‌ମେ ପ୍ରସ୍ତୁତ ରହିଛୁ। ସରକାରୀ ଅଧିକାରୀମାନେ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି। ଯେଉଁଠି ସମସ୍ୟା ରହୁଛି, ତୁରନ୍ତ କଣ୍ଟ୍ରୋଲ୍‌ ରୁମ୍‌କୁ ଜଣାଇଲେ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବ।  ବିପର୍ଯ୍ୟୟ ପରିଚାଳନା ମୁକାବିଲାରେ ଅବହେଳା ଲାଗି ଧରାକୋଟ ଯୋଗାଣ ନିରୀକ୍ଷକ ବାଳକୃଷ୍ଣ ନାୟକ ଓ ପୁରୁଷୋତ୍ତମପୁର ବ୍ଲକ୍‌ ଅନ୍ତରିଗାଁ ପଞ୍ଚାୟତ ପିଇଓ ସତ୍ୟନାରାୟଣ ପଣ୍ଡାଙ୍କୁ ନିଲମ୍ବନ କରାଯାଇଛି। ଏଥିସହ ଶେରଗଡ଼ ବ୍ଲକ୍‌ ବ୍ରାହ୍ମଣଛାଇ ପଞ୍ଚାୟତ ପିଇଓ ଅନୁଜ ଗୌଡ଼ଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।