Dhamnagar Flood Victims Lose Homes: ମାସେ ହେଲା ବନ୍ୟାରେ ଧାମନଗର; ଘର, ଚାଷ ହରାଇ ରାସ୍ତାରେ ଜୀବନ
ବନ୍ୟାରେ କିଏ କେତେ କଣ ହରାଇଛନ୍ତି। କିଏ ଜାଗା, କିଏ ଚାଷ ତ ପୁଣି କିଏ ନିଜର ସବୁକିଛି। ବିଭୀଷିକାର ଭିନ୍ନ ଭିନ୍ନ ଦୃଶ୍ୟ ପ୍ରତିଦିନ ସାମ୍ନାକୁ ଆସୁଛି। ଗଲା ମାସେ ହେଲା ବନ୍ୟାରେ ସନ୍ତୁଳି ହେଉଥିବା ଭଦ୍ରକ ଜିଲ୍ଲାର ଲୋକେ ଏବେ ବି ଘରକୁ ଫେରି ପାରିନାହାନ୍ତି। ନଦୀ ହୁଡ଼ା ରାସ୍ତାରେ ଖାଉଛନ୍ତି, ଦିନ କାଟୁଛନ୍ତି ଆଉ ରାତି ହେଲେ ନିଜ ପରିବାରକୁ ଧରି ଗାଈ ଗୋରୁଙ୍କ ସହ ସଂଘର୍ଷ କରୁଛନ୍ତି। ସ୍ବାମୀ ରାତି ଜଗିଲେ, ସ୍ତ୍ରୀ ଶୋଉଛନ୍ତି, ସ୍ବାମୀ ଦିନରେ ଶୋଇଲେ ସ୍ତ୍ରୀ ପହରା ଦେଉଛି। ଆଉ ପାଠ ପଢ଼ା ତ୍ ସେଇ କିଟ୍ କିଟ୍ ଅନ୍ଧାର ଭିତରେ କୁଆଡ଼େ ହଜି ହି ଯାଇଛି।
୪ ଥର ବନ୍ୟା ଦେଖିଥିବା ଭଦ୍ରକ ଜିଲ୍ଲା ବନ୍ୟାରେ ବୁଡ଼ୀଛି ଧାମନଗର ଅଞ୍ଚଳ। ବାଉଁଶରେ ପଲିଥିନକୁ ଲଦି, ଦଉଡ଼ିରେ କଷି ଘର ଖଣ୍ଡିଏ କିଛି ଦିନ ପାଇଁ ଭିଡ଼ା ହେଇଛି। ଜୀବନଟା ଏଠି ଅସହାୟ, ଦିନଟା କେମିତି କେମିତି କଟିଯାଏ। ରାତି ହେଲେ ମନକୁ ଡର ସାପ ଆଉ କୁମ୍ଭୀରର। ହେଲେ ମଣିଷ ଅବା କରିବ କ’ଣ..ସାପ, କୁମ୍ଭୀର ଛାଡ଼ନ୍ତୁ ମଶା ବି କିଛି କମ୍ ନୁହେଁ। ତେଣୁ ଏଇ ଫଟା ମଶାରୀକୁ ଢାଙ୍କି ପୋଡ଼ା କପାଳକୁ ଆଦରି ଏଇମିତି ଶୋଇବା କଥା। ବଞ୍ଚିବା ପାଇଁ ଖାଇବା ଜରୁରୀ, ତେଣୁ ଜେନତେନ ପ୍ରକାର ମାଟି ହାତରେ ତିଆରି ଚୁଳିରେ ଭାତ ଟିକିଏ ଫୁଟାଇବା କଥା।
ରାତିର ଅନ୍ଧାରରେ ବଢ଼ୁଥିବା ନଦୀର ଶବ୍ଦ ଭିତରେ ଛାତିକୁ ପଥର କରିଛନ୍ତି ଏମାନେ। ଆମେ ବି ସେଇ ସାହାସ ସାଉଁଟି ଆଗକୁ ବଢ଼ିଲୁ, ଯାହା ଦେଖିଲୁ ତାକୁ ବର୍ଣ୍ଣନା କେମିତି କରିବେ। ଲିଭି ଆସୁଥିବା ଟର୍ଚ୍ଚର ମିଞ୍ଜି ମିଞ୍ଜି ଆଲୁଆରେ ଅଧା ଓଦା ବହି ଖାତା ଓଲଟାଇ କୁନି ପିଲାଟେ ପାଠ ପଢ଼ୁଛି। କିଏ କହିଲା ମଣିଷର ହୃଦୟ ନାହିଁ! ମାନବିକତା କଣ ବୋଧେ ବିପଦ ଆସିଲେ ଜଣାପଡ଼େ। ଯେଉଁଠି ସେ ସେଠି ତା ଗାଈ ଗୋରୁ ଛେଳି ମେଣ୍ଢା ସବୁ। କଷାଏ ପଖାଳ ସିଏ ଖାଉଛି, ଅଧା ବିଡ଼ା ନଡ଼ା ଗାଇକୁ ଦଉଛି। ଆଖିକୁ ନିଦ ନାହିଁ, ତଥାପି ମନ ମାରି ବସି ହେବନି। ସେୟା ଭାବି ଟିକିଏ ଗଡ଼ି ଯିବା କଥା...ନେତା ଆସିଲେ, ନେତା ଗଲେ, ଭୋଟ୍ ଆସିବ ଆଉ ଭୋଟ୍ ଯିବ କିନ୍ତୁ ୟେ ଏମିତି ଥିଲେ, ଆଉ ବୋଧେ ଏମିତି ହିଁ ରହିଯିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।