Dog’s Mouth Taped: ଚୋରଙ୍କ ନୂଆ ଷ୍ଟାଇଲ୍! କୁକୁର ମୁହଁରେ ଟେପ୍ ଲଗାଇ ଲକ୍ଷାଧିକ ଟଙ୍କା ଲୁଟ୍
ବର୍ଷା ରାତିରେ ଚୋରମାନେ ରଚିଲେ ଅଜବ ଚୋରିର ଷଡ଼ଯନ୍ତ୍ର। ଘରେ ପଶିବା ପୂର୍ବରୁ ପୋଷା କୁକୁରକୁ କଲେ ‘ଚୁପ୍’। ଭୁକି ଯେପରି ଘର ଲୋକଙ୍କୁ ସତର୍କ କରିନପାରେ, ସେଥିପାଇଁ କୁକୁର ମୁହଁରେ ଲଗାଇଦେଲେ ଟେପ୍। ଏହାପରେ ଘରର ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା-ରୁପା ଅଳଙ୍କାର। ଗାଁ ମଝିରେ ଘଟିଥିବା ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ଘଟଣାଟି ବିହାରର ଔରଙ୍ଗାବାଦ ଜିଲ୍ଲାର ମୁଫସିଲ୍ ଥାନା ଭରୱାର ଗାଁର। ରାତିରେ ପ୍ରବଳ ବର୍ଷା ହେଉଥିବାର ସୁଯୋଗ ନେଇ ଚୋରମାନେ ଘରେ ପଶି ଏହି ଚୋରି କରିଥିବା ଜଣାପଡ଼ିଛି।
ରାତି ୧୨ଟା ପରେ ଘରେ ପଶିଲେ ଚୋର
ପୀଡ଼ିତ ଆଲୋକ ସିଂହଙ୍କ କହିବା ଅନୁସାରେ, ଘଟଣା ସମୟରେ ସେ ଓ ତାଙ୍କ ପତ୍ନୀ ଅଲଗା ରୁମରେ ଶୋଇଥିଲେ। ତାଙ୍କ ପିଲାମାନେ ରକ୍ଷାବନ୍ଧନ ପାଇଁ ଭଉଣୀଙ୍କ ଘରକୁ ଯାଇଥିଲେ। ଅନ୍ୟପଟେ ଘରର ମା’, ବାପା ଓ ଭାଇଝିଅ ମଧ୍ୟ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ।
ରାତି ପ୍ରାୟ ୧୨ଟା ପରେ ଚୋରମାନେ ଘରେ ପଶିଥିଲେ। ସେହି ସମୟରେ ପ୍ରବଳ ବର୍ଷା ସହ ଘରେ କୁଲର ଚାଲୁଥିବାରୁ ବାହାର ଶବ୍ଦ ଶୁଣିବା କଷ୍ଟକର ଥିଲା।
ଚୋରମାନେ ପ୍ରଥମେ ଅଗଣାରେ ବନ୍ଧା ହୋଇଥିବା ପୋଷା କୁକୁରର ମୁହଁରେ ଟେପ୍ ଲଗାଇ ଦେଇଥିଲେ। ଫଳରେ କୁକୁରଟି ଭୁକି ଘର ଲୋକ କିମ୍ବା ପଡ଼ୋଶୀଙ୍କୁ ସତର୍କ କରିପାରିନଥିଲା।
ରୁମ୍ର ତାଲା ଭାଙ୍ଗି ଲୁଟ୍
କୁକୁରକୁ ଚୁପ୍ କରିବା ପରେ ଚୋରମାନେ ନିର୍ଭୟରେ ଘରର ତିନୋଟି କୋଠରୀର ତାଲା ଭାଙ୍ଗିଥିଲେ। ଏହାପରେ ଦୁଇଟି ଆଲମାରୀ ଏବଂ ଦୁଇଟି ଲୁହା ଟ୍ରଙ୍କ୍ ଭାଙ୍ଗି ସମସ୍ତ ଜିନିଷ ଖୋଜାଖୋଜି କରି ପ୍ରାୟ ୩.୫ରୁ ୪ ଲକ୍ଷ ଟଙ୍କା ମୂଲ୍ୟର ସୁନା-ରୁପା ଅଳଙ୍କାର ସହ ୪୦ ହଜାର ଟଙ୍କା ନେଇ ଫେରାର ହୋଇଛନ୍ତି।
ସକାଳୁ ନିଦ ଭାଙ୍ଗିବା ପରେ ଘରର କୋଠରୀଗୁଡ଼ିକର ଅବସ୍ଥା ଦେଖି ପରିବାର ଲୋକଙ୍କ ହୋସ୍ ଉଡ଼ିଯାଇଥିଲା।
ଘଟଣାର ତଦନ୍ତ ଆରମ୍ଭ କଲା ପୋଲିସ
ଖବର ପାଇବା ପରେ ମୁଫସିଲ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରମାନେ କିଏ ଏବଂ କେଉଁ ଦିଗରେ ଫେରାର ହୋଇଛନ୍ତି, ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଗାଁ ମଝିରେ ଘଟିଥିବା ଏହି ଚୋରି ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।