Diwali: ଦୀପାବଳି ପରେ ବଢ଼ିପାରେ ଦରଦାମ୍: କଞ୍ଚାମାଲ ଦର ବୃଦ୍ଧି ପାଇଁ ଚାପରେ କମ୍ପାନି, ଘରଖର୍ଚ୍ଚକୁ ବିଗାଡ଼ିବ
"ନୂଆଦିଲ୍ଲୀ: ଲୋକଙ୍କୁ ଦରଦାମ୍ ଗତ କିଛିମାସ ହେଲା ଅଣନିଃଶ୍ବାସୀ କରି ପକାଇଲାଣି।
ପ୍ରଥମେ ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଶ୍ବରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେଲା।
ଦେଶରେ ପେଟ୍ରୋଲ, ଡିଜେଲ, ଗ୍ୟାସଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ମହଙ୍ଗା ହେଲା।
ସରକାରୀ ତେଲ କମ୍ପାନିଗୁଡ଼ିକ ଘରୋଇ ଏଲ୍ପିଜି ଦର ସିଲିଣ୍ଡର ପିଛା ଦୁଇ ଥରରେ ପାଖାପାଖି ୯୦ ଟଙ୍କା ବଢ଼ାଇ ଦେଲେ।
ବାଣିଜ୍ୟିକ ଏଲ୍ପିଜି, ସିଏନ୍ଜି ଓ ପାଇପ୍ ଯୋଗେ ଯୋଗାଇ ଦିଆଯାଉଥିବା ଗ୍ୟାସ ମଧ୍ୟ ବାଦ୍ ପଡ଼ିଲା ନାହିଁ।
ପେଟ୍ରୋଲ ଓ ଡିଜେଲ ଦର ୪ ଥରରେ ପାଖାପାଖି ୮ ଟଙ୍କା ମହଙ୍ଗା କରି ଦିଆଗଲା।
ଏସବୁ ଦରବୃଦ୍ଧି ଗୃହିଣୀଙ୍କ ହାଣ୍ଡିଶାଳଠାରୁ ଆରମ୍ଭ କରି ହୋଟେଲରେ ଖାଉଥିବା ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅସୁବିଧାରେ ପକାଇଛି।
ସେହି ସଙ୍କଟ ଟଳି ନଥିବାବେଳେ ଏଲ୍ନିନୋ ପ୍ରଭାବରୁ ଖାଦ୍ୟଶସ୍ୟ ଉତ୍ପାଦନ କମିବା ଆଶଙ୍କା ସୃଷ୍ଟି ହୋଇଛି।
ଏଥିପାଇଁ ଗତ କିଛିଦିନ ମଧ୍ୟରେ ଦେଶରେ ଚାଉଳ, ଡାଲି, ତେଲ, ଚିନି, କ୍ଷୀର ଭଳି ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଯାଇଛି।
ଅଦିନିଆ ବର୍ଷା ଓ ପ୍ରତିକୂଳ ପାଣିପାଗ ପାଇଁ କଞ୍ଚା ପନିପରିବା ଦର ହାତପାଆନ୍ତାରେ ନାହିଁ।
Advertisment Neglect: ନବରଂଗପୁର ଜିଲ୍ଲାର ବିକାଶରେ ଲାଗୁନି ଡିଏମଏଫ ପାଣ୍ଠି ଏଥିପାଇଁ ଧନୀଠାରୁ ଗରିବ ପର୍ଯ୍ୟନ୍ତ ସବୁବର୍ଗର ଲୋକ ପରିବା ବଜାରକୁ ଡରିଲେଣି।
ଦରଦାମ ସମସ୍ୟା ଏତିକିରେ ଶେଷ ହୋଇନାହିଁ।
ବାଇକ୍, କାର୍ଠାରୁ ଆରମ୍ଭ କରି ମୋବାଇଲ ଫୋନ୍, ଲାପ୍ଟପ, କମ୍ପ୍ୟୁଟର ଏବେ ମହଙ୍ଗା ହୋଇଛି।
ଶିକ୍ଷା, ସ୍ବାସ୍ଥ୍ୟସେବା, ବସ୍, ଟ୍ରକ୍, ଅଟୋ ଏବଂ ବିମାନଭଡ଼ା ବଢ଼ିଯାଇଛି।
ଏସବୁ ଲୋକଙ୍କୁ ଆକ୍ତାମାକ୍ତା କରୁଛି।
ଏହା ସତ୍ତ୍ବେ ରାଜ୍ୟ ଏବଂ ଦେଶର ବିଭିନ୍ନ ଭାଗରେ ଲୋକମାନେ ବର୍ତ୍ତମାନ ପାର୍ବଣ ପାଇଁ ଖୁସି ମନାଉଛନ୍ତି।
ଦଶହରା ପରେ ଆସିବ ଦୀପାବଳି।
ତେବେ ଦୀପାବଳି ପରେ ଖାଉଟିଙ୍କୁ ଦରଦାମ୍ ଛଟପଟ କରିବ।
ଏଭଳି ସଂକେତ କମ୍ପାନିଗୁଡ଼ିକର ଭବିଷ୍ୟତ କାର୍ଯ୍ୟପନ୍ଥାରୁ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି।
ବଜାର ବିଶ୍ଳେଷକଙ୍କ କହିବାନୁଯାୟୀ, କଞ୍ଚାମାଲ ଦର ବୃଦ୍ଧି ଯୋଗୁଁ ଦ୍ରୁତ ବିକ୍ରି ହେଉଥିବା ଉପଭୋକ୍ତା ସାମଗ୍ରୀ (ଏଫ୍ଏମ୍ସିଜି) ଉତ୍ପାଦନକାରୀ କମ୍ପାନିଗୁଡ଼ିକ ଚାପରେ ରହିଛନ୍ତି।
