Delhi Protest Row: ସୁପ୍ରିମକୋର୍ଟକୁ ରାଜନୀତି ଭିତରକୁ ଟାଣନ୍ତୁ ନାହିଁ, ଦିଲ୍ଲୀ ପ୍ରତିବାଦ ମଧ୍ୟରେ କହିଲେ CJI
ଦିଲ୍ଲୀରେ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ବିବାଦ ଜାରି ରହିଥିବାବେଳେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ। ସୁପ୍ରିମକୋର୍ଟକୁ କୌଣସି ରାଜନୈତିକ ବିବାଦ ଭିତରକୁ ଟାଣିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏଥିସହ ପ୍ରତିବାଦ ଯୋଗୁଁ ସର୍ବୋଚ୍ଚ ନ୍ୟାୟାଳୟର କାର୍ଯ୍ୟ ଯେପରି ପ୍ରଭାବିତ ନହୁଏ, ସେଥିପ୍ରତି ଓକିଲମାନେ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି।
ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ର ସଭାପତି ତଥା ବରିଷ୍ଠ ଓକିଲ ପ୍ରଦୀପ ରାୟ ଓକିଲଙ୍କ ଅଟକ ଏବଂ ଇଣ୍ଟରନେଟ୍ ସେବା ବନ୍ଦ ସମ୍ପର୍କିତ ଏକ ନୂଆ ଆବେଦନର ଶୁଣାଣି ପାଇଁ ଅନୁରୋଧ କରିଥିଲେ। ଏହା ଉପରେ ପ୍ରଧାନ ବିଚାରପତି କହିଥିଲେ ଯେ କୋର୍ଟର କାର୍ଯ୍ୟରେ କୌଣସି ବାଧା ଉପୁଜିବା ଉଚିତ ନୁହେଁ।
ଓକିଲ, ସେମାନଙ୍କ କର୍ମଚାରୀ, କୋର୍ଟ କର୍ମଚାରୀ ଏବଂ ମାମଲା ସମ୍ପର୍କରେ ଆସୁଥିବା ପକ୍ଷମାନଙ୍କ ଯାତାୟାତ ଯେପରି ବାଧାପ୍ରାପ୍ତ ନହୁଏ, ତାହା ସୁନିଶ୍ଚିତ କରିବାକୁ ସେ କହିଥିଲେ।
ତେବେ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିବାକୁ କୋର୍ଟର କୌଣସି ଆପତ୍ତି ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ଓକିଲମାନେ ନିଜର ମତ ରଖିବାକୁ ଏବଂ ଆନ୍ଦୋଳନ କରିବାକୁ ସ୍ୱାଧୀନ ଭାବେ ନିଷ୍ପତ୍ତି ନେଇପାରିବେ। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ପ୍ରତିବାଦ ସ୍ଥଳକୁ ବାଛିବା ଉଚିତ ବୋଲି ସେ କହିଥିଲେ।
ଶାନ୍ତିପୂର୍ଣ୍ଣ ପ୍ରତିବାଦ ସପକ୍ଷରେ ସୁପ୍ରିମକୋର୍ଟ
ଏହାର ଗୋଟିଏ ଦିନ ପୂର୍ବରୁ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଦିଲ୍ଲୀ ପ୍ରତିବାଦ ସମ୍ପର୍କିତ ମାମଲାରେ କେତେକ ନିର୍ଦ୍ଦେଶ ଦେଇଥିଲେ।
ଶାନ୍ତିପୂର୍ଣ୍ଣ ପ୍ରତିବାଦର ଅଧିକାର ସୁରକ୍ଷିତ ରଖିବା, ଲୋକଙ୍କ ଯାତାୟାତ ସ୍ୱାଭାବିକ କରିବା ଏବଂ ଆଇନ ଅନୁଯାୟୀ ପ୍ରକ୍ରିୟା ପାଳନ ନକରି କାହାକୁ ଅଟକ ନରଖିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।
ଏଥିସହ ମେଟ୍ରୋ ଓ ରେଳ ସେବା ସ୍ୱାଭାବିକ ଭାବେ ଚାଲିବା, ଇଣ୍ଟରନେଟ୍ ସଂଯୋଗ ଅବ୍ୟାହତ ରହିବା ଏବଂ କୋର୍ଟ ପରିସର ନିକଟରେ ଲାଗୁ ହୋଇଥିବା କଟକଣା ହଟାଇ ନ୍ୟାୟ ପାଇବା ପାଇଁ ଲୋକଙ୍କ ଯାତାୟତ ସୁଗମ କରିବାକୁ ମଧ୍ୟ କୁହାଯାଇଥିଲା।
ମଙ୍ଗଳବାର ଶୁଣାଣି
ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଦାଖଲ ନୂଆ ଆବେଦନର ଶୁଣାଣି ମଙ୍ଗଳବାର କରିବାକୁ ପ୍ରଦୀପ ରାୟ ଅନୁରୋଧ କରିଥିଲେ। ପ୍ରତିବାଦ ସମ୍ପର୍କିତ ଅନ୍ୟ ମାମଲାଗୁଡ଼ିକର ମଧ୍ୟ ସେହି ଦିନ ଶୁଣାଣି ହେବାକୁ ଥିବାରୁ CJI ଏହି ଆବେଦନକୁ ତାଲିକାଭୁକ୍ତ କରିବାକୁ ରାଜି ହୋଇଥିଲେ।
କିନ୍ତୁ ଗଣତାନ୍ତ୍ରିକ ପ୍ରତିବାଦ ଜାରି ରହିବା ସହ ସୁପ୍ରିମକୋର୍ଟର କାର୍ଯ୍ୟ ଯେପରି ପ୍ରଭାବିତ ନହୁଏ, ତାହା ସୁନିଶ୍ଚିତ କରିବାକୁ ସେ ବାର୍ ଆସୋସିଏସନ୍କୁ କହିଥିଲେ। ଅନ୍ୟପଟେ, ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣନ୍ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଆଉ ଏକ ଆବେଦନର ପ୍ରସଙ୍ଗ ଉଠାଇଥିଲେ। ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ ଅନୁଯାୟୀ କଟକଣା ଲଗାଇବା ପାଇଁ କୌଣସି ଆଦେଶ ସାର୍ବଜନୀନ ଭାବେ ଉପଲବ୍ଧ ନଥିବା ସେ ଅଭିଯୋଗ କରିଥିଲେ। ବରିଷ୍ଠ ଓକିଲ ଦିନେଶ ଦ୍ୱିବେଦୀ ଏବଂ ସଦନ ଫରାସତଙ୍କ ସମେତ କେତେକ ଓକିଲଙ୍କୁ ଅଟକ ରଖିବା ଓ ସେମାନଙ୍କ ସହ ଦୁର୍ବ୍ୟବହାର କରାଯାଇଥିବା ନେଇ ମଧ୍ୟ ସେ ଚିନ୍ତା ପ୍ରକଟ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।