'Dr Jhatka' Arrested: ୨୮ ବର୍ଷ ପରେ ଧରାପଡ଼ିଲା 'ଡକ୍ଟର ଝଟକା', ହାତକଡ଼ି ପିନ୍ଧି ପୋଲିସକୁ ଚକମା ଦେଇ ଫେରାର ହୋଇଥିଲା

Aug 07, 2026 - 14:34
'Dr Jhatka' Arrested: ୨୮ ବର୍ଷ ପରେ ଧରାପଡ଼ିଲା 'ଡକ୍ଟର ଝଟକା', ହାତକଡ଼ି ପିନ୍ଧି ପୋଲିସକୁ ଚକମା ଦେଇ ଫେରାର ହୋଇଥିଲା

ପ୍ରାୟ ୨୮ ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିବା କୁଖ୍ୟାତ ଅପରାଧୀ 'ଡାକ୍ତର ଝଟକା' ଓରଫ ରାଜିନ୍ଦର ବୈରାଗୀ ଓରଫ ରାଜିନ୍ଦର ସିଂହ ଯାଦବ ଶେଷରେ ପୋଲିସ ହାତରେ ଧରାପଡ଼ିଛି। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ପରିଚୟ ବଦଳାଇ ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ପୋଲିସକୁ ଚକମା ଦେଉଥିବା ଡାକ୍ତର ଝଟକା ଶେଷରେ ଆଇନର ଜାଲରେ ଫସିଛି। ଅଭିଯୁକ୍ତକୁ ଗିରଫ କରାଯାଇଛି। ଏହି ଗିରଫଦାରୀକୁ ପୋଲିସ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି।

ନିଜର ପୂରା ପରିଚୟ ବଦଳାଇ ମଧ୍ୟପ୍ରଦେଶର ଏକ ଛୋଟ ସହରରେ ପତ୍ନୀ ଓ ପିଲାମାନଙ୍କ ସହ ଜଣେ ସାଧାରଣ "ଡାକ୍ତର" ଭାବେ ଜୀବନ ବିତାଉଥିବା ଜଣେ କୁଖ୍ୟାତ ଅପରାଧୀକୁ ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଅଭିଯୁକ୍ତ ନାଁରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ଅନ୍ୟାନ୍ୟ ଅପରାଧିକ ମାମଲା ରହିଛି।

ରାଜିନ୍ଦର ବୈରାଗୀ ଓରଫ୍ ରାଜିନ୍ଦର ସିଂହ ଯାଦବ ଓରଫ୍ "ଡକ୍ଟର ଝଟକା" (୫୩) ଗତ ୨୮ ବର୍ଷ ଧରି ପୁଲିସ ଆଖିରେ ଧୂଳି ଦେଇ ଫେରାର ଥିଲେ। ୧୯୯୯ ମସିହାରେ ହାତକଡି ପିନ୍ଧିଥିବା ଅବସ୍ଥାରେ ପୁଲିସ ହାତରୁ ଖସି ପଳାଇଥିଲେ। ଏହାପରେ ସେ ଦିଲ୍ଲୀ ଏବଂ ହରିୟାଣାର ବିଭିନ୍ନ ସ୍ଥାନରେ ପରିଚୟ ବଦଳାଇ ରହୁଥିଲେ।

ଦିଲ୍ଲୀ ପୁଲିସର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ହରିୟାଣା ପୁଲିସ ଅଧିକାରୀଙ୍କ ହତ୍ୟା, ଦିଲ୍ଲୀରେ ଏକାଧିକ ହତ୍ୟା ଉଦ୍ୟମ ଏବଂ ପୁଲିସ ହାତରୁ ଖସି ପଳାଇବା ଭଳି ଗମ୍ଭୀର ଅପରାଧରେ ସେ ଜଡିତ ଥିଲେ। ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଅଭିଯାନରେ ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲା ମୁଙ୍ଗାୱୋଲିରୁ ତାଙ୍କୁ କାବୁ କରାଯାଇଛି।

