Dilip Tirkey Files Police Complaint Against Hockey India Officials: ଜୀବନ ପ୍ରତି ବିପଦ ଅଭିଯୋଗ, ଦିଲ୍ଲୀ ପୋଲିସର ଦ୍ୱାରସ୍ଥ ହେଲେ ଦିଲୀପ ତିର୍କୀ
ହକି ଇଣ୍ଡିଆରେ ଅନ୍ତକନ୍ଦଳ ଆହୁରି ତୀବ୍ର ହୋଇଛି । ହକି ଇଣ୍ଡିଆ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ଦିଲୀପ ତିର୍କୀ କିଛି ଅଧିକାରୀଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି । ଅବିଶ୍ୱାସ, ଚୋରି, ଜୀବନ ପ୍ରତି ବିପଦ ଏବଂ ତାଙ୍କୁ ଅସହାୟ ଭାବେ ଛାଡ଼ିଦେବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ତିର୍କୀ ।
ଦକ୍ଷିଣ ଦିଲ୍ଲୀ ଡିସିପି କାର୍ଯ୍ୟାଳୟ ଅଭିଯୋଗ ମିଳିଥିବା ସ୍ପଷ୍ଟ କରିଛି । ତେବେ ଏପର୍ଯ୍ୟନ୍ତ କୌଣସି ଏଫ୍ଆଇଆର୍ ରୁଜୁ ହୋଇନଥିବା ଜଣାପଡ଼ିଛି । ଅଭିଯୋଗରେ ହକି ଇଣ୍ଡିଆର ପୂର୍ବତନ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର କମାଣ୍ଡର ଆର୍.କେ. ଶ୍ରୀବାସ୍ତବ, ଫାଇନାନ୍ସ ମ୍ୟାନେଜର ସୁବୋଧ କୁମାର, ଡାଇରେକ୍ଟର ଭୂଷଣ କୁମାର ଏବଂ ଡ୍ରାଇଭର ହରମିନ୍ଦର ସିଂହଙ୍କ ନାଁ ରହିଛି ।
ସୂଚନା ଅନୁସାରେ, ସେପ୍ଟେମ୍ବର ୨୨ରେ ଦିଲ୍ଲୀ ଗସ୍ତରେ ଥିବା ତିର୍କୀଙ୍କ ପାଇଁ ହକି ଇଣ୍ଡିଆ ପକ୍ଷରୁ ଏକ ସରକାରୀ ଗାଡ଼ି ଯୋଗାଇ ଦିଆଯାଇଥିଲା । ତେବେ ପରେ ଗାଡ଼ିଟିକୁ ହଠାତ୍ ଫେରାଇ ନିଆଯାଇଥିବା ଏବଂ ତାହା ଭିତରେ ତିର୍କୀଙ୍କ ବ୍ୟକ୍ତିଗତ ସାମଗ୍ରୀ ରହିଯାଇଥିବା ଅଭିଯୋଗ ହୋଇଛି । ଏଥିରେ ତାଙ୍କର ଜରୁରୀ ଔଷଧ ଥିବା ଏକ ବ୍ୟାଗ୍ ମଧ୍ୟ ରହିଥିବା କୁହାଯାଇଛି । ଗାଡ଼ି ଓ ସାମଗ୍ରୀ ଫେରାଇବାକୁ ତିର୍କୀ ହକି ଇଣ୍ଡିଆର ଅଧିକାରୀଙ୍କୁ ବାରମ୍ବାର ଫୋନ୍ କରିଥିବା ସୂଚନା ମିଳିଛି । ହେଲେ ତାଙ୍କ ଫୋନ୍ର ଉତ୍ତର ମିଳିନଥିବା ଅଭିଯୋଗ ରହିଛି ।
ଏପଟେ ହକି ଇଣ୍ଡିଆର ପ୍ରଶାସନିକ ନିଷ୍ପତ୍ତି ଓ ବୈଠକ ପ୍ରୋଟୋକଲକୁ ନେଇ ସଭାପତି ଦିଲୀପ ତିର୍କୀ ଓ ସାଧାରଣ ସମ୍ପାଦକ ଭୋଳାନାଥ ସିଂହଙ୍କ ମଧ୍ୟରେ ବିବାଦ ଚାଲିଛି । ବିଶ୍ୱକପ୍ ପୂର୍ବରୁ ଭାରତୀୟ ଦଳର ଜର୍ସିର ରଙ୍ଗ ପରିବର୍ତ୍ତନକୁ ନେଇ ମଧ୍ୟ ବିବାଦ ତୀବ୍ର ହୋଇଥିଲା । ଏହି ପରିବର୍ତ୍ତନ ତାଙ୍କ ସହମତି ବିନା କରାଯାଇଥିବା ତିର୍କୀ ଦାବି କରିଥିଲେ ।
ସେପ୍ଟେମ୍ବର ୧୮ରେ ହକି ଇଣ୍ଡିଆର ଏକ ଜରୁରୀ ଏକ୍ଜିକ୍ୟୁଟିଭ୍ ବୋର୍ଡ ବୈଠକ ମଧ୍ୟ ହୋଇଥିଲା । ତିର୍କୀ ଏହି ବୈଠକକୁ ନିଜ ଅନୁମୋଦନ ବିନା ଡକାଯାଇଥିବାରୁ ଅବୈଧ ବୋଲି କହିଥିଲେ । ବୈଠକରେ ହକି ଇଣ୍ଡିଆ ଲିଗ୍ର ପୁନର୍ଗଠନ, ନୂଆ ଜଏଣ୍ଟ ଭେଞ୍ଚର କମ୍ପାନୀ ଗଠନ ଏବଂ ନୂଆ ଗଭର୍ଣ୍ଣିଂ କାଉନସିଲ୍ ନେଇ ଆଲୋଚନା ହୋଇଥିଲା ।
ଅନ୍ୟପକ୍ଷରେ, ଭୋଳାନାଥ ସିଂହ ଏହି ଅଭିଯୋଗ ସମ୍ପର୍କରେ ଜାଣିନଥିବା କହିଛନ୍ତି । ସେ ବର୍ତ୍ତମାନ ଏସିଆନ୍ ଗେମ୍ସ ପାଇଁ ଜାପାନର ନାଗୋୟାରେ ଅଛନ୍ତି । ତାଙ୍କ କହିବା ଅନୁସାରେ, ହକି ଇଣ୍ଡିଆର ନିର୍ବାଚନ ନଭେମ୍ବର ୭ରେ ହେବ ।
ଏବେ ଦିଲୀପ ତିର୍କୀଙ୍କ ଏହି ପୋଲିସ ଅଭିଯୋଗ ପରେ ହକି ଇଣ୍ଡିଆର ଅନ୍ତକଳହ କେଉଁ ଦିଗକୁ ଯାଉଛି, ତାହା ଉପରେ ନଜର ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।