Detergent in Place of Salt: ମଧ୍ୟାହ୍ନ ଭୋଜନ ଖାଦ୍ୟରେ ଲୁଣ ବଦଳରେ ଡିଟରଜେଣ୍ଟ, ଛାତ୍ରଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ
ପିଲାଙ୍କ ମିଡ୍-ଡେ ମିଲ୍ ଖାଦ୍ୟରେ ଲୁଣ ବଦଳରେ ମିଶାଇଦେଲେ ଡିଟରଜେଣ୍ଟ। ଡିଟରଜେଣ୍ଟ ମିଶା ଖାଦ୍ୟ ଖାଇ ପାଖାପାଖି ୪୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାହାର ପେଟ କାଟୁଛି ତ ଆଉଛ କିଏ ବାନ୍ତି କରୁଛି। ପିଲାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ନାଳନ୍ଦା ଜିଲ୍ଲାରେ। ଅସୁସ୍ଥ ପିଲାମାନଙ୍କୁ ଶରିଫ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଖବର ମିଳିବା ପରେ ଛାତ୍ରଛାତ୍ରୀମାନଙ୍କ ବାପାମାଆମାନେ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲେ।
ସ୍କୁଲର ଜଣେ ଶିକ୍ଷକଙ୍କ କହିବାନୁସାରେ, ଏହି ସ୍କୁଲକୁ ଅନ୍ୟ ଏକ ସ୍କୁଲରୁ ମିଡ୍-ଡେ ମିଲ୍ ଆସେ। ପିଲାମାନଙ୍କୁ ଦିଆଯାଇଥିବା ଖାଦ୍ୟ ଭିତରୁ ସୋୟାବିନରେ ଦରକାର ମୁତାବକ ଲୁଣ ନଥିଲା। ଯେତେବେଳେ ପିଲାମାନେ ଲୁଣ ମାଗିଲେ, ସେମାନଙ୍କୁ ଭୁଲବଶତଃ ଲୁଣ ବଦଳରେ ଡିଟରଜେଣ୍ଟ ଦିଆଯାଇଥିଲା। ପିଲାମାନେ ଏ ବିଷୟରେ କିଛି ନ କହି ସେହି ଖାଦ୍ୟକୁ ଖାଇ ଦେଥିଲେ। କିନ୍ତୁ ଖାଦ୍ୟ ଖାଇବା ପରେ ପିଲାମାନଙ୍କର ପେଟ କାଟିବା ସହ ବାନ୍ତି ହେଲା। ଏହା ପରେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା।
ଅନ୍ୟପଟେ ବିହାରର ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ଶ୍ରାବଣ କୁମାର ହସ୍ପିଟାଲ ଯାଇ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ସ୍ଥିତି ପରଖିଛନ୍ତି। ପିଲାମାନଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲୁଣ ବଦଳରେ ଡିଟରଜେଣ୍ଟ ଦିଆଗଲା କିପରି? ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ ପୂର୍ବରୁ ଯାଞ୍ଚ କରାଯାଇଥିଲା କି ନାହିଁ? ଖାଦ୍ୟରେ ଡିଟରଜେଣ୍ଟ ମିଶିବା ଘଟଣା ପାଇଁ ଦାୟୀ କିଏ? ସ୍କୁଲରେ ଖାଦ୍ୟର ଗୁଣବତ୍ତା ଯାଞ୍ଚ ବ୍ୟବସ୍ଥା କେତେ ଉତ୍ତମ? ଡିଟରଜେଣ୍ଟ ଭଳି ରାସାୟନିକ ପଦାର୍ଥ ଖାଦ୍ୟ ସାମଗ୍ରୀ ନିକଟରେ ଥିଲା କାହିଁକି? ଏ ନେଇ ବିସ୍ତୃତ ତଦନ୍ତ ପରେ ସମସ୍ତ ଘଟଣା ବାବଦରେ ଜଣାପଡ଼ିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।