Devdutt Padikkal Continues Stunning Form: ପାଡିକଲଙ୍କ ଟେଷ୍ଟ କ୍ୟାରିୟରରେ ନୂଆ ମୋଡ଼, ନମ୍ବର-୩ ପାଇଁ ଦାବି ମଜବୁତ
ଭାରତୀୟ ଟେଷ୍ଟ ଦଳରେ ନମ୍ବର-୩ ସ୍ଥାନ ପାଇଁ ନିଜ ଦାବି ଆହୁରି ମଜବୁତ କରିଛନ୍ତି ଦେବଦତ୍ତ ପାଡିକଲ। ଗାଲେରେ ୧୬୭ ରନ୍ର ଚମତ୍କାର ଇନିଂସ ପରେ କଲମ୍ବୋରେ ମଧ୍ୟ ଶତକ ହାସଲ କରିଛନ୍ତି ଏହି ବାମହାତୀ ବ୍ୟାଟର।
୧୬୮ ବଲ୍ରେ ୧୦ଟି ଚୌକା ସହ ପାଡିକଲ ନିଜ ଶତକ ପୂରଣ କରିଥିଲେ। ୩୭ ରନ୍ରେ ଗୋଟିଏ ୱିକେଟ୍ ପଡ଼ିବା ପରେ କ୍ରିଜ୍କୁ ଆସିଥିବା ପଡିକଲ ପ୍ରଥମେ ଯଶସ୍ୱୀ ଜୟସ୍ୱାଲଙ୍କ ସହ ୨୯ ରନ୍ ଯୋଡ଼ିଥିଲେ। ପରେ ଅଧିନାୟକ ଶୁଭମନ ଗିଲଙ୍କ ସହ ତୃତୀୟ ୱିକେଟ୍ରେ ୧୨୦ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଗଢ଼ି ଭାରତକୁ ମ୍ୟାଚ୍ରେ ମଜବୁତ ସ୍ଥିତିକୁ ନେଇଥିଲେ।
ଗିଲ ୫୦ ରନ୍ରେ ଆଉଟ୍ ହେବା ପରେ ମଧ୍ୟ ପାଡିକଲଙ୍କ ବ୍ୟାଟିଂରେ କୌଣସି ପ୍ରଭାବ ପଡ଼ିନଥିଲା। ୯୧ରୁ ୯୯ ରନ୍କୁ ଦୁଇଟି ଚମତ୍କାର କଟ୍ରେ ପହଞ୍ଚିବା ପରେ ଲଙ୍ଗ୍-ଅନ୍ ଦିଗକୁ ଏକ ରନ୍ ନେଇ ସେ ଶତକ ପୂରଣ କରିଥିଲେ।
ପାଡିକଲଙ୍କ ଶତକ ଶ୍ରୀଲଙ୍କା ପାଇଁ ଆହୁରି ଯନ୍ତ୍ରଣାଦାୟକ ହୋଇଛି, କାରଣ ସେ ପ୍ରଥମ ବଲ୍ରେ ହିଁ ଡ୍ରପ୍ ହୋଇଥିଲେ ଏବଂ ୧ ରନ୍ରେ ମଧ୍ୟ ଏକ କଠିନ କ୍ୟାଚ୍ରୁ ବଞ୍ଚିଥିଲେ। ଏହି ଦୁଇଟି ସୁଯୋଗର ଫାଇଦା ଉଠାଇ ଭାରତୀୟ ବ୍ୟାଟର ଶ୍ରୀଲଙ୍କାକୁ ବଡ଼ ମୂଲ୍ୟ ଦେଇଛନ୍ତି।
ଏହି ସିରିଜ୍ରେ ପାଡିକଲ ଗାଲେରେ ୧୬୭ ଓ ୪୪ ରନ୍ କରିବା ପରେ ଏବେ କଲମ୍ବୋରେ ଆଉ ଏକ ଶତକ ହାସଲ କରିଛନ୍ତି। ମାତ୍ର ୪ଟି ଟେଷ୍ଟର ୬ ଇନିଂସରେ ତାଙ୍କ ରନ୍ ୪୦୦ ଅତିକ୍ରମ କରିଛି ଏବଂ ବ୍ୟାଟିଂ ଆଭେରେଜ୍ ୭୫ରୁ ଅଧିକ ରହିଛି।
ପାଡିକଲଙ୍କ ଏହା ପ୍ରଥମ ଶ୍ରେଣୀ କ୍ରିକେଟର ୧୧ତମ ଶତକ। ୫୮ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ସେ ୪,୧୦୦ରୁ ଅଧିକ ରନ୍ କରିସାରିଛନ୍ତି। ଘରୋଇ ମାଟି ବାହାରେ ମଧ୍ୟ ତାଙ୍କ ପ୍ରଦର୍ଶନ ବେଶ ଚମତ୍କାର ରହିଛି। ଲଗାତାର ଦୁଇ ଶତକ ସହ ପାଡିକଲ ଏବେ ଭାରତୀୟ ଟେଷ୍ଟ ଦଳର ନମ୍ବର-୩ ସ୍ଥାନ ପାଇଁ ନିଜକୁ ଦୃଢ଼ ଦାବିଦାର ଭାବେ ପ୍ରମାଣ କରୁଛନ୍ତି।
💯 in Galle
— BCCI (@BCCI) August 23, 2026
And HUNDRED 💯 again in Colombo🫡
Incredible batting from Devdutt Padikkal 👏👏
Updates ▶️ https://t.co/r9FgXSdsMf#TeamIndia | #SLvINDpic.twitter.com/vH2hDLHAhZ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।