Disha Patani Visits Tiger's House: ଗୁଳିମାଡ ପରେ ଚିନ୍ତିତ ଦିଶା ପଟାନୀ, ଘରେ ଯାଇ ଟାଇଗରଙ୍କୁ ଭେଟିଲେ

Oct 19, 2026 - 13:00
Disha Patani Visits Tiger's House: ଗୁଳିମାଡ ପରେ ଚିନ୍ତିତ ଦିଶା ପଟାନୀ, ଘରେ ଯାଇ ଟାଇଗରଙ୍କୁ ଭେଟିଲେ

ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣା ପରେ ଚଳଚ୍ଚିତ୍ର ଜଗତରେ ଚିନ୍ତା ବଢ଼ିଛି। ମୁମ୍ବାଇର ଜୁହୁ ଅଞ୍ଚଳରେ ଅଭିନେତାଙ୍କ ଗାଡ଼ି ଉପରକୁ ପାଞ୍ଚ ରାଉଣ୍ଡ ଗୁଳି ଚାଳନା ହୋଇଥିବା ଖବର ପାଇବା ପରେ ତାଙ୍କର ପୂର୍ବତନ ପ୍ରେମିକା ତଥା ଚର୍ଚ୍ଚିତ ଅଭିନେତ୍ରୀ ଦିଶା ପଟାନୀ ତାଙ୍କୁ ଭେଟିବାକୁ ଘରେ ପହଞ୍ଚିଥିଲେ। ଅନ୍ୟପଟେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ଓ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଟାଇଗରଙ୍କୁ ଭେଟି ତାଙ୍କ ସହ କଥା ହୋଇଛନ୍ତି।

ସୋସିଆଲ ମିଡିଆରେ ଦିଶା ପଟାନୀ ଟାଇଗରଙ୍କ ଘରେ ପହଞ୍ଚିବାର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ ଚିନ୍ତିତ ଦେଖାଯାଉଥିବା ବେଳେ କ୍ୟାମେରାମ୍ୟାନ୍‌ଙ୍କୁ ଏଡ଼ାଇ ଶୀଘ୍ର ଘର ଭିତରକୁ ଯାଉଥିବା ଦେଖାଯାଇଛି। ଟାଇଗର ଓ ଦିଶାଙ୍କ ସମ୍ପର୍କକୁ ନେଇ ପୂର୍ବରୁ ଚର୍ଚ୍ଚା ହୋଇଥିଲେ ମଧ୍ୟ ଉଭୟ ନିଜକୁ ଭଲ ବନ୍ଧୁ ବୋଲି କହିଥିଲେ।

ଗୁଳିମାଡ଼ ଘଟଣା ପରେ ଟାଇଗର ଶ୍ରଫ୍‌ଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଏଥିରେ ତାଙ୍କ ହାତରେ ବ୍ୟାଣ୍ଡେଜ୍‌ ଓ ଅନ୍ୟ ସ୍ଥାନରେ ଡ୍ରେସିଂ ଥିବା ଦେଖାଯାଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଟାଇଗରଙ୍କୁ ଭେଟିବା ପରେ କହିଛନ୍ତି ଯେ, ଗୁଳିମାଡ଼ ସମୟରେ ବାରୁଦର ପ୍ରଭାବ ଓ ଭାଙ୍ଗିଥିବା କାଚ ଖଣ୍ଡ ଯୋଗୁଁ ଅଭିନେତାଙ୍କ ବାମ ହାତରେ ଆଘାତ ଲାଗିଛି। ଏହି ଘଟଣା ପରେ ଟାଇଗର ଓ ତାଙ୍କ ମା’ ଭୟଭୀତ ଓ ମାନସିକ ଭାବେ ବିଚଳିତ ଥିବା ସେ କହିଛନ୍ତି।

ସିନ୍ଦେ କହିଛନ୍ତି, ଅଭିନେତା ଓ ତାଙ୍କ ପରିବାରକୁ ସରକାର ପୂର୍ଣ୍ଣ ସହଯୋଗ କରିବେ। ସାଧାରଣ ଲୋକଙ୍କ ସହ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ମଧ୍ୟ ଟାର୍ଗେଟ କରି ଧମକ ଦିଆଯିବାକୁ ସରକାର ସହ୍ୟ କରିବେ ନାହିଁ। ଏଭଳି ଘଟଣା ରୋକିବା ଏବଂ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

ରବିବାର ଟାଇଗର ଶ୍ରଫ୍‌ ଜୁହୁର ପୁଷ୍ପା ପାର୍କ ଅଞ୍ଚଳର ଏକ କ୍ଲବ୍‌ରେ ଫୁଟବଲ୍‌ ଖେଳି ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା। ମୋଟରସାଇକେଲ୍‌ରେ ଆସିଥିବା ତିନି ଜଣ ଦୁର୍ବୃତ୍ତ ତାଙ୍କ କାର୍‌କୁ ଲକ୍ଷ୍ୟ କରି ଅତି କମ୍‌ରେ ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିଲେ।

ଏହି ଗୁଳିମାଡ଼ରେ ଟାଇଗରଙ୍କ ଡ୍ରାଇଭର ଓ ଜଣେ ଅଟୋରିକ୍ସା ଚାଳକ ଆହତ ହୋଇଥିଲେ। ଡ୍ରାଇଭର ଆହତ ହେବା ପରେ ଟାଇଗର ନିଜେ କାର୍‌ର ଷ୍ଟିୟରିଂ ଧରି ହସ୍ପିଟାଲ୍‌ ଅଭିମୁଖେ ଯାଇଥିଲେ। ତେବେ ଏହି ଘଟଣାରେ ତିନି ସୁଟର୍ସଙ୍କୁ ଗିରଫ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।