Earth Again Conference 2026: ‘ଆମେ ଗାଁର ଖବରକୁ ଗ୍ଲୋବାଲ ଖବର ଭାବେ ଦେଖି ପ୍ରସ୍ତୁତ କରିପାରିବା’
"ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ଦ୍ରୁତଗତିରେ ଦେଖାଯାଇଛି।
ବିଶ୍ବର ଦୁଇ ତୃତୀୟାଂଶ ଲୋକ ଏବେ ଜଳବାୟୁ ପରିବର୍ତ୍ତନର ସାମ୍ନା କରୁଛନ୍ତି, ଯେଉଁଥି ପାଇଁ ବିଭିନ୍ନ ରୋଗ ଏବଂ ଅନ୍ୟ ସମସ୍ୟା ଦେଖାଯାଉଛି।
ଦୈନିକ "ସମ୍ବାଦ" ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣରେ ଆୟୋଜିତ ତିନିଦିନିଆ ସମ୍ମିଳନୀର ଉଦ୍ଯାପନୀ ଦିବସରେ ଡାଉନ୍ ଟୁ ଆର୍ଥର ପରିଚାଳନା ସଂପାଦକ ରିଚାର୍ଡ ମହାପାତ୍ର ରବିବାର ଦିନ ଏହା କହିଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟର ସଭାଗୃହରେ ଆୟୋଜିତ ସମ୍ମିଳନୀର ଏକ ସ୍ବତନ୍ତ୍ର ଅଧିବେଶନରେ ଶ୍ରୀ ମହାପାତ୍ର କହିଛନ୍ତି, ଓଡ଼ିଶାରେ ସାଧାରଣ ପାଣିପାଗ କଣ?
ବର୍ଷ ବର୍ଷ ଧରି ଏଠି କେମିତି ପାଣିପାଗ ରହି ଆସିଛି?
ସେ ସଂପର୍କରେ କହିଥିଲେ।
ଏବେ ପୃଥିବୀର ତାପମାତ୍ରା ବଢ଼ିବାରେ ଲାଗିଛି।
ଯେମିତି ମାତା ପୃଥିବୀକୁ ଜର ହୋଇଛି ଭଳି ଲାଗୁଛି, ଯାହା ଆଉ ଛାଡୁ ନାହିଁ।
Advertisment ସାମ୍ବାଦିକତା ହେଉଛି ରିପୋର୍ଟର।
ତେଣୁ ସାମ୍ବାଦିକମାନଙ୍କୁ ପ୍ରଥମେ କୌଣସି ରିପୋର୍ଟ ପ୍ରସ୍ତୁତ କରିବା ପୂର୍ବରୁ ଏହାର ଇତିହାସ ଜାଣିବା ଦରକାର।
ଆମେ ଏବେ ବିଶ୍ବର କାହାଣୀ ଉପରେ ଅଧିକ ଗୁରୁତ୍ବ ଦେଉଛେ।
ଆଉ ଏହାର ମୁଖ୍ୟ ପ୍ରସଙ୍ଗ ହେଉଛି ଜଳବାୟୁ।
କାର୍ବନ ଡାଇଅକ୍ସାଇଡ ନିର୍ଗତ ବିଶ୍ବ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି।
ଆମେ ଯଦିଓ ଗୋଟିଏ ଗାଁର କାହାଣୀ ଲେଖୁଛେ, କିନ୍ତୁ ଏହା ହେଉଛି ବିଶ୍ବର କାହାଣୀ।
ଆମେ ସ୍ଥାନୀୟ ଖବରକୁ ଗ୍ଲୋବାଲ ଖବର ଭାବେ ପ୍ରସ୍ତୁତ କରିପାରିବା।
ଶ୍ରୀ ମହାପାତ୍ର କହିଛନ୍ତି, ମହାବାତ୍ୟାରେ ଓଡ଼ିଶାର ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଛି।
ଓଡ଼ିଶା କାହିଁକି ବାରବ୍ବାର ବିପର୍ଯ୍ୟୟର ସାମ୍ନା କରୁଛି?
୧୯୯୯ ମସିହାରେ ଏଭଳି ପ୍ରଶ୍ନ ଦିଲ୍ଲୀରେ ଉଠିଥିଲା।
ଓଡ଼ିଶାରେ କାହିଁକି ବିପର୍ଯ୍ୟୟ ବଢୁଛି ବୋଲି ସେହି ସମୟରେ ଆଲୋଚନା ହୋଇଥିଲା?
