DMK Plans Major Organisational Overhaul: ଯୁବ ନେତୃତ୍ୱ ଉପରେ ଫୋକସ୍, ଦୁଇ ଟର୍ମ ଲିମିଟ୍ ବାଧ୍ୟତାମୂଳକ;DMKର ବଡ଼ ସାଂଗଠନିକ ପରିବର୍ତ୍ତନ
ଜୋସେଫ୍ ସି ବିଜୟଙ୍କ ନେତୃତ୍ୱାଧୀନ TVK ଠାରୁ ନିର୍ବାଚନୀ ଝଟକା ପାଇବାର କିଛି ମାସ ପରେ ଏବେ ସାଂଗଠନିକ ପୁନର୍ଗଠନ ଯୋଜନା କରୁଛି ଏମ୍କେ ଷ୍ଟାଲିନଙ୍କ DMK। ଦଳ ପକ୍ଷରୁ ଏକ ସଂକଳ୍ପ ପାରିତ କରି ସାଂଗଠନିକ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ସହ ଯୁବ ନେତୃତ୍ୱକୁ ଅଧିକ ଗୁରୁତ୍ୱ ଦେବାକୁ ଯୋଜନା କରାଯାଇଛି।
ତାମିଲନାଡୁର ପ୍ରମୁଖ ବିରୋଧୀ ଦଳ DMK ନିଜ ସାଂଗଠନିକ ଢାଞ୍ଚାରେ ବଡ଼ ପୁନର୍ଗଠନ ଘୋଷଣା କରିଛି। ଏଥିରେ ଦଳୀୟ ପଦପଦବୀ ପାଇଁ ବୟସ ସୀମା ଧାର୍ଯ୍ୟ କରିବା ସହ ନେତାଙ୍କ କାର୍ଯ୍ୟକାଳକୁ ମଧ୍ୟ ସୀମିତ କରାଯିବ। ଚେନ୍ନାଇସ୍ଥିତ ଦଳର ମୁଖ୍ୟାଳୟ ଆନ୍ନା ଅରିଭାଲୟମ୍ରେ ହୋଇଥିବା ବୈଠକରେ ଦଳର କାର୍ଯ୍ୟକାରୀ କମିଟି ସାଂଗଠନିକ ପୁନର୍ଗଠନ ସମ୍ପର୍କିତ ଏହି ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ ପାରିତ କରିଛି। ଦଳର ମୁଖ୍ୟ ଏମ୍କେ ଷ୍ଟାଲିନ୍ ବୈଠକରେ ଅଧ୍ୟକ୍ଷତା କରିଥିଲେ।
DMKର ପୁନର୍ଗଠନ ଯୋଜନାରେ କ’ଣ ରହିଛି?
ନୂଆ ଯୋଜନା ଅନୁଯାୟୀ, DMKର ସାଂଗଠନିକ ଜିଲ୍ଲା ସଂଖ୍ୟା ୭୮ରୁ ବଢ଼ାଇ ୧୧୦ କରାଯିବ। ପ୍ରତ୍ୟେକ ଜିଲ୍ଲାକୁ ପ୍ରାୟ ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଗଠନ କରାଯିବ। ଏହା ଦ୍ୱାରା ଦଳର ସ୍ଥାନୀୟ ସ୍ତରର ପ୍ରଶାସନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ରହିଛି।
ଏହାସହ କୋଏମ୍ବାଟୁର ଓ ତାମ୍ବରମ୍ ଭଳି ବଡ଼ ସହରାଞ୍ଚଳରେ ଥିବା ‘ସିଟି ସେକ୍ରେଟାରୀ’ ପଦକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯିବ। ଅର୍ଥାତ୍ ଏଣିକି ଏହି ସହରଗୁଡ଼ିକରେ ‘ସିଟି ସେକ୍ରେଟାରୀ’ ପଦ ରହିବ ନାହିଁ।
ସହରାଞ୍ଚଳର ଜୋନ୍ଗୁଡ଼ିକୁ ମଧ୍ୟ ଭୋଟରଙ୍କ ସଂଖ୍ୟା ଆଧାରରେ ପୁନର୍ଗଠନ କରାଯିବ। ଚେନ୍ନାଇ କର୍ପୋରେସନ୍ ଅଞ୍ଚଳରେ ପ୍ରତ୍ୟେକ କମିଟିରେ ହାରାହାରି ୪୦ ହଜାର ଭୋଟର ରହିବେ। ଅନ୍ୟ କର୍ପୋରେସନ୍ଗୁଡ଼ିକରେ ପ୍ରତ୍ୟେକ କମିଟିରେ ହାରାହାରି ୩୦ ହଜାର ଭୋଟରଙ୍କୁ ରଖାଯିବ।
ଷ୍ଟାଲିନ୍ ୧୧୦ଟି ପୁନର୍ଗଠିତ ଜିଲ୍ଲାର ସୀମା ମାନଚିତ୍ର ପ୍ରକାଶ କରିବା ପରେ ଦଳର ମୁଖ୍ୟାଳୟର ତତ୍ତ୍ୱାବଧାନରେ ପ୍ରତ୍ୟେକ ଜିଲ୍ଲା କାର୍ଯ୍ୟକାରୀ କମିଟିକୁ ୧୫ ଦିନ ମଧ୍ୟରେ ବୈଠକ କରି ଏହି ପୁନର୍ଗଠନ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।