Daman Drive Odisha: ଦିନକରେ ୧୦୯ NBW କାର୍ଯ୍ୟକାରୀ, ୧୪୮ ଅବକାରୀ ମାମଲା
"ଭୁବନେଶ୍ବର: ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର "ଦମନ" ଅଭିଯାନକୁ ଅଧିକ ଜୋରଦାର କରାଯାଇଛି।
୨୧ ସେପ୍ଟେମ୍ବରରୁ ରାଜ୍ୟବ୍ୟାପୀ ଏହି ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ ବ୍ୟାପକ ଆଇନଗତ ପଦକ୍ଷେପ ନିଆଯାଇଛି।
ଏହି ଦିନ ୧୦୯ଟି ଜାମିନ ବିହୀନ ଗିରଫ ପରୱାନା (NBW) କାର୍ଯ୍ୟକାରୀ କରାଯାଇଥିବା ବେଳେ ୪୦ ଜଣଙ୍କ ବିରୋଧରେ BNSS ଧାରା ୧୨୯ ଅନୁଯାୟୀ ପ୍ରତିଷେଧମୂଳକ ପ୍ରସ୍ତାବ ଦିଆଯାଇଛି ଏବଂ ୨୯ ଜଣଙ୍କୁ ବାଉଣ୍ଡ ଡାଉନ୍ କରାଯାଇଛି।Advertisment ଅବକାରୀ ଆଇନ ଉଲ୍ଲଂଘନ ବିରୋଧରେ ୧୪୮ଟି ମାମଲା ରୁଜୁ କରାଯାଇ ୧୦୯ ଜଣଙ୍କୁ ଗିରଫ କରାଯାଇଛି।
ଏହି କାର୍ଯ୍ୟାନୁଷ୍ଠାନରେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ସହ ଅନ୍ୟାନ୍ୟ ଅବକାରୀ ସାମଗ୍ରୀ ଜବତ ହୋଇଛି।
ସେହିପରି ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ୧୫ଟି NDPS ମାମଲା ରୁଜୁ କରାଯାଇ ୧୮ ଜଣଙ୍କୁ ଗିରଫ କରାଯାଇଛି।
ଏହି ସମୟରେ ପ୍ରାୟ ୧,୯୧୮.୨ କିଲୋ ଗଞ୍ଜେଇ, ୬୩.୬୨୮ ଗ୍ରାମ୍ ବ୍ରାଉନ୍ ସୁଗାର ଓ ୬୦ ବୋତଲ କଫ୍ ସିରପ୍ ଜବତ କରାଯାଇଛି।
ଏଥିସହିତ ନିଶା କାରବାରରେ ବ୍ୟବହୃତ ଯାନବାହନ, ମୋବାଇଲ ଫୋନ୍ ଓ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି।
ଜୁଆ ଓ ବେଆଇନ ଚାନ୍ଦା ଆଦାୟ ବିରୋଧରେ ମଧ୍ୟ ଚଢ଼ାଉ କରାଯାଇଛି।
ଜୁଆ ସମ୍ପର୍କିତ ୨ଟି ମାମଲାରେ ୧୦ ଜଣ ଗିରଫ ହୋଇଥିବାବେଳେ ୩ଟି ବେଆଇନ ଚାନ୍ଦା ଆଦାୟ ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି।
ଏହି ମାମଲାରେ ନଗଦ ଟଙ୍କା, ତାସ ଓ ମୋବାଇଲ ଫୋନ୍ ଜବତ କରାଯାଇଛି।
ଏହାବ୍ୟତୀତ ବେଆଇନ ଅସ୍ତ୍ରଶସ୍ତ୍ର ବିରୋଧରେ ଅଭିଯାନ ସମୟରେ ୧ଟି ବନ୍ଧୁକ, ୨ଟି ଗୁଳି ଓ ୧ଟି ଖଣ୍ଡା ଜବତ କରାଯାଇଛି।
ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା ସହ ସୀମାନ୍ତ ଅଞ୍ଚଳରେ ୧୫୧ଟି ବ୍ଲକିଂ ଓ ବର୍ଡର ସିଲିଂ କରାଯାଇଛି।
ସଂଗଠିତ ଅପରାଧ ବିରୋଧରେ ମଧ୍ୟ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଛି।
ପାର୍ବଣ ସମୟରେ ରାଜ୍ୟବାସୀଙ୍କ ସୁରକ୍ଷା, ଶାନ୍ତି ଓ ନିରାପଦ ପରିବେଶ ସୁନିଶ୍ଚିତ କରିବା ପାଇଁ "ଦମନ" ଅଭିଯାନ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିବ।
ଜିଲ୍ଲା ପୋଲିସ, କମିଶନରେଟ୍ ପୁଲିସ, ରେଳବାଇ ପୋଲିସ ଓ ଅନ୍ୟାନ୍ୟ ପୁଲିସ ୟୁନିଟ୍ଗୁଡ଼ିକର ସମନ୍ୱୟରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ ନିରନ୍ତର ଅଭିଯାନ ଜାରି ରହିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।