Deep Depression To Cross Odisha Coast: ୨୩ ସକାଳେ ଉପକୂଳରେ ପହଁଚିବ ଗଭୀର ଅବପାତ, ସ୍ଥିତି ସମୀକ୍ଷା କଲେ ମୁଖ୍ୟ ସଚିବ
ରାଜ୍ୟରେ ବାତ୍ୟା ଆଶଙ୍କା ଘନଉଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ, ଲଘୁଚାପ ନିଶ୍ଚିତ ଭାବେ ଗଭୀର ଅବପାତର ରୂପ ନେବ। ଯାହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ୨୩ ରାତି ୨୪ ସକାଳ ମଧ୍ୟରେ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ ଗଭୀର ଅବପାତ। ୨୨ ତାରିଖ ସନ୍ଧ୍ୟାରୁ ହିଁ ବର୍ଷା ସାଙ୍ଗକୁ ୫୫ରୁ ୬୫ କିମି ବେଗରେ ପବନ ବହିବା ଆରମ୍ଭ ହୋଇଯିବ। ଗଷ୍ଟିଂ ସ୍ପିଡ୍ ବା ଝଟକା ପବନ ସର୍ବାଧିକ ୭୫ କିଲୋମିଟର ବେଗରେ ହୋଇପାରେ। ଆଜିଠୁ ବର୍ଷା ଆରମ୍ଭ ହୋଇସାରିଥିବା ବେଳେ ୨୫ ଯାଏଁ ବର୍ଷିବ।.. ଆଜି ଓ୍ୱେଲମାର୍କଡ ଲୋ-ପ୍ରେସରରେ ପରିଣତ ହୋଇଛି ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଯାହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ଅଧିକ। ୨୩ରେ ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି।
ସେପଟେ ବର୍ଷା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। କଟକରୁ କୋରାପୁଟ ଯାଏଁ ଆଗୁଆ ଆକ୍ସନ ମୋଡରେ ପ୍ରଶାସନ। ଦକ୍ଷିଣ ଓଡ଼ିଶାକୁ ରହିଛି ଅଧିକ ବର୍ଷା ବିପଦ। ତେଣୁ ସମ୍ଭାବ୍ୟ ପ୍ରବଳ ବର୍ଷା, ପବନ, ଜଳବନ୍ଦୀ ସମସ୍ୟା ଓ ଭୂସ୍ଖଳନ ଭଳି ପରିସ୍ଥିତିର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଉଦ୍ଧାରକାରୀ ଯନ୍ତ୍ରପାତି, ଔଷଧ ଓ ମାନବ ସମ୍ବଳ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆସରିଛି। ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯିବା ସହ ୨୫ ଯାଏଁ ସଦର ମହକୁମା ନଛାଡ଼ିବାକୁ କୁହାଯାଇଛି। ଭୂସ୍ଖଳନ ଆଶଙ୍କାରେ ୨୩ ଓ ୨୪ ତାରିଖ ଦୁଇ ଦିନ ବନ୍ଦ ରହିବ କଳିଙ୍ଗା ଘାଟି। ବିକଳ୍ପ ରାସ୍ତା ଦେଇ ଯାତାୟାତ ଜାରି ରହିବ। ଚିକିଟି ଓ ପାତ୍ରପୁର ଅଂଚଳରେ ମଧ୍ୟ ଭୂସ୍ଖଳନ ଆଶଙ୍କା ଥିବାରୁ ଅଗ୍ନିଶମ ଓ ଓଡ୍ରାଫ ଟିମକୁ ପ୍ରସ୍ତୁତ ରଖାଯାଇଛି। ଆଜି ଜିଲ୍ଲାପାଳ ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିବା ସହ ଜରୁରୀ ଔଷଧ, ଲାଇଟ୍, ଜେନେରେଟର ଓ ରହିବା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଆବଶ୍ୟକ ପଡ଼ିଲେ ସମୁଦ୍ର ଓ ତଳିଆ ଅଂଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବ ଏବଂ କଳାବଜାରୀ ଉପରେ ଫୋକସ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ।
ଏସଆରସି, ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀଙ୍କୁ ନେଇ ବୈଠକ କରିଛନ୍ତି ସରକାର। ମୁଖ୍ୟ ସଚିବ କହିଛନ୍ତି, ଲଘୁଚାପର ପ୍ରଭାବ ରାଜ୍ୟର 11ଟି ଜିଲ୍ଲା ଉପରେ ପଡ଼ିବ। ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଇନ୍ଦ୍ରାବତୀ ଏବଂ ତେଲିଙ୍ଗିରି ଡ୍ୟାମରେ ପାଣି କମାଇବାକୁ କୁହାଯାଇଛି। ଆଜିଠାରୁ SRC ଅଫିସରେ ଖୋଲାଯାଇଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍। ସେହିପରି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦେଇଛନ୍ତି ସରକାର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।