Drishyam 3 First Week Collection: ଆୟ କମିଲେ ବି କ୍ରେଜ୍ କମିନି, ‘ଦୃଶ୍ୟମ୍ ୩’ର ବକ୍ସ ଅଫିସ୍ କଲେକ୍ସନ ୩୮୦ କୋଟି ପାର୍!
ବକ୍ସ ଅଫିସ୍ରେ ଧମାଲ୍ କରୁଛି ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ୍ ୩’। ସସ୍ପେନ୍ସ, ରୋମାଞ୍ଚ ଓ ରହସ୍ୟରେ ଭରପୂର ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳୁଛି। ରିଲିଜ୍ର ପ୍ରଥମ ସପ୍ତାହରେ ଫିଲ୍ମଟି ବିଶ୍ୱବ୍ୟାପୀ ୩୮୦ କୋଟି ଟଙ୍କାରୁ ଅଧିକ ଆୟ କରିଥିବା ରିପୋର୍ଟରେ ଦାବି କରାଯାଇଛି। ଯଦିଓ ଦିନକୁ ଦିନ ଏହାର ଆୟରେ ହ୍ରାସ ଦେଖାଦେଇଛି, ତଥାପି ବକ୍ସ ଅଫିସ୍ରେ ଫିଲ୍ମର ଦବଦବା ଜାରି ରହିଛି।
୭ ଦିନରେ କେତେ ରୋଜଗାର କଲା ‘ଦୃଶ୍ୟମ୍ ୩’?
ଫିଲ୍ମର ପ୍ରଥମ ଦିନରୁ ହିଁ ବକ୍ସ ଅଫିସ୍ରେ ଜବରଦସ୍ତ ଓପନିଂ ଦେଖିବାକୁ ମିଳିଥିଲା। ପ୍ରଥମ ଦିନରେ ୬୨ କୋଟି ଟଙ୍କାର କଲେକ୍ସନ ସହ ଆରମ୍ଭ କରିଥିବା ଏହି ଫିଲ୍ମ ପରବର୍ତ୍ତୀ ଦିନଗୁଡ଼ିକରେ ମଧ୍ୟ ଭଲ ଆୟ କରିଥିଲା।
ରିପୋର୍ଟ ଅନୁଯାୟୀ, ଫିଲ୍ମଟି ପ୍ରଥମ ଶନିବାର ୫୩.୫୦ କୋଟି ଏବଂ ରବିବାର ୬୧ କୋଟି ଟଙ୍କା ଆୟ କରିଥିଲା। ଏହାପରେ ସୋମବାରଠାରୁ କଲେକ୍ସନରେ ହ୍ରାସ ଦେଖାଦେଇଥିଲା। ଚତୁର୍ଥ ଦିନରେ ୨୧ କୋଟି, ପଞ୍ଚମ ଦିନରେ ୧୯.୫୦ କୋଟି, ଷଷ୍ଠ ଦିନରେ ୧୫.୫୦ କୋଟି ଏବଂ ସପ୍ତମ ଦିନରେ ୧୩ କୋଟି ଟଙ୍କା ଆୟ ହୋଇଥିବା ଦାବି କରାଯାଇଛି।
ବକ୍ସ ଅଫିସ୍ ରିପୋର୍ଟ ଅନୁସାରେ, ‘ଦୃଶ୍ୟମ୍ ୩’ ସାତ ଦିନରେ ଭାରତରେ ୨୪୫.୫୦ କୋଟି ଟଙ୍କାର ନେଟ୍ କଲେକ୍ସନ କରିଛି। ଏହାର ଭାରତୀୟ ଗ୍ରସ୍ କଲେକ୍ସନ ୨୯୪.୬୦ କୋଟି ଟଙ୍କା ରହିଛି।
ଅନ୍ୟପଟେ, ବିଦେଶ ବଜାରରେ ମଧ୍ୟ ଫିଲ୍ମର ପ୍ରଦର୍ଶନ ଭଲ ରହିଛି। ବିଦେଶରେ ଏହାର ମୋଟ ଗ୍ରସ୍ ଆୟ ୮୯ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ଭାରତ ଓ ବିଦେଶର ଆୟକୁ ମିଶାଇ ମୋଟ ବିଶ୍ୱବ୍ୟାପୀ କଲେକ୍ସନ ୩୮୩.୬୦ କୋଟି ଟଙ୍କା ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ଅଜୟ ଦେବଗନଙ୍କ କ୍ୟାରିୟରର ବଡ଼ ଫିଲ୍ମ!
‘ଦୃଶ୍ୟମ୍ ୩’କୁ ନେଇ ଅଜୟ ଦେବଗନଙ୍କ ପ୍ରଶଂସକଙ୍କ ଉତ୍ସାହ ରିଲିଜ୍ ପୂର୍ବରୁ ହିଁ ଶୀର୍ଷରେ ଥିଲା। ଆଡଭାନ୍ସ ବୁକିଂରେ ମଧ୍ୟ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିଥିବା ଦାବି କରାଯାଇଛି। ପ୍ରଥମ ଦିନରେ ୬୨ କୋଟି ଟଙ୍କାର କଲେକ୍ସନ ଏହାକୁ ଅଜୟ ଦେବଗନଙ୍କ କ୍ୟାରିୟରର ସବୁଠୁ ବଡ଼ ଓପନିଂ ଫିଲ୍ମ ଭାବେ ଚର୍ଚ୍ଚାକୁ ଆଣିଛି।
ଫିଲ୍ମର କାହାଣୀ, ରହସ୍ୟ ଓ ସସ୍ପେନ୍ସ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖୁଥିବା ନେଇ ସୋସିଆଲ ମିଡିଆରେ ମଧ୍ୟ ଆଲୋଚନା ହେଉଛି। ଏବେ ସମସ୍ତଙ୍କ ନଜର ଦ୍ୱିତୀୟ ସପ୍ତାହର କଲେକ୍ସନ ଉପରେ ରହିଛି। ଆଗାମୀ ଦିନରେ ଫିଲ୍ମଟି ଆଉ କେତେ ରେକର୍ଡ ଭାଙ୍ଗୁଛି, ତାହା ଦେଖିବାକୁ ବାକି ରହିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।