Doctors Turn Delhi-Aizawl Flight Into Emergency Ward: ବିମାନରେ ଜୀବନ-ମରଣ ସଂଘର୍ଷ, ରୋଗୀଙ୍କ ଜୀବନ ବଞ୍ଚାଇବାକୁ ପାଇଁ ଲଢ଼ିଲେ ୩ ଡାକ୍ତର

Oct 05, 2026 - 20:12
Doctors Turn Delhi-Aizawl Flight Into Emergency Ward: ବିମାନରେ ଜୀବନ-ମରଣ ସଂଘର୍ଷ, ରୋଗୀଙ୍କ ଜୀବନ ବଞ୍ଚାଇବାକୁ ପାଇଁ ଲଢ଼ିଲେ ୩ ଡାକ୍ତର


ବିମାନ ଭିତରେ ହଠାତ୍ ଗୁରୁତର ହେଲା ଯାତ୍ରୀଙ୍କ ଅବସ୍ଥା। ଆଉ ସେହି ସମୟରେ ଦେବଦୂତ ସାଜିଲେ ୩ ଡାକ୍ତର। ଦିଲ୍ଲୀରୁ ଆଇଜଲ୍ ଯାଉଥିବା ବିମାନରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ଜଣେ ଯାତ୍ରୀ। ଦୀର୍ଘଦିନ ଧରି କିଡ୍‌ନୀ ରୋଗରେ ପୀଡ଼ିତ ଥିବା ଏହି ଯାତ୍ରୀଙ୍କ ଅମ୍ଳଜାନ ସ୍ତର ପ୍ରାୟ ୪୦ ପ୍ରତିଶତକୁ ଖସିଯାଇଥିଲା। ତାଙ୍କୁ ନିଃଶ୍ୱାସ ନେବାରେ ମଧ୍ୟ ଭାରି କଷ୍ଟ ହେଉଥିଲା।

କ୍ୟାବିନ୍ କ୍ରୁ ଡାକ୍ତରଙ୍କ ସହାୟତା ମାଗିବା ପରେ ତୁରନ୍ତ ଆଗକୁ ଆସିଥିଲେ ଜେନେରାଲ୍ ସର୍ଜନ୍ ଡାକ୍ତର ୱିଲି ଲାଲହ୍ରୁଇଟଲୁଆଙ୍ଗା, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଏଫ୍ ରେମଥାଙ୍ଗପୁଇ ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ବେଞ୍ଜାମିନ୍ କିଆଙ୍ଗଟେ।

ବିମାନ ଭିତରେ ସୀମିତ ସୁବିଧା ମଧ୍ୟରେ ୩ ଡାକ୍ତର ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ। ଅମ୍ଳଜାନ ଦେବା ପରେ ମଧ୍ୟ ସ୍ତର ପ୍ରାୟ ୬୦ ପ୍ରତିଶତ ରହିଥିଲା। ପରେ ଡାକ୍ତରମାନେ ଷ୍ଟେରଏଡ୍ ଦେବାରୁ ଅମ୍ଳଜାନ ସ୍ତର ପ୍ରାୟ ୯୦ ପ୍ରତିଶତକୁ ବଢ଼ିଥିଲା। ଅବସ୍ଥା ଖରାପ ହେଲେ କୋଲକାତାରେ ଜରୁରୀ ଅବତରଣ ପାଇଁ ପାଇଲଟ୍ ମଧ୍ୟ ପ୍ରସ୍ତୁତ ଥିଲେ।

ଆଇଜଲ୍‌ର ଲେଙ୍ଗପୁଇ ବିମାନବନ୍ଦରରେ ପହଞ୍ଚିବା ପରେ ଯାତ୍ରୀଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ନିଆଯାଇଥିଲା। ଡାକ୍ତରମାନେ ଇଣ୍ଟ୍ୟୁବେସନ୍ କରି ଚିକିତ୍ସା ଜାରି ରଖିବା ସହ ଆଇସିୟୁ ବେଡ୍ ପାଇଁ ହସ୍ପିଟାଲ ସହ ଯୋଗାଯୋଗ କରିଥିଲେ। ଶେଷରେ ଏଲ୍‌ଆର୍‌ଏମ୍ ହସ୍ପିଟାଲରେ ଆଇସିୟୁ ବେଡ୍ ମିଳିଥିଲା।

ପରେ ଯାତ୍ରୀଙ୍କୁ ଇଣ୍ଟ୍ୟୁବେସନ୍‌ରୁ ବାହାର କରାଯାଇ ଡାଏଲିସିସ୍ କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଆକାଶରେ ଜଣେ ଅଜଣା ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଦାୟିତ୍ୱରୁ ଆଗକୁ ବଢ଼ି ଯେଉଁ ମାନବିକତା ଦେଖାଇଛନ୍ତି, ଏହି ୩ ଡାକ୍ତରଙ୍କ ପ୍ରୟାସକୁ ସମସ୍ତେ ପ୍ରଶଂସା କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।