ଲାଭ ହ୍ରାସକୁ ରୋକିବା ସହ ଗ୍ରାହକଙ୍କୁ ଅଧିକ ଦାମ୍ରେ ସାମଗ୍ରୀ ନ ବିକିବା କମ୍ପାନିଗୁଡ଼ିକ ପାଇଁ ବଡ଼ ଆହ୍ୱାନ ପାଲଟିଛି।
ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ସହିତ ତେଲ, ଚିନି, ପ୍ୟାକେଜିଂ ସାମଗ୍ରୀ ଏବଂ ଅଶୋଧିତ ତୈଳରୁ ପ୍ରସ୍ତୁତ ଉପାଦାନର ମୂଲ୍ୟ ବୃଦ୍ଧି କମ୍ପାନିଗୁଡ଼ିକର ଉତ୍ପାଦନ ଖର୍ଚ୍ଚ ବଢ଼ାଇଛି।
ଏହାର ପ୍ରଭାବ କମ୍ପାନିଗୁଡ଼ିକର ଲାଭ ଉପରେ ଚାପ ପକାଇଛି।
କିନ୍ତୁ ପାର୍ବଣ ସମୟରେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନିଗୁଡ଼ିକ ତୁରନ୍ତ ଦାମ୍ ବଢ଼ାଇବାକୁ ଚାହୁଁନାହାନ୍ତି।
ବିଶେଷକରି ଗ୍ରାମାଞ୍ଚଳ ଓ ମଧ୍ୟମ ଆୟବର୍ଗର ଗ୍ରାହକ ଦର ପ୍ରତି ଅଧିକ ସମ୍ବେଦନଶୀଳ ଥିବାରୁ ଦରବୃଦ୍ଧି ଚାହିଦାକୁ ପ୍ରଭାବିତ କରିପାରେ।
ତେଣୁ ଅନେକ କମ୍ପାନି ବର୍ତ୍ତମାନ ଅତିରିକ୍ତ ଖର୍ଚ୍ଚର କିଛି ଅଂଶ ନିଜେ ବହନ କରୁଛନ୍ତି।
ସୂଚନା ଅନୁଯାୟୀ ବିସ୍କୁଟ, ଖାଇବା ତେଲ, ସାବୁନ, ସାମ୍ପୁ, ଡିଟରଜେଣ୍ଟ ଓ ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଉପରେ ଚାପ ରହିଛି।
କେତେକ କମ୍ପାନି ଛୋଟ ପ୍ୟାକେଟ୍ର ଓଜନ କମାଇବା ଏବଂ ବଡ଼ ପ୍ୟାକେଟ୍ର ଦାମ୍ରେ ସୀମିତ ବୃଦ୍ଧି କରିବା ଭଳି ପଦକ୍ଷେପ ନେଉଛନ୍ତି।
ତେବେ ସବୁ ସାମଗ୍ରୀର ଦାମ୍ ଏକାସାଙ୍ଗରେ ବଢ଼ିବ ବୋଲି କୁହାଯାଇପାରିବ ନାହିଁ।
ବିଶେଷଜ୍ଞଙ୍କ ମତରେ, କଞ୍ଚାମାଲର ଦର ଏହିଭଳି ଉଚ୍ଚସ୍ତରରେ ରହିଲେ ଦୀପାବଳି ପରେ କମ୍ପାନିଗୁଡ଼ିକ ଦାମ୍ ବୃଦ୍ଧି କରିବାକୁ ବାଧ୍ୟ ହୋଇପାରନ୍ତି।
ଏହାର ପ୍ରଭାବ ଗ୍ରାହକଙ୍କ ମାସିକ ଘରଖର୍ଚ୍ଚ ଉପରେ ପଡ଼ିବା ଆଶଙ୍କା ରହିଛି।
Drinking water: ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ମାଲାନସୁଗା ଗ୍ରାମବାସୀ, ଚୁଆପାଣି ବଞ୍ଚାଇଛି ଜୀବନ ଦରଦାମ୍ ପ୍ରଭାବରୁ ବର୍ତ୍ତିବା ପାଇଁ ସରକାରୀ କର୍ମଚାରୀଙ୍କୁ ସରକାର ବର୍ଷକୁ ଦୁଇଥର ବର୍ଦ୍ଧିତ ମହଙ୍ଗା ଭତ୍ତା ଦେଇଥାନ୍ତି।
ସେମାନଙ୍କୁ ଗତ ଜାନୁଆରି ମାସରୁ ୬୦ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଛି।
ଶିଳ୍ପ ଶ୍ରମିକଙ୍କ ଉପଭୋକ୍ତା ମୂଲ୍ୟ ସୂଚୀ ଅନୁସାରେ ଜୁଲାଇରୁ ସେମାନେ ୩ରୁ ୪ ପ୍ରତିଶତ ପାଖାପାଖି ମହଙ୍ଗା ଭତ୍ତା ପାଇବେ ବୋଲି ଅଙ୍କ କଷୁଛନ୍ତି।
ଜୁଲାଇ ମାସରୁ କର୍ମଚାରୀମାନେ ପିଛିଲା ଭାବେ ଏହା ପାଇଥାନ୍ତି।
କିନ୍ତୁ ଅକ୍ଟୋବର ମାସ ଅଧା ବିତି ଯାଇଥିଲେ ମଧ୍ୟ ସରକାର ବର୍ଦ୍ଧିତ ମହଙ୍ଗା ଭତ୍ତା ଘୋଷଣା ନ କରିବାରୁ କର୍ମଚାରୀ ଓ ପେନ୍ସନଭୋଗୀମାନଙ୍କ ଅସନ୍ତୋଷ ଚରମରେ ପହଞ୍ଚିଲାଣି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।