DRS କ୍ରେଡିଟ୍‌ ଚୋରି ଅଭିଯୋଗ ଆଣିଲେ ଇଶାନ୍‌, ବୈଭବଙ୍କ ଜବାବରେ ଚୁପ୍‌ ହୋଇଗଲେ କ୍ୟାପଟେନ୍‌!

Sep 11, 2026 - 14:10
DRS କ୍ରେଡିଟ୍‌ ଚୋରି ଅଭିଯୋଗ ଆଣିଲେ ଇଶାନ୍‌, ବୈଭବଙ୍କ ଜବାବରେ ଚୁପ୍‌ ହୋଇଗଲେ କ୍ୟାପଟେନ୍‌!

ନୂଆଦିଲ୍ଲୀ,୧୧।୯: ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ୍‌ ଦଲୀପ ଟ୍ରଫି ୨୦୨୬ର ଚାମ୍ପିଅନ ହୋଇଛି । ଏହି ଦଳରେ ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ସାମିଲ ଥିଲେ। ବ୍ୟାଟିଂ ପାଇଁ ପୂର୍ବରୁ ଚର୍ଚ୍ଚିତ ହୋଇଥିବା ବୈଭବ ଏଥର ନିଜର DRS ନିଷ୍ପତ୍ତିକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି।

ଫାଇନାଲ ମ୍ୟାଚ୍‌ରେ ମଧ୍ୟ ବୈଭବ ଅଧିନାୟକ ଇଶାନ କିଶନଙ୍କୁ DRS ନେବାକୁ ପରାମର୍ଶ ଦେଇଥିଲେ। ଇଶାନ ବୈଭବଙ୍କ କଥା ମାନି ରିଭ୍ୟୁ ନେଇଥିଲେ ଏବଂ ଏଥିରୁ ଦଳକୁ ୱିକେଟ୍‌ ମିଳିଥିଲା। ଏହାପରେ ବୈଭବଙ୍କ ନିଷ୍ପତ୍ତି ନେବାର କ୍ଷମତାକୁ ନେଇ ଖୁବ୍‌ ପ୍ରଶଂସା ହୋଇଥିଲା।

ଦଲୀପ ଟ୍ରଫି ଜିତିବା ପରେ BCCI ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଛି। ଏଥିରେ ଇଶାନ କିଶନ ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ DRSକୁ ନେଇ ମଜାଦାର କଥାବାର୍ତ୍ତା ଦେଖିବାକୁ ମିଳିଛି।ଇଶାନ ମଜା କରି କହିଥିଲେ ଯେ, ରିଭ୍ୟୁର ସବୁ କ୍ରେଡିଟ୍‌ ବୈଭବ ନେଇଗଲେ। ସେ ନିଜେ ମଧ୍ୟ ରିଭ୍ୟୁ ନେବାକୁ ଯାଉଥିଲେ, କିନ୍ତୁ ବୈଭବ ପାଖକୁ ଆସି କହିଦେଉଥିଲେ ଏବଂ ତା’ପରେ ଇଣ୍ଟରନେଟ୍‌ରେ କେବଳ ‘ବୈଭବ-ବୈଭବ’ ହେଉଥିଲା।

ଇଶାନଙ୍କ ଏହି ମଜାଦାର କଥାର ଜବାବ ଦେଇ ବୈଭବ କହିଥିଲେ, “ଯେତେବେଳେ ଆପଣ ପଡ଼ିଆ ବାହାରେ ଥିଲେ, ସେତେବେଳେ କିଏ ରିଭ୍ୟୁ ନେଉଥିଲା?” ବୈଭବଙ୍କ ଏହି କଥା ଶୁଣି ଇଶାନ ମଧ୍ୟ ହସି କହିଥିଲେ, “ହଁ, ସେତେବେଳେ ତ ବୈଭବ ନିଜେ ରିଭ୍ୟୁ ନେଉଥିଲେ।”

ପ୍ରକୃତରେ, କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଶାନ କିଶନ ଆହତ ହୋଇ ପଡ଼ିଆରୁ ବାହାରି ଯାଇଥିଲେ। ସେହି ସମୟରେ ଇଷ୍ଟ ଜୋନ୍‌ର ଉପଅଧିନାୟକ ବୈଭବ ସୂର୍ଯ୍ୟବଂଶୀ ଦଳର ନେତୃତ୍ୱ ନେଇଥିଲେ। ଅଧିନାୟକ ଭାବେ ନିଜର ପ୍ରଥମ DRS ନେଇ ସେ ସଫଳ ମଧ୍ୟ ହୋଇଥିଲେ ଏବଂ ଦଳକୁ ଏକ ୱିକେଟ୍‌ ମିଳିଥିଲା।

ଏବେ ବୈଭବ ସୂର୍ଯ୍ୟବଂଶୀ ଏବଂ ଇଶାନ କିଶନ ଦିଲ୍ଲୀରେ ପହଞ୍ଚିଛନ୍ତି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍‌କୁ ନେଇ ଏବେ ସେମାନଙ୍କ ଉପରେ ନଜର ରହିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ସେପ୍ଟେମ୍ବର ୧୩ରେ ହେବାର କାର୍ଯ୍ୟକ୍ରମ ରହିଛି। ମ୍ୟାଚ୍‌ର ତାରିଖ ପୁନଃନିର୍ଦ୍ଧାରଣ ନେଇ ଆଲୋଚନା ଚାଲିଥିଲେ ମଧ୍ୟ ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ଅଧିକାରିକ ଘୋଷଣା ହୋଇନାହିଁ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।