Drugs Inside Police Outpost: ପୋଲିସ ପୋଷ୍ଟ ଭିତରେ ନିଶାଡ଼ିଙ୍କ ଆଡ୍ଡା, ଭାଇରାଲ୍ ଭିଡିଓ ଖୋଲିଦେଲା ପୋଲ୍!

Nov 02, 2026 - 20:00
Drugs Inside Police Outpost: ପୋଲିସ ପୋଷ୍ଟ ଭିତରେ ନିଶାଡ଼ିଙ୍କ ଆଡ୍ଡା, ଭାଇରାଲ୍ ଭିଡିଓ ଖୋଲିଦେଲା ପୋଲ୍!

ଯେଉଁଠି ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ରହିବା କଥା, ସେଇଠି ଚାଲିଛି ନିଶା ସେବନ।

ଦେଖିଲେ ଲାଗୁଛି, ଯେମିତି ଏହା ପାଲଟିଛି ନିଶା ସେବନର ସୁରକ୍ଷିତ ଠିକଣା।

ଶୌଚାଳୟ ଭିତରେ ଏଣେତେଣେ ପଡ଼ିଛି ଗଞ୍ଜେଇ, ସିଗାରେଟ୍ ଓ ବ୍ରାଉନ୍ ସୁଗାର ସେବନରେ ବ୍ୟବହୃତ କାଗଜ।

ଏହି ଦୃଶ୍ୟ ଆସିଛି ଭୁବନେଶ୍ୱରର ଶ୍ରୀୟା ଛକ ଟ୍ରାଫିକ୍ ଏଡ୍ ପୋଷ୍ଟରୁ।

କେବଳ ନିଶା ସାମଗ୍ରୀ ପଡ଼ିଥିବା ନୁହେଁ, ପୋଷ୍ଟ ଭିତରେ ବସି ବ୍ରାଉନ୍ ସୁଗାର ସେବନ କରୁଥିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି।

ଦିନ ଦ୍ୱିପ୍ରହରରେ ନିଶା ସେବନ କରୁଥିବା ଯୁବକଙ୍କ ନଜର କ୍ୟାମେରା ଉପରେ ପଡ଼ିବା ମାତ୍ରେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ।

ସବୁଠୁ ବଡ଼ କଥା ହେଉଛି, ପୋଷ୍ଟ ବାହାରେ ପୋଲିସର ଉପସ୍ଥିତି ଥିବାବେଳେ ଭିତରେ ଏଭଳି କାରବାର କେମିତି ଚାଲିଥିଲା?

Advertisment ଗୋଟିଏ ପଟେ ନିଶାମୁକ୍ତ ସମାଜ ଗଠନ ପାଇଁ ପୋଲିସର ବଡ଼ ବଡ଼ ଅଭିଯାନ।

ନିଶା କାରବାର ରୋକିବାକୁ ଚଢ଼ାଉ, ଗାଡ଼ି ଯାଞ୍ଚ ଓ ନିୟମିତ ବ୍ଲକିଂ।

ହେଲେ ଯେଉଁଠି ପୋଲିସର ନିଜ ଉପସ୍ଥିତି ରହିବା କଥା, ସେହି ସ୍ଥାନରେ ନିଶା ସେବନର ଏଭଳି ଦୃଶ୍ୟ ପୋଲିସର ତଦାରଖ ବ୍ୟବସ୍ଥାକୁ ନେଇ ଉଠାଇଛି ପ୍ରଶ୍ନ।

ପୋଲିସ ରାସ୍ତାରେ ଚେକିଂ କରୁଛି, ହେଲେ ନିଜ ଟ୍ରାଫିକ୍ ପୋଷ୍ଟ ଭିତରେ କ'ଣ ଚାଲିଛି, ତାହା ଜାଣିପାରୁନି କି?

ଏଭଳି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାଜଧାନୀବାସୀ।

ଘଟଣାକୁ ନେଇ ଡିସିପିଙ୍କୁ ପଚରାଯିବାରୁ ନିୟମିତ ଚେକିଂ ଓ ବ୍ଲକିଂ ଜାରି ରହିବ ବୋଲି କହିଛନ୍ତି।

ଏଥିସହ ଟ୍ରାଫିକ୍ ନିୟମ ପାଳନ କରିବା, ମଦ୍ୟପାନ କରି ଗାଡ଼ି ନଚଳାଇବା ଓ ସୁରକ୍ଷିତ ଯାତ୍ରା ପାଇଁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି।

ହେଲେ ଶ୍ରୀୟା ଛକ ଟ୍ରାଫିକ୍ ପୋଷ୍ଟର ଏହି ଘଟଣାକୁ ନେଇ କ'ଣ ପଦକ୍ଷେପ ନିଆଯିବ, ସେନେଇ ସ୍ପଷ୍ଟ ଉତ୍ତର ମିଳିନାହିଁ।

ଯେଉଁଠି ଆଇନର ରକ୍ଷା କରିବାକୁ ପୋଲିସ ମୁତୟନ ହୋଇଛି, ସେହିଠି ଯଦି ନିଶା ସେବନର ଆଡ୍ଡା ଜମେ, ତେବେ ସାଧାରଣ ଲୋକ ଭରସା କରିବେ କାହାକୁ?

ରାସ୍ତାରେ ଚେକିଂ କରୁଥିବା ପୋଲିସ ନିଜ ପୋଷ୍ଟ ଭିତରର ଅବସ୍ଥା ଉପରେ କେବେ ନଜର ଦେବ?

ଭାଇରାଲ୍ ଭିଡିଓ ପରେ ଏବେ ସବୁଠୁ ବଡ଼ ପ୍ରଶ୍ନ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।