ବିପର୍ଯ୍ୟୟ ପାଇଁ କାରଣ କେଉଁମାନେ?
ଜଳବାୟୁ ପରିବର୍ତ୍ତନ ରିପୋର୍ଟିଂ ମାଧ୍ୟମରେ ଲୋକାଲ ଖବରକୁ ଗ୍ଲୋବାଲ ସ୍ତରରେ ଦେଖାଯାଇ ପାରିବ।
ଜଳବାୟୁ ପରିବର୍ତ୍ତନ ପାଇଁ କେବଳ ଓଡ଼ିଶା ଦାୟୀ ନୁହେଁ।
ଏଥି ପାଇଁ ଅନ୍ୟମାନେ ମଧ୍ୟ ଦାୟୀ।
ଜଳବାୟୁ ପରିବର୍ତ୍ତନ ଏବେ ଓଡ଼ିଶାର ମୁଖ୍ୟ ହେଡ୍ଲାଇନ୍ ପାଲଟିଛି।
ଗତ ଅଗଷ୍ଟ ପର୍ଯ୍ୟନ୍ତ କ୍ରମାଗତ ୬୦୦ ମାସ ହେଲା ବିଶ୍ବରେ ଗରମ ବୃଦ୍ଧି ପାଇଛି।
ଓଡ଼ିଶାର ୮୦ ପ୍ରତିଶତ ଲୋକ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ ହେଉଛନ୍ତି।
ଓଡ଼ିଶାର ପ୍ରତି ଜିଲ୍ଲାରେ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ବ୍ୟବସ୍ଥା କ"ଣ ଅଛି ରିପୋର୍ଟରମାନଙ୍କୁ ଜାଣିବାର ଅଛି।
ଭଲ ଖବର ଗାଁରେ ଅଛି।
ଜଳବାୟୁ ଭଳି ଆମର ସାମ୍ବାଦିକତାରେ ମଧ୍ୟ ପରିବର୍ତ୍ତନ ହୋଇଛି।
ଆମକୁ କୋରାପୁଟ, ମାଲକାନଗିରି, ନିୟମଗିରି, ଦାରିଙ୍ଗବାଡ଼ିର ଷ୍ଟୋରି କରିବାକୁ ପଡ଼ିବ।
ଆଦିବାସୀଙ୍କ ଜୀବନରେ ଘଟୁଥିବା ଘଟଣାକୁ ଗଣମାଧ୍ୟମରେ ପ୍ରକାଶ କରିବାକୁ ପଡ଼ିବ।
ଅର୍ଥନୀତି, ପରିବେଶ ଏବଂ ଜଳବାୟୁ ସଂପର୍କିତ ଖବର କଭର କରିବାକୁ ହେବ।
ହାତୀମାନେ ଜଙ୍ଗଲରୁ ବାହାରି ଆସୁଛନ୍ତି।
ହାତୀମାନେ ମନ୍ୟୁଷ୍ୟମାନଙ୍କ ଦ୍ବାରା ପ୍ରଭାବିତ ହେଉଛନ୍ତି।
ଫଟୋରେ "ପୁନଶ୍ଚ ପୃଥିବୀ"ର ଉଦ୍ଯାପନୀ ଦିବସ ଶ୍ରୀ ମହାପାତ୍ର କହିଛନ୍ତି, ଚାଷୀମାନେ କାହିଁକି ଜୀବନ ହାରୁଛନ୍ତି?
ଏହାର କାରଣ କ"ଣ?
ଚାଷୀମାନେ ଜୀବନ ହାରିବାର କାରଣ ଋଣବୋଝ।
କିନ୍ତୁ ଏହାର ପଛରେ ଅନ୍ୟ ଏକ ମୂଳ କାରଣ ରହିଛି ଜଳବାୟୁ ପରିବର୍ତ୍ତନ।
ଜଳବାୟୁ ପରିବର୍ତ୍ତନ ପାଇଁ ଚାଷକାମ ବ୍ୟାପକ ପ୍ରଭାବିତ ହୋଇଛି।
ଲଘୁଚାପଜନିତ ବର୍ଷା, ମରୁଡ଼ି ଏବଂ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷୀ ପ୍ରଭାବିତ ହେଉଛି।
ତେଣୁ ରିପୋର୍ଟରମାନଙ୍କୁ ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନ ସଂପର୍କିତ ଖବର ଲେଖିବାର ଆବଶ୍ୟକତା ଅଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।