Disha Salian Death Case: ଦିଶା ସାଲିଆନଙ୍କ ମୃତ୍ୟୁ: CBI କରିବ ତଦନ୍ତ, ହାଇକୋର୍ଟଙ୍କ ବଡ଼ ରାୟ

Sep 02, 2026 - 13:56
Disha Salian Death Case: ଦିଶା ସାଲିଆନଙ୍କ ମୃତ୍ୟୁ: CBI କରିବ ତଦନ୍ତ, ହାଇକୋର୍ଟଙ୍କ ବଡ଼ ରାୟ

ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ସିବିଆଇକୁ FIR ରୁଜୁ ନିର୍ଦ୍ଦେଶ। ବମ୍ବେ ହାଇକୋର୍ଟ ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) କୁ ଏଫ୍‌ଆଇଆର୍ ପଞ୍ଜିକରଣ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବମ୍ବେ ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଦିଶା ସାଲିଆନଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେବା ନିହାତି ଆବଶ୍ୟକ। ଏହି ମାମଲାରେ ପୂର୍ବରୁ ହୋଇଥିବା ମୁମ୍ବାଇ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ କୋର୍ଟ ପ୍ରଶ୍ନ ଉଠାଇଛନ୍ତି।

ସୂଚନାଯୋଗ୍ୟ, ଦିଶା ସାଲିଆନ ଦିବଂଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଥିଲେ। ୨୦୨୦ ଜୁନ ୮ରେ ଏକ ବିଲ୍ଡିଂର ୧୪ ମହଲାରୁ ଖସି ଦିଶାଙ୍କର ମୃତ୍ୟୁ ହୋଇଥିବା ନେଇ ପୂର୍ବରୁ କୁହାଯାଉଥିଲା। କିନ୍ତୁ ଶରୀରରେ ଆଘାତ ଚିହ୍ନ ନଥିବାରୁ ଏହି ମୃତ୍ୟୁକୁ ନେଇ ଆରମ୍ଭରୁ ସନ୍ଦେହ ସୃଷ୍ଟି ହେଉଥିଲା। ତେବେ ଏହା ଏକ ଦୁର୍ଘଟଣା ନା ହତ୍ୟା ସିବିଆଇ ତଦନ୍ତ ହେବା ପରେ ଏହି ରହସ୍ୟ ଉପରୁ ପରଦା ଉଠିପାରିବ।

ଦିଶାଙ୍କ ବାପା ସତୀଶ ସାଲିଆନ ଗତ ବର୍ଷ ବମ୍ବେ ହାଇକୋର୍ଟରେ ଏକ ପିଟିସନ୍ ଦାୟର କରିଥିଲେ ଯେ ତାଙ୍କ ଝିଅକୁ ଗଣଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିଲା। ସତୀଶଙ୍କ ଓକିଲ ନିଲେଶ ଝା ମଧ୍ୟ ପୋଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହାପରେ ବମ୍ବେ ହାଇକୋର୍ଟରେ ସତୀଶ ତାଙ୍କ ଝିଅର ମୃତ୍ୟୁର ସିବିଆଇ ତଦନ୍ତ ଏବଂ ଶିବସେନା (UBT) ନେତା ଆଦିତ୍ୟ ଠାକରେଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି କରିଥିଲେ। ତେବେ ଦିଶାଙ୍କ ମୃତ୍ୟୁର କିଛି ଦିନ ପରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।