ପୁଲିସର ସୂଚନା ଅନୁଯାୟୀ, ୧୯୯୭ ମସିହାରେ ଜନକପୁରୀ ଥାନାରେ ରୁଜୁ ହୋଇଥିବା ଦୁଇଟି ହତ୍ୟା ଉଦ୍ୟମ ମାମଲାର ତଥ୍ୟ ଆଧାରରେ ତନାଘନା ଆରମ୍ଭ ହୋଇଥିଲା; ଯେଉଁଥିରୁ ଗୋଟିଏ ଉତ୍ତମ ନଗରର ଏକ ପ୍ରାଣଘାତୀ ଛୁରାମାଡ଼ ଘଟଣା ଥିଲା। ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ ସେ ହରିୟାଣା ପୁଲିସ ଅଧିକାରୀଙ୍କ ହତ୍ୟାରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ। ଏହାଛଡ଼ା ୧୯୯୯ ମସିହାରେ ଉତ୍ତରପ୍ରଦେଶ ପୁଲିସ ହାତରୁ ହାତକଡ଼ି ପିନ୍ଧିଥିବା ଅବସ୍ଥାରେ ଖସିଯିବା ପରେ ସେ ନିଜ ପରିଚୟ ବଦଳାଇ ନୂଆ ଜୀବନ ଆରମ୍ଭ କରିଥିଲେ।

କିପରି ସାଜିଲେ "ଡକ୍ଟର ଝଟକା"?

ପଚରାଉଚରା ବେଳେ ରାଜିନ୍ଦର ଜଣାଇଥିଲେ ଯେ ସେ ପୂର୍ବରୁ ଜଣେ କବଡ଼ି ଖେଳାଳି ଥିଲେ ଏବଂ ସେହି ସମୟରେ ଅପରାଧୀଙ୍କ ସଂସ୍ପର୍ଶରେ ଆସି ଅପରାଧ ଦୁନିଆରେ ପାଦ ରଖିଥିଲେ।

୧୯୯୮ ମସିହା ମେ' ୧୦ ତାରିଖରେ ସୋନିପତରେ ଏକ ବିବାହ ଉତ୍ସବରେ କନ୍ୟାପକ୍ଷଙ୍କ ସହ ବିବାଦ ହେବାରୁ ସେ ସାଙ୍ଗରେ ୫ ଜଣ ସଶସ୍ତ୍ର ସହଯୋଗୀଙ୍କ ସହ ମିଶି ଅତିଥିମାନଙ୍କୁ ଲକ୍ଷ୍ୟ କରି ଗୁଳିଚାଳନା କରିଥିଲେ। ଏହି ଗୁଳିମାଡ଼ରେ କନ୍ୟାଙ୍କ ମାମୁଁ ତଥା ହରିୟାଣା ପୁଲିସ ଅଧିକାରୀ ଜୟ ଭଗୱାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ପୁଲିସ ତାଙ୍କୁ ଗିରଫ କରିଥିଲେ ହେଁ ସେ ସୋନିପତ କୋର୍ଟକୁ ନିଆଯିବା ସମୟରେ ସେ ଖସି ପଳାଇଥିଲେ।

ପ୍ରଥମେ ମହାରାଷ୍ଟ୍ରର କୋଲାବା ଯାଇ ସେଠାରେ ଏକ ସ୍କୁଲରେ ଶିକ୍ଷକ ଭାବେ କାମ କରିଥିଲେ। ପ୍ରାୟ ଏକ ବର୍ଷ ପରେ ସେ ମଧ୍ୟପ୍ରଦେଶର ମୁଙ୍ଗାୱୋଲିକୁ ଚାଲିଯାଇଥିଲେ ଏବଂ ନିଜ ନାଁ ବଦଳାଇ ରାଜେନ୍ଦ୍ର ସିଂହ ଯାଦବ ରଖିଥିଲେ। ସେଠାରେ ସେ ବିଭିନ୍ନ ପରିଚୟପତ୍ର ହାସଲ କରି ସ୍ଥାନୀୟ ଲୋକଙ୍କ ସହ ମିଶି ରହୁଥିଲେ।

୨୦୦୩ ମସିହାରେ ସେ ଜଣେ ନର୍ସ ମମତା ଯାଦବଙ୍କୁ ବିବାହ କରିଥିଲେ। ଏହା ମଧ୍ୟରେ ସେ ରୋଗୀ ସେବା କରିଥିଲେ ଏବଂ ସ୍ଥାନୀୟ ଲୋକେ ତାଙ୍କୁ "ଡକ୍ଟର ଝଟକା" ବୋଲି ଡାକୁଥିଲେ। ତାଙ୍କର ଦୁଇଟି ପୁଅ ‌ଓ ଝିଅ ଅଛନ୍ତି।

ଦିଲ୍ଲୀ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ତାଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଭଳି ମୋଟ ୮ଟି ଅପରାଧିକ ମାମଲା ରହିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।