Delhi Cops: ଦିଲ୍ଲୀ ପୁଲିସ କର୍ମୀଙ୍କ ପୋଷାକରେ ଲାଗିବ ବଡି-ୱୋର୍ଣ୍ଣ କ୍ୟାମେରା
"ନୂଆଦିଲ୍ଲୀ: ଭୋଟର ତାଲିକା ସଂଶୋଧନ (ଏସଆଇଆର୍) କୁ ନେଇ ଜାରି ରହିଥିବା ବିକ୍ଷୋଭ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ବେଳେ ପୁଲିସ ବିରୋଧରେ ଆସୁଥିବା ଅସଦାଚରଣ ଅଭିଯୋଗ ମଧ୍ୟରେ ନୂଆଦିଲ୍ଲୀ ଅଞ୍ଚଳରେ ମୁତୟନ କର୍ମଚାରୀଙ୍କୁ ବଡି-ୱୋର୍ଣ୍ଣ କ୍ୟାମେରା ପ୍ରଦାନ କରାଯାଇଛି।
ନିର୍ବାଚନ କମିଶନ ମୁଖ୍ୟାଳୟକୁ ଯାଉଥିବା ରାସ୍ତା, ପ୍ରତିବାଦ ସ୍ଥଳ ଏବଂ ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ପୁଲିସ ସୁରକ୍ଷାକର୍ମୀଙ୍କୁ ଏହି କ୍ୟାମେରା ପିନ୍ଧାଯାଇଛି, ଯାହା ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ହେଉଥିବା ଆଲୋଚନା ଓ କାର୍ଯ୍ୟାନୁଷ୍ଠାନର ସିଧାସଳଖ ଭିଡିଓ ରେକର୍ଡ ରଖିବ।Advertisment ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨ ତାରିଖରେ ଯନ୍ତର ମନ୍ତରଠାରେ ହୋଇଥିବା ପ୍ରତିବାଦ ବେଳେ ତିନି ଜଣ ମହିଳା ସାମ୍ବାଦିକା ପୁଲିସ କର୍ମଚାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଏବଂ ଦୁର୍ବ୍ୟବହାରର ଗୁରୁତର ଅଭିଯୋଗ ଆଣିଥିଲେ।
ଏହି ଘଟଣାର ନିରପେକ୍ଷ ତଦନ୍ତ ଦାୟିତ୍ୱ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିବା ବେଳେ, ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର୍ ରୁଜୁ ଦାବିରେ ସାମ୍ବାଦିକମାନେ ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ସାମ୍ନାରେ ବିକ୍ଷୋଭ ଜାରି ରଖିଛନ୍ତି।
ଏହିଭଳି ସମ୍ବେଦନଶୀଳ ସ୍ଥିତିରେ ବଡି କ୍ୟାମେରା ବ୍ୟବହାର ଦ୍ୱାରା ପୁଲିସର ଉତ୍ତରଦାୟିତ୍ୱ ବୃଦ୍ଧି ପାଇବା ସହ ଯେକୌଣସି ଅଭିଯୋଗର ତଦନ୍ତ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିପାରିବ।
ଅନ୍ୟପଟେ, ନୂଆଦିଲ୍ଲୀ, ସେଣ୍ଟ୍ରାଲ୍ ଏବଂ ନୋର୍ଥ ଦିଲ୍ଲୀ ଜିଲ୍ଲାରେ ପ୍ରତିବାଦକୁ ଦୃଷ୍ଟିରେ ରଖି ନିଷେଧାଞ୍ଚଳଗୁଡ଼ିକରେ ବହୁସ୍ତରୀୟ ବାରିକେଡ୍ ସହ ବ୍ୟାପକ ପୁଲିସ ଓ ପାରାମିଲିଟାରୀ ବାହିନୀ ମୁତୟନ କରାଯାଇଛି।
ଏଥିସହିତ, ଆନ୍ଦୋଳନର ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୁଲିସ ଆଡଭାଇଜରୀ ଜାରି କରି ନିଜର ବୈଧ ପରିଚୟ ପତ୍ର ସ୍ପଷ୍ଟ ଭାବେ ପ୍ରଦର୍ଶନ କରିବା ଏବଂ ସୁରକ୍ଷା କାର୍ଯ୍ୟରେ ବାଧା ନସୃଷ୍ଟି କରି ନିରାପଦ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛି।
ଦେଖାଦେବ ଖାଦ୍ୟ ସଙ୍କଟ !
ଚେତାଇଲେଣି ବଡ଼ ବଡ଼ ନେତା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।