Dussehra Rush Chokes Bhubaneswar Roads: ଦଶହରା ଭିଡ଼ରେ ରାଜଧାନୀ ବେହାଲ, ଯାତାୟାତ ପାଇଁ ନାକେଦମ୍ ଲୋକେ

Oct 20, 2026 - 20:28
Dussehra Rush Chokes Bhubaneswar Roads: ଦଶହରା ଭିଡ଼ରେ ରାଜଧାନୀ ବେହାଲ, ଯାତାୟାତ ପାଇଁ ନାକେଦମ୍ ଲୋକେ

ରସୁଲଗଡ଼ ଛକରେ ଗାଡ଼ି ଅଟକି ରହୁଛି... କଟକ ରୋଡ୍ ରେ ଗାଡ଼ି ଗଡ଼ିବାକୁ ଲାଗୁଛି ଘଣ୍ଟା ଘଣ୍ଟା ସମୟ। ନୟାପଲ୍ଲୀରେ ଜାତୀୟ ରାଜପଥରେ ଜାମ୍, ସନ୍ଧ୍ୟା ହେଲେ ପଟିଆରୁ ଡମଣା ଯାଏଁ ଗାଡ଼ିର ଲମ୍ବା ଲାଇନ୍। ଦଶହରାରେ ଏମିତି ବେହାଲ୍ ହୋଇପଡ଼ିଛି ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥା। ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ। ସମୟ ସୋମବାର ରାତି ପ୍ରାୟ ଗୋଟାଏ। ସହିଦନଗର ଥାନା ଅଞ୍ଚଳର ଏସ୍ ପ୍ଲାନେଡ୍ ଛକ ନିକଟରେ ସିରିଜ୍ ଦୁର୍ଘଟଣା ପରେ ଉତ୍ତେଜନା। ଦୁର୍ଘଟଣା ପରେ କିଛି ଯୁବକ କାର୍ କୁ ଭଙ୍ଗାରୁଜା କରିବା ସହ ଚାଳକଙ୍କୁ ମାଡ଼ ମାରୁଥିବା ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି। ଟ୍ରାଫିକ୍ ଜାମ୍ ଭିତରେ ଚାଳକଙ୍କ ତରବରିଆ ଗାଡ଼ି ଚାଳନା ଦୁର୍ଘଟଣାର କାରଣ ବୋଲି ଅଭିଯୋଗ ହେଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ। ଅନ୍ୟପଟେ ପୂଜା ସମୟରେ ସହର ଭିତରେ ଭାରିଯାନ ଚଳାଚଳ ଉପରେ କଟକଣା ରହିଥିଲେ ମଧ୍ୟ କେତେକ ସ୍ଥାନରେ ଭାରିଯାନ ଚଳାଚଳ କରୁଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରାତି ତମାମ ପୂଜା ମଣ୍ଡପ ବୁଲୁଛନ୍ତି ଶ୍ରଦ୍ଧାଳୁ। ଏଭଳି ସ୍ଥିତିରେ ଟ୍ରାଫିକ୍ ନିୟନ୍ତ୍ରଣ ସହ ଦୁର୍ଘଟଣା ରୋକିବା ଏବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ।

ସେପଟେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ପୋଲିସ ଫୋର୍ସ ମୁତୟନ କରାଯାଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି। କେତେକ ସ୍ଥାନରେ ଗାଡ଼ିର ଗତି ଧୀମା ରହୁଥିଲେ ମଧ୍ୟ ଟ୍ରାଫିକ୍ ସମସ୍ୟା ଯୋଗୁଁ କୌଣସି ସ୍ଥାନରେ ଗାଡ଼ି ଅଟକି ରହୁନାହିଁ ବୋଲି ସେ କହିଛନ୍ତି। ଭାରିଯାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଥିବା ବେଳେ କଟକ ଓ ଖୋର୍ଦ୍ଧା ପଟୁ ଆସୁଥିବା ଭାରିଯାନକୁ ବିକଳ୍ପ ରାସ୍ତାରେ ଯିବାକୁ ନିର୍ଦ୍ଦେଶ ରହିଛି। ଆଜି, କାଲି ଏବଂ ଭସାଣି ଦିନ ଟ୍ରାଫିକ୍ ପରିଚାଳନା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି କହିଛନ୍ତି ଡିସିପି।

ଦଶହରାରେ ମାଆଙ୍କ ଦର୍ଶନ ସାଙ୍ଗକୁ ପୂଜା ମଣ୍ଡପ ବୁଲିବାର ଉତ୍ସାହ ରହିଛି। ହେଲେ ଟ୍ରାଫିକ୍ ଜାମ୍ ଯେପରି ଆପଣଙ୍କ ଉତ୍ସାହରେ ବ୍ରେକ୍ ନ ଲଗାଏ, ସେଥିପାଇଁ ଘରୁ ବାହାରିବା ପୂର୍ବରୁ ଟ୍ରାଫିକ୍ ସମ୍ପର୍କିତ ସୂଚନା ନିଅନ୍ତୁ। ଧୈର୍ଯ୍ୟର ସହ ଗାଡ଼ି ଚଳାନ୍ତୁ, ଟ୍ରାଫିକ୍ ନିୟମ ମାନନ୍ତୁ ଏବଂ ଅନ୍ୟମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଅନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।